ବିଧାନସଭାରେ ୱାଲଟିଅର ଡିଭିଜନକୁ ନେଇ ଆରୋପ ପ୍ରତ୍ୟାରୋପ ଓ କଥା କଟାକଟି

1 min read

ଭୁବନେଶ୍ବର : ବିଧାନସଭାରେ ୱାଲଟିୟର ଝଡ଼ । ପୂର୍ବତଟ ରେଳପଥକୁ ସଙ୍କୁଚିତ ପାଇଁ ବିଜେପିର ଷଡ଼ଯନ୍ତ୍ର । ବିଜେଡି କହିଲା, ୨୦ ହଜାର କୋଟି ଟଙ୍କା ରାଜସ୍ବ ହରାଇବ ଓଡିଶା । ରେଳମନ୍ତ୍ରୀ ଉପରେ ବର୍ଷିଲା କଂଗ୍ରେସ । ରାଜ୍ୟ ସ୍ବାର୍ଥ ଭୁଲି ଓକିଲାତି କଲା ବିଜେପି । ୱାଲଟିୟର ଡିଭିଜନକୁ ବିଶାଖାପାଟଣାରେ ମିଶାଇଦେବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡା ଭାଷାରେ ସମାଲୋଚନା କରିଛି ବିଜେଡି । ଶୂନ୍ୟକାଳରେ ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏ ପ୍ରସଙ୍ଗ ଉଠାଇ ଡବଲ ଇଞ୍ଜିନ ସରକାର ଓଡ଼ିଶା ବିରୋଧରେ ଷଡଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି । ରଣେନ୍ଦ୍ରଙ୍କ ଟାର୍ଗେଟରେ କେନ୍ଦ୍ର ରେଳମନ୍ତ୍ରୀ । ସେ ସିଧାସିଧା ଅଭିଯୋଗ କରିଛନ୍ତି ଯେ ରେଳମନ୍ତ୍ରୀ ଓଡିଶା ପ୍ରତି ବେଇମାନି କରୁଛନ୍ତି । ଲଜ୍ଜା ଲାଗୁଛି ଆମେ ତାଙ୍କୁ ଭୋଟ ଦେଇ ଦିଲ୍ଲୀ ପଠାଇଛୁ । ୱାଲଟିଅର ଡିଭିଜନ ଯଦି ସାଉଥ ସେଣ୍ଟ୍ରାଲ ରେଲୱେ, ବିଶାଖାପାଟଣା ସହିତ ମିଶାଇ ଦିଆଯାଏ ତେବେ ୨୦ ହଜାର କୋଟି ଟଙ୍କା ଓଡିଶାର ରାଜସ୍ବ ହାନି ହେବ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଶୀର୍ବାଦରେ ପୂର୍ବତଟ ରେଳପଥ ହୋଇଥିଲା । ତେଣୁ ତୁରନ୍ତ କେନ୍ଦ୍ର ସରକାର ଏହି ନିଷ୍ପତ୍ତିରୁ ଓହରିଯିବାକୁ ଗୃହରେ ଦାବି କରିଛନ୍ତି ବିଜେଡିର ବରିଷ୍ଠ ବିଧାୟକ  ।

ବିଜେଡି ସହ ଶୂନ୍ୟକାଳରେ ସ୍ଵର ମିଳାଇଥିଲା କଂଗ୍ରେସ୍  । ଆନ୍ଧ୍ର ପାଇଁ ୱାଲଟିୟର ଡିଭିଜନକୁ ବିଶାଖାପାଟଣାରେ ମିଶାଇଦେବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଦୁର୍ଭାଗ୍ୟଜନକ ବୋଲି ଦଳ କହିଛି  । ତୁରନ୍ତ ଏ ନିଷ୍ପତ୍ତିରୁ ସରକାର ଓହରିଯାଆନ୍ତୁ l ରେଳମନ୍ତ୍ରୀ ଓଡିଶାର ହୋଇ କିପରି ଓଡ଼ିଶା ସ୍ବାର୍ଥ ବିରୋଧୀ କାମ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ  । ୱାଲଟିୟର ଡିଭିଜନ ଯଦି ଆନ୍ଧ୍ରକୁ ଯାଏ ତାହା ଚିନ୍ତାଜନକ । ଏଥିରେ ଓଡିଶା ତାହାର ହକ ହରାଇବ l ଓଡିଶାର ଖଣି, ପାଣି ଲୁଟ କରିବାକୁ ବିଜେପି ସରକାର ଚେଷ୍ଟା ଚଳାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି l ସେପଟେ ପୂର୍ବତଟ ରେଳବାଇ ପ୍ରସଂଗରେ ବିରୋଧୀଙ୍କ ଅଭିଯୋଗର ଜବାବ ଦେଇଛି ଶାସକ ଦଳ  । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ କହିଛନ୍ତି ଯେ ଓଡିଶାର ଗୋଟେ ଇଞ୍ଚ ମଧ୍ୟ ଅଲଗା ରାଜ୍ୟକୁ ଯିବ ନାହିଁ | ଇଷ୍ଟ କୋଷ୍ଟ ତିନୋଟି ଡିଭିଜନକୁ ନେଇ ଚାଲିବ  ।
ପୂର୍ବତଟ ରେଳବାଇରୁ ୱାଲଟିୟର ଡିଭିଜନକୁ ବିଚ୍ଛିନ୍ନ କରିବା ଏବଂ ଏହାକୁ ଦକ୍ଷିଣ କେନ୍ଦ୍ରୀୟ ରେଳଜୋନ ସହିତ ମିଶ୍ରଣ କରିବାର ନିଷ୍ପତ୍ତିକୁ ନେଇ ପୂରା ଓଡ଼ିଶାରେ ଉଦବେଗ ପ୍ରକାଶ ପାଇଛି l ହେଲେ ଡବଲ ଇଞ୍ଜିନ ସରକାର ଏହାକୁ ଅଣଦେଖା କରି ନିଷ୍ପତ୍ତି ଉପରେ ଓକିଲାତି କରିଛି l ଯାହାକୁ ନେଇ ବିଜେପିକୁ ନିଶାଣ କରିଛନ୍ତି ଦୁଇ ବିରୋଧୀ l ୧୯୯୬ରେ ପ୍ରତିଷ୍ଠା ପରଠାରୁ, ପୂର୍ବତଟ କ୍ରମାଗତ ଭାବରେ ଭାରତୀୟ ରେଳବାଇରେ ସର୍ବାଧିକ ରାଜସ୍ୱ ଯୋଗଦାନକାରୀଙ୍କ ମଧ୍ୟରେ ସ୍ଥାନୀତ ହୋଇଛି । ୱାଲ୍ଟିୟର ଡିଭିଜନର ଅପସାରଣ ପୂର୍ବତଟ ରେଳବାଇକୁ ଯଥେଷ୍ଟ ଦୁର୍ବଳ କରିବ । ଏହାର କାର୍ଯ୍ୟକଳାପ ଏବଂ ଓଡିଶାର ବିକାଶରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ବିପଦରେ ପକାଇବ ବୋଲି ନେତା ଯୁକ୍ତି ବାଢ଼ିଛନ୍ତି  ।