ବୋରଓ୍ବେଲରୁ ଉଦ୍ଧାର ହୋଇପାରୁନି ୫ ବର୍ଷର ଶିଶୁ, ବଢ଼ିବାରେ ଲାଗିଛି ଜଳସ୍ତର
ନନ୍ଦିଘୋଷ ବ୍ୟୁରୋ: ରାଜସ୍ଥାନରୁ ପୁଣି ଆସିଛି ଏକ ବୋରଓ୍ବେଲ ଟ୍ରାଜେଡି । ୧୪୭ ଫୁଟ୍ ଗଭୀର ବୋରଓ୍ବେଲରେ ଫସିଛି ୫ ବର୍ଷର ଶିଶୁ । ସୋମବାର ଅପରାହ୍ନରୁ ଫସି ରହିଥିବା ଶିଶୁକୁ ଉଦ୍ଧାର ପାଇଁ ଜାରି ରହିଛି ଅପରେସନ । ଜେସିବି ସାଙ୍ଗକୁ ମେସିନ ଲଗାଇ ଯୁଦ୍ଧକାଳିନ ଭିତ୍ତିରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଶେଷ ଖବର ସୁଦ୍ଧା ଜଣା ଯାଇଛି କି, ବୋରଓ୍ବେଲରେ ଏବେ ଜଳସ୍ତର ବଢ଼ି ଯାଇଛି । ଯାହାଦ୍ବାରା ଶିଶୁକୁ ଉଦ୍ଧାର କିପରି କରାଯିବ ତାକୁ ନେଇ ଚିନ୍ତା ଦେଖାଯାଇଛି । ଏନଡିଆରଏଫ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ମଙ୍ଗଳବାର ମନ୍ତ୍ରୀ କିରୋରିଲାଲ ମିନା ଯାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ମଙ୍ଗଳବାର ରାତି ସୁଦ୍ଧା ୬ଟି ପ୍ରୟାସ କରାଯାଇଛି । କିନ୍ତୁ ଏଯାବତ ସଫଳ ହୋଇନାହିଁ । ସେପଟେ ରାତି ୩ଟାରେ ପାଇଲିଂ ମେସିନରେ ଖୋଳାଖୋଳି ଆରମ୍ଭ ହୋଇଛି । ବୋରଓ୍ବେଲ ନିକଟରେ ପହଞ୍ଚିଥିବାବେଳେ ଏବେ କିଭଳି ଭାବେ ଉଦ୍ଧାର କରାଯିବ ? ତାହାକୁ ନେଇ ଚିନ୍ତା ବଢ଼ିଛି । ତଥାପି ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲିଛି ।