କେବେ ଗଠନ ହେବ ଅଷ୍ଟମ ବେତନ କମିଶନ ?

ନନ୍ଦିଘୋଷ ବ୍ୟୁରୋ: କେବେ ଗଠନ ହେବ ଅଷ୍ଟମ ବେତନ କମିଶନ ? କେନ୍ଦ୍ର ସରକାରୀ କର୍ମଚାରୀ ସଂଘ କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ବାରମ୍ବାର ଚିଠି ଲେଖିଲେ ବି ଉତ୍ତର ମିଳୁନି । ୨୦୨୬ ଜାନୁଆରୀ ପହିଲାରୁ ଅଷ୍ଟମ ବେତନ କମିଶନ ଲାଗୁ ହେବ । ହେଲେ ନିହଲ ବସିଛନ୍ତି କେନ୍ଦ୍ର ସରକାର । ସଂସଦରେ ବି ଉତ୍ତର ମିଳୁନି । ଯାହାକୁ ନେଇ ୨୦ ଲକ୍ଷ କର୍ମଚାରୀଙ୍କ ଭିତରେ ଅସନ୍ତୋଷ ଦାନା ବାନ୍ଧୁଛି । ଅଭିଯୋଗ ହୋଇଛି, ଖୋଦ ସପ୍ତମ ବେତନ କମିଶନଙ୍କ ସୁପାରିସକୁ ବି ଏଡାଇଯାଉଛନ୍ତି କେନ୍ଦ୍ର ସରକାର । ସେପଟେ କେନ୍ଦ୍ର ସରକାର ଦରମା ବୃଦ୍ଧି କଲା ପରେ ରାଜ୍ୟମାନେ ପଦକ୍ଷେପ ନେବେ । ରାଜ୍ୟ ସରକାରୀ କର୍ମଚାରୀ ବି କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତିକୁ ଗ୍ରହଣ କରିପାରୁନାହାନ୍ତି ।

ଫି ଦିନ ବଢୁଛି ବଜାର ଦର । ହେଲେ ଦରମା ବଢିବ ୧୦ ବର୍ଷରେ ଥରେ । ମହଙ୍ଗା ଭତ୍ତା ଟପିଲାଣି ୫୦ ପ୍ରତିଶତ । ଏଯାଏ ଗଠନ ହେଲାନି ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନ । କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କୁ ଏକାଧିକ ଚିଠି ଲେଖିଲେ ବି ମିଳୁନି ଉତ୍ତର । କେନ୍ଦ୍ର ସରକାରଙ୍କ ବିରୋଧରେ ଏପରି ମାଳ ମାଳ ଅଭିଯୋଗ କଲେଣି ସରକାରୀ କର୍ମଚାରୀ । କେବେ ଗଠନ ହେବ ଅଷ୍ଟମ ବେତନ କମିଶନ ? ସଂସଦରେ ଏହାର ଉତ୍ତର ମିଳୁଛି ନା କର୍ମଚାରୀ ସଂଘ ଚିଠି ଲେଖିଲେ ମିଳୁଛି ଜବାବ । ଖୋଦ ସପ୍ତମ ବେତନ କମିଶନଙ୍କ ସୁପାରିସକୁ ଏଡ଼ାଇଯାଉଛନ୍ତି ଏବର କେନ୍ଦ୍ର ସରକାର ।

