ଗଲଫ୍ ବ୍ୟାଙ୍କ ଠାରୁ ୭ଶହ କୋଟି ହଡ଼ପ କରି ଭାରତରେ ଲୁଚିଛନ୍ତି କେରଳ ନର୍ସ !
ଥିରୁଅନନ୍ତପୁରମ: କୁଏତରୁ ପାଖାପାଖି ୭୦୦ କୋଟି ଟଙ୍କାର ବ୍ୟାଙ୍କ ଜାଲିଆତି ମାମଲା ସାମନାକୁ ଆସିଛି । ପାଖାପାଖି ୧୪୨୫ ଜଣ ଏହି ଜାଲିଆତିରେ ସାମିଲ ଅଛନ୍ତି । ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ନର୍ସ । ସମସ୍ତ ଅଭିଯୁକ୍ତ କେରଳ ବାସିନ୍ଦା ହୋଇଥିବା ବେଳେ ଚାକିରି କରିବା ପାଇଁ କୁଏତ ଯାଇଥିଲେ । ଗଲ୍ଫ ବ୍ୟାଙ୍କରୁ ଋଣ ଆଣିବା ପରେ ବିନା ପରିଶୋଧ କରି ସେମାନେ କୁଏତ ଛାଡି ଦେଇଛନ୍ତି। ଋଣ ଆଣି କିଛି ଲୋକେ ଭାରତ ତ ଆଉ କିଛି କାନାଡା, ଅଷ୍ଟ୍ରେଲିଆ ଓ ଅନ୍ୟ ଇୁଉରୋପୀୟ ଦେଶ ଫେରାର ହୋଇଯାଇଛନ୍ତି । ଗଲ୍ଫ ବ୍ୟାଙ୍କର ଡେପୁଟି ମ୍ୟାନେଜର ଏ ନେଇ କେରଳ ପୋଲିସରେ ଅଭିଯୋଗ କରିବା ପରେ ପୋଲିସ ୧୦ଟି ଏଫଆଇଆର ରୁଜୁ କରିଛି ।
ଏହି ନର୍ସ ମାନଙ୍କ ମଧ୍ୟରୁ ଜଣେ କେରଳ ଫେରି ଏକ ଆଲିଶାନ ଆପାର୍ଟମେଣ୍ଟ କିଣିଛନ୍ତି । ସେ କେରଳର ଏକ ହସ୍ପିଟାଲରେ ଏବେ କାମ କରିୁଛନ୍ତି । କଲମସେରୀର ସାଫିକ ଅଲ୍ଲୀଙ୍କ ବିରୋଧରେ ୧.୨୫ କୋଟି ଟଙ୍କା ଓ ଡେଲନା ଥଙ୍କାଚନଙ୍କ ବିରୋଧରେ ୯୩.୧୦ ଲକ୍ଷ ଟଙ୍କାର ମାମଲା ରୁଜୁ ହୋଇଛି । ଏହି ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୪୨୦ ଓ ୪୦୬ ଆଧାରରେ ଅପରାଧିକ ଓ ବିଶ୍ବାସଘାତକତା ମାମଲା ରୁଜୁ ହୋଇଛି ।
ଖାସ କଥା ହେଉଛି ଯେ ଗଲ୍ଫ ବ୍ୟାଙ୍କ ବିନା କିଛି ଗ୍ୟାରେଣ୍ଟିରେ ସେମାନଙ୍କୁ ଋଣ ଦେଇଥିଲା । କୁଏତରେ ନିଯୁକ୍ତି ଖର୍ଚ୍ଚ ପାଇଁ ଅଧିକାଂଶ ଲୋକେ ଋଣ କରିଥାନ୍ତି । ସେମାନଙ୍କ ମଧ୍ୟରୁ ନର୍ସଙ୍କ ସଂଖ୍ୟା ସର୍ବାଧିକ ରହିଛି ବୋଲି ବ୍ୟାଙ୍କ୍ କହିଛି ।
ବ୍ୟାଙ୍କ୍ ଏହି ଡିଫଲ୍ଟରଙ୍କ ବିରୋଧରେ ଭାରତରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଇନ ଫାର୍ମଙ୍କ ଠୁ ପରାମର୍ଶ ନେଇଛି । କାରଣ ଏହି ଜାଲିଆତି କୁଏତରେ ହୋଇଛି । ଜଣେ ପୋଲିସ ଅଧିକାରୀ କହିଛନ୍ତି ବିଦେଶରେ ଅପରାଧ ହେବା ପରେ ବି ଭାରତୀୟ ଆଇନ ବ୍ୟବସ୍ଥା ମକଦ୍ଦମା ଚଲାଇବା ପାଇଁ ଅନୁମତି ଦେଇଥାଏ । ଗଲ୍ଫ ବ୍ୟାଙ୍କ ଅଭିଯୁକ୍ତଙ୍କ ପରିଚୟ ଖୋଜି କଲମସେରୀ, ନଜରାକଲ, ବରପୋଝା, କଲାଡେ, ମୁବତୁପୁଝା, ଓନ୍ନୁକଲ, କୋଡାନାଡ ଓ କୁମାରକୋମ ସହ ବିଭିନ୍ନ ଜିଲ୍ଲାର ଥାନାରେ ମାମଲା ରୁଜୁ କରିଛି ।