ରାଉରକେଲା ବନ ବିଭାଗର ଅଭିନବ ଉଦ୍ୟମ, ହାତୀଙ୍କୁ ଜଗୁଛି AI କ୍ୟାମେରା

1 min read

ରାଉରକେଲା: ହାତୀଙ୍କ ସୁରକ୍ଷା ଦେଉଛି AI କ୍ଯାମେରା । ବନ ବିଭାଗ ପକ୍ଷରୁ ୪ଟି ସ୍ଥାନରେ କ୍ଯାମେରା ଲାଗିବା ପରେ ହାତୀଙ୍କ ଗତିବିଧି ଉପରେ ନଜର ରଖିବାରେ ହେଉଛି ସହାୟକ । ଫଳରେ ହାତୀ ମଣିଷ ଲଢେଇରେ ବ୍ରେକ ଲାଗିଥିବାବେଳେ ବଞ୍ଚି ଯାଉଛି ଧନଜୀବନ । ହାତୀ, ଟ୍ରେନ ଲାଇନ ପାର ହେବା ବେଳେ ରେଳବାଇକୁ ସୂଚନା ଦିଆଯାଉଥିବା କହିଛନ୍ତି ଡିଏଫଓ ।

ହାତୀଙ୍କଗତିବିଧି ଉପରେ ନଜର ରଖିବା ସହ ସୁରକ୍ଷା ଦେଉଛି AI କ୍ୟାମେରା । ଲାଇନ ପାରବେଳେ ମିଳୁଛି ସୂଚନା । ସତର୍କ ହେଉଛନ୍ତି ରେଳ କର୍ତ୍ତୃପକ୍ଷ । ହାତୀ ମଣିଷ ଲଢେଇ ରୋକିବା ସହ ଟ୍ରେନ ଦୁର୍ଘଟଣାରେ ହାତୀ ମୃତ୍ୟୁ ରୋକିବା ପାଇଁ ରାଉରକେଲା ବନ ବିଭାଗ ପକ୍ଷରୁ କରାଯାଇଛି ସ୍ବତନ୍ତ୍ର ଉଦ୍ଯମ । ରାଜ୍ୟରେ ପ୍ରଥମ କରି ୪ଟି ସ୍ଥାନରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI କ୍ୟାମେରା ଲଗାଯାଇଛି । ବିଶେଷକରି ଅଧିକ ସଂଖ୍ୟକ ହାତୀ ଚଳାଚଳ କରୁଥିବା ସୁନ୍ଦରଗଡ଼ ଜିଲ୍ଲାର ଲାଠିକଟାର ଡଲାକୁଦର, ଚାନ୍ଦୋପୋଷ, ମହିପାଣି ଓ ସୋନାଖାନ ନିକଟରେ ୧୨୦ ଫୁଟ ଉଚ୍ଚତାର ଟାୱାର ନିର୍ମାଣ କରାଯାଇ କ୍ୟାମେରା ଲଗାଯାଇଛି । ଏହାଦ୍ବାର ୫ କିଲୋମିଟର ଦୂର, ୩୬୦ ଡିଗ୍ରୀର ଦୃଶ୍ୟ ରେକର୍ଡ ହୋଇପାରୁଛି । ହାତୀପଲ ରେଲୱେ ଟ୍ରାକ ପାଖକୁ ଆସିଲେ ତୁରନ୍ତ ଟ୍ରେନ ଚଳାଚଳ ବନ୍ଦ କରାଯାଇ ପାରୁଛି ବୋଲି କହିଛନ୍ତି ରାଉରକେଲା ଡିଏଫଓ ଯଶୋବନ୍ତ ସେଠୀ ।

ହାତୀପଲଙ୍କ ଉପରେ ନଜର ରଖିବାକୁ ଡିଏଫଓଙ୍କ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ହାତୀଙ୍କୁ ସୁରକ୍ଷିତ ଭାବେ ଜଙ୍ଗଲକୁ ଘଉଡାଇ ଲୋକଙ୍କ ଧନଜୀବନ ସୁରକ୍ଷା କରିବାରେ ସହାୟକ ହେଉଛି । ଏହାଦ୍ବାରା ଖାଲି ହାତୀପଲ ନୁହେଁ, ଅନ୍ୟ ବନ୍ୟଜନ୍ତୁଙ୍କ ଗତିବିଧି ଉପରେ ମଧ୍ଯ ନଜର ରଖାଯାଉଥିବା କହିଛନ୍ତି ଡିଏଫଓ । ରାଉରକେଲା ବନଖଣ୍ଡରେ ସଫଳତା ପରେ ଆସନ୍ତା ଦିନରେ ରାଜ୍ୟର ଅନ୍ୟ ଡିଭିଜନରେ କ୍ୟାମେରା ଲଗାଇବାକୁ ଯୋଜନା କରିଛି ବନ ବିଭାଗ ।

ନଜର ପକାନ୍ତୁ