ଏବେ କେନ୍ଦ୍ର ସରକାରଙ୍କ କର୍ମଚାରୀ ପାଉଛନ୍ତି ୫୩ ପ୍ରତିଶତ ମହଙ୍ଗା ଭତ୍ତା । ସପ୍ତମ ବେତନ ଆୟୋଗ ନିୟମ କରିଥିଲେ, ଯେତେବେଳେ ସରକାରୀ କର୍ମଚାରୀଙ୍କ ଦରମା ୫୦ ପ୍ରତିଶତ ଟପିବ ସେତେବେଳେ ବେତନ କମିଶନ ଗଠନ ନହେବା ସ୍ଥଳେ ମହଙ୍ଗାଭତ୍ତା ୫୦ ପ୍ରତିଶତ କର୍ମଚାରୀଙ୍କ ମୂଳ ଦରମାରେ ମିଶାଯାଇ ମହଙ୍ଗା ଭତ୍ତା ପ୍ରଦାନ କରାଯିବ । ଯାହା ଏପର୍ଯ୍ୟନ୍ତ ହୋଇନି । କେନ୍ଦ୍ର ସରକାରଙ୍କ ଟିକସ ରାଜସ୍ବ ୨୦୧୫ରୁ ୨୦୨୩ ଭିତରେ ଦୁଇଗୁଣ ବଢିଲାଣି । ସେପଟେ ବଜାରରେ ଦର ବଢିଛି ୮୦ ପ୍ରତିଶତ । ପୂର୍ବତନ ସରକାରୀ କର୍ମଚାରୀ ଓ ବାମଦଳ ନେତାଙ୍କ ଅଭିଯୋଗ ଏବର କେନ୍ଦ୍ର ସରକାର ଲଗାତାର ଭାବେ ସରକାରୀ କର୍ମଚାରୀଙ୍କ ସ୍ବାର୍ଥକୁ ଅଣଦେଖା କରିଆସୁଛନ୍ତି  ।

ଅଷ୍ଟମ ବେତନ କମିଶନ ଗଠନ ୬ ମାସ ତଳୁ ହେବା କଥା । ୨୦୨୬ ଜାନୁଆରୀ ପହିଲାରୁ ନୂଆ ବେତନ କମିଶନ ଲାଗୁ ହେବ । ବେତନ କମିଶନ ସରକାରଙ୍କୁ ସୁପାରିସ କରିବାର ୩ରୁ ୬ ମାସ ପରେ ବେତନ ବୃଦ୍ଧି ନେଇ ସରକାର ଘୋଷଣା କରନ୍ତି । ନିୟମ ଦୃଷ୍ଟିରୁ ସପ୍ତମ ବେତନ କମିଶନ ଅବଧି ପୂରିବାର ୨ ବର୍ଷ ପୂର୍ବରୁ ଅଷ୍ଟମ ବେତନ କମିଶନ ଗଠନ ହେବା କଥା । ଏହି ନିୟମ ୧୯୮୪ ମସିହା ଚତୁର୍ଥ ବେତନ କମିଶନ ଗଠନ ହେବା ପରଠୁ ଲାଗୁ ହୋଇଆସୁଛି । ସେପଟେ କେନ୍ଦ୍ର ସରକାରଙ୍କ ବେତନ କମିଶନଙ୍କୁ ଅନାଇ ବସିଛନ୍ତି ରାଜ୍ୟ ସରକାରୀ କର୍ମଚାରୀ । ବିଶେଷକରି ଓଡ଼ିଶାରେ ୪ ଲକ୍ଷ ସରକାରୀ କର୍ମଚାରୀ ଓ ୩ ଲକ୍ଷ ପେନ୍ସନ୍ ଭୋଗୀଙ୍କ ସ୍ବାର୍ଥକୁ ମଧ୍ୟ କେନ୍ଦ୍ର ସରକାର ଏକ ପ୍ରକାର ଅଟକାଇ ଦେଇଥିବା ଅଭିଯୋଗ ହୋଇଛି ।

ନୂଆ ବେତନ କମିଶନ ଗଠନକୁ ଆଉ ମାତ୍ର ବର୍ଷେ ସମୟ । କମିଶନ ଗଠନ ହେବ କି ନାହିଁ । ନା ବିନା ବେତନ କମିଶନରେ କେନ୍ଦ୍ର ସରକାର କର୍ମଚାରୀଙ୍କ ଦରମା ବୃଦ୍ଧି କରିବା ନିଷ୍ପତ୍ତି ନେବେ  । ଯଦି ନିୟମରେ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତାହେଲେ କେବେ କରିବେ ? ଏ ନେଇ କେନ୍ଦ୍ର ସରକାର ସ୍ପଷ୍ଟ କରିବାକୁ କର୍ମଚାରୀ ମହଲରେ ଦାବି ଉଠିଛି ।