ରାଜ୍ୟରେ ଅସୁରକ୍ଷିତ ମହିଳା: ଗୁରୁତର ସହ ନେଲେ ଜାତୀୟ ମହିଳା କମିସନ, ନିଜ ଆଡୁ ଦାଏର କରିବେ ମାମଲା
ଭୁବନେଶ୍ବର: ରାଜ୍ୟରେ ପୂର୍ବର ବିଜେଡି ସରକାରର ଫୋକସରେ ଥିଲେ ମହିଳା । ହେଲେ ଏବେର ସରକାରରେ ସେମାନ ଦିଶାହୀନ । ଗୁରୁତ୍ବ ହରାଉଥିବାରୁ ଭାଙ୍ଗୁଛି ମାଆଙ୍କ ମନୋବଳ । ବର୍ତ୍ତମାନର ବିଜେପି ସରକାର ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସ୍ବୟଂ ସହାୟିକା ଗୋଷ୍ଠୀ । ଅନ୍ୟପଟେ ରାଜ୍ୟରେ ଦୈନିକ ଆସୁଛି ମାଳ ମାଳ ନିର୍ଯାତନା ଓ ଦୁଷ୍କର୍ମ ଅଭିଯୋଗ । ଯାହାକୁ ଗୁରୁତର ସହ ନେଇଛନ୍ତି ଜାତୀୟ ମହିଳା କମିସନ । ଶୋଷଣ ମାମଲାରେ ନିଜ ଆଡୁ ମାମଲା ଦାୟର କରିବେ ବୋଲି କହିଛନ୍ତି ଜାତୀୟ ମହିଳା କମିସନ ।
ରାଜ୍ଯରେ ଅସୁରକ୍ଷିତ ହୋଇପଡିଛନ୍ତି ମହିଳା । ଦୈନିକ ମହିଳା ନିର୍ଯାତନା ଓ ଦୁଷ୍କର୍ମ ଅଭିଯୋଗ । ମହିଳାଙ୍କ ବିରୋଧରେ ଆସୁଥିବା ଏମିତି ମାଳ ମାଳ ଅଭିଯୋଗକୁ ବେଶ ଗୁରୁତର ସହ ନେଇଛନ୍ତି ଜାତୀୟ ମହିଳା କମିସନ । ଏନେଇ ସରକାରଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି କମିଶନ ସଦସ୍ଯା ଡକ୍ଟର ଅର୍ଚ୍ଚନା ମଜୁମଦାର । ଖାଲି ସେତିକି ନୁହେଁ, ଓଡ଼ିଶାରେ ମହିଳାଙ୍କ ବିରୋଧରେ ହେଉଥିବା ଶୋଷଣ ମାମଲାରେ କମିସନ ନିଜ ଆଡୁ ମାମଲା ଦାଏର କରି ଦୋଷୀଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ନେବେ ବୋଲି କହିଛନ୍ତି ଜାତୀୟ ମହିଳା କମିସନ ।
ମାଆଙ୍କ ପାଇଁ କାମ କରୁଥିଲା ବିଜେଡି ସରକାର । ଏସଏଚଜିରୁ ଏସଏମଇ, ସଶକ୍ତ ହୋଇଥିଲେ ୭୦ ଲକ୍ଷ ମହିଳା । ହେଲେ ଏବେ ଭାଙ୍ଗୁଛି ମହିଳାଙ୍କ ମନୋବଳ । ବର୍ତ୍ତମାନର ବିଜେପି ସରକାର ବିରୋଧରେ ବିଷୋଦଗାର । ଏଭଳି ପୁଳା ପୁଳା ଅଭିଯୋଗ କରିଛନ୍ତି ସ୍ବୟଂ ସହାୟିକା କର୍ମକର୍ତ୍ତା ସସ୍ମିତା ମଙ୍ଗରାଜ । ପୂର୍ବରୁ ଏସଏଚଜିଙ୍କୁ ଯେଉଁଭଳି ସରକାରୀ ସ୍ବୀକୃତି ମିଳୁଥିଲା, ବିଜେପି ସରକାର ଆସିବା ପରେ ଆଉ ମିଳୁନି ସେଭଳି ସ୍ବୀକୃତି । ବର୍ତ୍ତମାନ ସେମାନେ ନିଜର ପୂରୁଣା ସଫଳତା କଥାକୁ ଝୁରି ହେଉଛନ୍ତି । ଭୁବନେଶ୍ବରରେ ଆୟୋଜିତ ଇଣ୍ଡିଆନ କାଉନସିଲ ଫର ଏଗ୍ରିକଲଚର ରିସର୍ଚ୍ଚ ବା ଆଇସିଏଆର ତାଲିମ ଶିବିରରେ ଜାତୀୟ ମହିଳା କମିଶନ ସଦସ୍ଯାଙ୍କ ଆଗରେ ଏହିଭଳି ଅନେକ ଅଭିଯୋଗ କରିଛନ୍ତି ଏସଏଚଜି କର୍ମକର୍ତ୍ତା ।
ମହିଳାମାନେ ରାଜ୍ଯରେ କିଭଳି ସାମାଜିକ, ରାଜନୈତିକ ଓ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ ହୋଇପାରିବେ, ସେଥିପାଇଁ ଯଥେଷ୍ଟ ପଦକ୍ଷେପ ନେଇଥିଲେ ପୂର୍ବର ନବୀନ ସରକାର । ହେଲେ ଏବେ ସେଭଳି କିଛି ଦେଖିବାକୁ ମିଳିନାହିଁ ।