ମୁଖ୍ୟମନ୍ତ୍ରୀଙ୍କ ବଦଳି ଆଦେଶକୁ ମାନୁନାହାନ୍ତି କି ସରକାରୀ ଅଧିକାରୀ ?
ଭୁବନେଶ୍ବର : ରେଡ କରିଡରକୁ ସରକାରଙ୍କ ନାଲିଆଖି । ୭୨ ଘଣ୍ଟାରେ ବଦଳି ସ୍ଥାନରେ ଯୋଗ ନଦେଲେ କାର୍ଯ୍ୟାନୁଷ୍ଠାନର ଭୟ ଦେଖାଇଲା ରାଜସ୍ବ ବିଭାଗ । ଅଫିସରଙ୍କୁ ସାଧାରଣ ପ୍ରଶାସନ ବିଭାଗ ବି ଦେଖାଇଥିଲା ଭୟ । ବଦଳି ରଦ୍ଦ ପାଇଁ ଚାପ ପକାଗଲେ ହେବ କାର୍ଯ୍ୟାନୁଷ୍ଠାନ ଧମକ । ରାଜ୍ୟ ବିଜେପି ସରକାରରେ ଅଫିସରଙ୍କ ମଧ୍ୟରେ ଏଭଳି ଭୟ ସୃଷ୍ଟି କରାଯାଉଛି । ଖୋଦ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ସାଧାରଣ ପ୍ରଶାସନ ବିଭାଗର ବଦଳି ଆଦେଶକୁ କେତେକ ଅଧିକାରୀ ମାନୁନଥିବା ଅଭିଯୋଗ ହୋଇଛି । ଅକ୍ଟୋବର ୨୯ ତାରିଖରେ ସାଧାରଣ ପ୍ରଶାସନ ବିଭାଗ ୨୩ ଜଣିଆ ବରିଷ୍ଠ ଓଏଏସ ଅଧିକାରୀଙ୍କ ବଦଳି ଆଦେଶ ଜାରି କଲା । ହେଲେ କେତେକ ବିଭାଗରେ ଏକ ପ୍ରକାର ଗାଦି ମାଡ଼ି ବସିଥିବା ଅଧିକାରୀ ଏ ପର୍ଯ୍ୟନ୍ତ ନୂଆ ଅଫିସରେ ଯୋଗ ଦେଇନାହାନ୍ତି । ନିୟମ ରହିଛି ଗୋଟିଏ ବିଭାଗରେ ଜଣେ ଅଧିକାରୀ ୩ ବର୍ଷ ରହିପାରିବେ । ୬ରୁ ୭ ବର୍ଷ ରହିଥିବା ଅଧିକାରୀ ଆସନ ଛାଡ଼ିବାକୁ କୁନ୍ଥକୁନ୍ଥ । ସେପଟେ ରାଜସ୍ବ ବିଭାଗ ଅଧୀନରେ ଥିବା ଜୁନିଅର କ୍ଲାସ୍ ଓ୍ବାନ୍ ଓଏଏସ୍ ଅଧିକାରୀଙ୍କ ବଦଳି ଆଦେଶ କାର୍ଯ୍ୟକାରୀ କରିଛି ରାଜସ୍ବ ବିଭାଗ । ଏକାସଙ୍ଗେ ପ୍ରାୟ ୨୦୦ ଅଧିକାରୀଙ୍କୁ ଗତମାସ ୨୬ ତାରିଖରେ ରିଲିଭ୍ କରି ଡିସେମ୍ବର ୧୦ ତାରିଖ ସୁଦ୍ଧା ନୂଆ ପଦବିରେ ଯୋଗଦେବାକୁ ଦିଆଗଲା ଡେଡ୍ ଲାଇନ । ବଦଳି ଆଦେଶ ନ ମାନିଲେ ସମ୍ପୃକ୍ତ ଅଧିକାରୀ ନିଲମ୍ବିତ ହେଲେ ବୋଲି ଧରାଯିବ । ରାଜସ୍ବ ବିଭାଗର ଏହି ଛାଟରେ ଜଣେ ଅଧିକାରୀଙ୍କୁ ଛାଡ଼ି ବାକି ସମସ୍ତେ ଯୋଗଦେଇଥିବା ରାଜସ୍ବ ମନ୍ତ୍ରୀ କହିଛନ୍ତି ।
ସରକାରୀ ବାବୁଙ୍କ ବଦଳି ଆଦେଶ କାର୍ଯ୍ୟକାରୀ ହେବ । କୌଣସି ପ୍ରକାରେ ରାଜନୈତିକ ଚାପ ପ୍ରୟୋଗ କରି ବଦଳି ଆଦେଶରେ ଏପଟସେପଟ କରିବାକୁ ଚେଷ୍ଟା କଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । କିଛି ଦିନ ତଳେ ନିଜେ ମୁଖ୍ୟ ଶାସନ ସଚିବ ଏପରି ଏକ ନିର୍ଦ୍ଦେଶନାମା ଜାରି କରିଥିଲେ । ଯାହାକୁ ନେଇ ରାଜ୍ୟ ସାରା ହଟଚମଟ ସୃଷ୍ଟି ହେଲା । ମୁଖ୍ୟମନ୍ତ୍ରୀ ହେଉଛନ୍ତି ସାଧାରଣ ପ୍ରଶାସନ ବିଭାଗ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ହେଉଛନ୍ତି ବିଭାଗୀୟ ସଚିବ । ହେଲେ ରାଜସ୍ବ ବିଭାଗ ପରି ମୁଖ୍ୟମନ୍ତ୍ରୀଙ୍କ ବିଭାଗରେ ସବୁ ଢିଲାପଣ ଦେଖିବାକୁ ମିଳୁଛି । ଯାହାକୁ ନେଇ ତାଜୁବ ହୋଇଛନ୍ତି ବିଶେଷଜ୍ଞ । ଏହି ପ୍ରସଙ୍ଗକୁ ନେଇ ଏବେ ଲୋକସେବା ଭବନ, ରାଜୀବ ଭବନ, ଖାରବେଳ ଭବନରେ ଅଧିକାରୀଙ୍କ ଭିତରେ କମ୍ପନ ସୃଷ୍ଟି କରିଛି । ରାଜସ୍ବ ବିଭାଗ ସୃଷ୍ଟି କରିଥିବା ଉଦାହରଣ ଅନ୍ୟ ବିଭାଗ ଅନୁକରଣ କରନ୍ତୁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ।