ଦେଶରେ ଭୂତଳ କୋଇଲା ଖନନ ଉତ୍ସାହଜନକ ନୁହେଁ
1 min readଭୁବନେଶ୍ବର: ଦେଶରେ ଭୂତଳ କୋଇଲା ଖନନ ଉତ୍ସାହଜନକ ନୁହେଁ । ୨୦୨୩-୨୪ ଆର୍ଥିକ ବର୍ଷରେ ମାତ୍ର ୩.୪୪ ପ୍ରତିଶତ କୋଇଲା ଖଣିରେ ଭୂତଳ କୋଇାଲା ଖନନ ହୋଇଛି । ଏବେ ଭୂତଳ କୋଇଲା ଖନନ ପ୍ରକ୍ରିୟାରେ ମାତ୍ର ୩୪.୩୩ ମେଟ୍ରିକ ଟନ କୋଇଲା ଉତ୍ପାଦନ ହେଉଥିବା ବେଳେ ୨୦୩୦ ସୁଦ୍ଧା ଏହି ପ୍ରକ୍ରିୟାରେ ୧୦୦ ମେଟ୍ରିକ ଟନ କୋଇଲା ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି । ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି. କିଷନ ରେଡ୍ଡୀ ।
ପରିବେଶ ପ୍ରଦୂଷଣକୁ ରୋକିବାକୁ ଚାଇନାରେ ୯୮ ପ୍ରତିଶତ ଖଣିରେ ଭୂତଳ ଖନନ ପ୍ରକ୍ରିୟାରେ କୋଇଲା ଉତ୍ପାଦନ କରାଯାଉଛି । ଭାରତରେ ସେହିଭଳି ଭୂତଳ କୋଇଲା ଉତ୍ପାଦନକୁ କେନ୍ଦ୍ର ସରକାର ପ୍ରୋତ୍ସାହିତ କରୁଛନ୍ତି କି ନାହିଁ ସେ ନେଇ ପ୍ରଶ୍ନ କରିଥିଲେ ମାନସ ମଙ୍ଗରାଜ । ଏଥିସହ କେନ୍ଦ୍ର ସରକାର ଓପନ-କାଷ୍ଟ ମାଇନିଂ ଦ୍ବାରା ବାୟୁମଣ୍ଡଳ ଉପରେ ପଡୁଥିବା ପ୍ରଭାବର ଆକଳନ କରିଛନ୍ତି କି ବୋଲି ମଧ୍ୟ ସେ ପ୍ରଶ୍ନ କରିଥିଲେ । ଓପନ କାଷ୍ଟ ମାଇନିଂ ଦ୍ବାରା ବାୟୁମଣ୍ଡଳ, ଜଳ ଉତ୍ସଗୁଡିକ ପ୍ରଭାବିତ ହେବା ସହ ଶବ୍ଦ ପ୍ରଦୂଷଣ ମଧ୍ୟ ହେଉଛି । ଏହାକୁ ନିୟନ୍ତ୍ରିତ କରିବାକୁ କୋଇଲା କମ୍ପାନୀଗୁଡିକୁ କେନ୍ଦ୍ର ଜଙ୍ଗଲ ପରିବେଶ ନିୟମାବଳୀକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ କହିଛନ୍ତି ।