ଦମଦାର ପ୍ରଦର୍ଶନ ପରେ ମଧ୍ୟ ଦଳରୁ ବିଦା ହେଲେ ଏହି ଖେଳାଳି
ନୂଆଦିଲ୍ଲୀ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଆସନ୍ତା ଶନିବାର ଠାରୁ ଗାବା ମଇଦାନରେ ଖେଳାଯିବ । ଏହି ମ୍ୟାଚ ପାଇଁ ଅଷ୍ଟେଲିଆ ତାର ପ୍ଲେଇଙ୍ଗ ଇଲେଭେନ ଘୋଷଣା କରିଛି । ବ୍ରିସବେନ ଟେଷ୍ଟ ପାଇଁ ଅଷ୍ଟେଲିଆ ତାର ଦଳରେ ଗୋଟିଏ ପରିବର୍ତ୍ତନ କରିଛି । ଡେ ନାଇଟ ମ୍ୟାଚରେ ୫ ଓ୍ବିକେଟ ନେଇଥିବା ପେସ ବୋଲର ସ୍କଟ ବୋଲାଣ୍ଡଙ୍କୁ ଦଳରୁ ବାହାର କରିଦିଆଯାଇଛି । ସେ ପୂର୍ବ ମ୍ୟାଚରେ ଭଲ ପ୍ରଦର୍ଶନ କରି ଭାରତର ତିନିଜଣ ବଡ ଖେଳାଳି ରୋହିତ ଶର୍ମା, ବିରାଟ କୋହଲି ଓ ଯଶଶ୍ବୀ ଜୟସ୍ବାଲଙ୍କୁ ଆଉଟ କରିଥିଲେ । କିନ୍ତୁ ଏହି ମ୍ୟାଚରେ ତାଙ୍କୁ ଦଳରୁ ବାହାର କରି ଦିଆାଯାଇଛି । ତାଙ୍କ ସ୍ଥାନରେ ସୁସ୍ଥ ହୋଇ ଫେରିଥିବା ବୋଲର ଜୋଶ୍ ହେଜେଲଉଡଙ୍କୁ ଦଳ ଚୟନ କରିଛି । ଉଭୟ ଦଳ ଦୁଇଟି ମ୍ୟାଚ ଖେଳି ଗୋଟିଏ ଗୋଟିଏ ମ୍ୟାଚ ଜିତିଛନ୍ତି । ପର୍ଥରେ ଖେଳା ଯାଇଥିବା ମ୍ୟାଚରେ ଭାରତ ବିଜୟଲାଭ କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ୧୦ ଓ୍ବିକେଟରେ ଭାରତକୁ ପରାସ୍ତ କରିଥିଲା ।
ବିସ୍ଫୋରକ ବୋଲର ସ୍କଟ୍ ବୋଲାଣ୍ଡ ଆଡିଲେଡ ଟେଷ୍ଟରେ ୫ଟି ଓ୍ବିକେଟ ନେଇଥିଲେ। ସେ ଦ୍ବିତୀୟ ଟେଷ୍ଟର ପ୍ରଥମ ଇନିଙ୍ଗସରେ ଶୁଭମନ୍ ଗିଲ ଓ କ୍ୟାପଟେନ ରୋହିତ୍ ଶର୍ମାଙ୍କୁ ତାଙ୍କ ଶୀକାର କରିଥିଲେ । ଦ୍ବିତୀୟ ପାରିରେ ମଧ୍ୟ ସେ ନିଜର ଭଲ ବୋଲିଙ୍ଗ ବଳରେ ଭାରତର ଓପନର ଯଶସ୍ବୀ ଜୟସଓ୍ବାଲ, ବିରାଟ କୋହଲି ଓ ମହମ୍ମଦ ସିରାଜଙ୍କୁ ଆଉଟ୍ କରି ଭାରତର ପରାଜୟର କାରଣ ସାଜିଥିଲେ । ସ୍ୱାସ୍ଥ୍ୟଗତ କାରଣରୁ ଦ୍ବିତୀୟ ଟେଷ୍ଟ ମ୍ୟାଚରୁ ବାଦ୍ ପଡିଥିବା ଜୋଶ୍ ହେଜଲଉଡ ତୃତୀୟ ଟେଷ୍ଟ ପାଇଁ ଦଳକୁ ଫେରିଛନ୍ତି । ହେଜଲଉଡ ଏବେ ପୁରା ଫିଟ୍ ଥିବା ନେଇ ଦଳ ପକ୍ଷରୁ ସୂଚନା ମିଳିଛି ।
ଭାରତ ଓ ଅଷ୍ଟଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍ ଭାରତୀୟ ସମୟ ସକାଳ ୫ଟା ୩୦ମିନିଟରୁ ଖେଳାଯିବ । ବ୍ରିସବେନର ଗାବାରେ ଭାରତ ଓ ଅଷ୍ଟ୍ରେଲିଆ ୮ମ ଥର ପାଇଁ ମୁହାଁମୁହିଁ ହେବେ । ଏହି ପିଚରେ ଭାରତର ପ୍ରଦର୍ଶନ ବହୁତ ଖରାପ ରହିଛି ।