ପିଲାଙ୍କୁ ମୋବାଇଲ ଦେଉଥିଲେ ସାବଧାନ ! ଜୀବନ ହେଉଛି ବରବାଦ, ମସ୍ତିଷ୍କରେ ବଢିଯାଉଛି ଡୋପାମିନ

ଭୁବନେଶ୍ବର: ପିଲାଙ୍କୁ ମୋବାଇଲ ଦେଉଥିଲେ ହୋଇଯାଆନ୍ତୁ ସାବଧାନ । ସ୍ମାର୍ଟଫୋନର ମାତ୍ରାଧିକ ବ୍ୟବହାର ଯୋଗୁଁ ବିଗୁଡୁଛି ପିଲାଙ୍କ ମାନସିକ ସନ୍ତୁଳନ । ମୋବାଇଲ ନ ମିଳିଲେ ହେଉଛନ୍ତି ହିଂସ୍ର । ଏପରିକି ଅଧାରୁ ଛାଡି ଦେଉଛନ୍ତି ପାଠପଢା । ଏପରିକି ବାଛି ନେଉଛନ୍ତି ଆତ୍ମହତ୍ୟାର ରାସ୍ତା । ଅକାରଣେ ଚାଲିଯାଉଛି ଜୀବନ । ଏପରି କିଛି ପିଲାଙ୍କୁ ଭେଟିଛି ନନ୍ଦିଘୋଷ ଟିଭି । ବିଶେଷଜ୍ଞଙ୍କ ମତରେ ଭାରତରେ ୮ରୁ ୧୫ ବର୍ଷ ବୟସର ୪୦ ପ୍ରତିଶତ ପିଲା ମୋବାଇଲ ନିଶାରେ ପଡିଛନ୍ତି । ଏହାକୁ ନିୟନ୍ତ୍ରଣ କରିବାକୁ ସରକାରୀ ସ୍ତରରେ ପଦକ୍ଷେପ ନ ନିଆଗଲେ ଭବିଷ୍ୟତ ପୀଢ଼ିଙ୍କ ଜୀବନ ବରବାଦ ହୋଇଯିବ ।

ସ୍ମାର୍ଟ ଫୋନ୍ ନିଶାରେ ଯୁବବର୍ଗ । ବିଶେଷଜ୍ଞଙ୍କ ମତରେ ଭାରତରେ ୮ ବର୍ଷରୁ ୧୫ ବର୍ଷର ବୟସର ପିଲା ମୋବାଇଲ ବ୍ୟବହାର କରି ନିଜ କ୍ୟାରିୟର ବରବାଦ କରୁଛନ୍ତି । ଏପରି ପିଲାଙ୍କ ସଂଖ୍ୟା ୪୦ ପ୍ରତିଶତ । ଅଧିକ ସମୟ ଧରି ସ୍ମାର୍ଟ ଫୋନ ବ୍ୟବହାର କରିବା ଦ୍ବାରା ସେମାନଙ୍କ ମସ୍ତିଷ୍କରେ ଡୋପାମିନର ରାସାୟନିକ ସ୍ତର ବିଗିଡ଼ିଯାଏ । ଫଳରେ ସେମାନେ ହିତାହିତ ଜ୍ଞାନ ହରାଇ ବସନ୍ତି । ଯାହାକୁ କୁହାଯାଏ ନୋମୋ ଫୋବିଆ । ଛୋଟ ବୟସରୁ ପିଲାଙ୍କୁ ଖାଇବାକୁ ଦେବା ବେଳେ ମୋବାଇଲର ଭିଡିଓ ଦେଖାଇ ଖୁଆଇ ଦେଉଛନ୍ତି ମାଆ । ଫଳରେ ପିଲାଟି ବେଳୁ ତା’ର ମୋବାଇଲ ପ୍ରତି ଦୁର୍ବଳତା ମୁଣ୍ଡରେ ଘନଉଛି । ମୋବାଇଲ ବ୍ୟବହାର ନିଶାରେ ପରିଣତ ହେଲେ ସେ ତା’ର ଦୁଃଖ ସୁଖ ପରିବାର ସଦସ୍ୟଙ୍କୁ କହିବାକୁ ଚାହେଁନି । ଏକୁଟିଆ ରହିବାକୁ ପସନ୍ଦ କରେ । ଏଭଳି ଲକ୍ଷଣ ସାଂଘାତିକ । ଯଦି ଉଭୟ ପିତାମାତା କର୍ମକ୍ଷେତ୍ରକୁ ଯାଉଛନ୍ତି ତା’ହେଲେ ପିଲାଟି ଏକୁଟିଆ ପାଇ ମୋବାଇଲକୁ ତାର ସାଥି କରି ନେଉଛନ୍ତି । ଖେଳିବା ବୁଲିବା ସହିତ ଅନ୍ୟ ସାଙ୍ଗସାଥୀଙ୍କଠାରୁ ମୋବାଇଲକୁ ଅନ୍ତରଙ୍ଗ ବୋଲି ଭାବି ନେଉଛି । ଏପରି କେହି କେହି ଇଣ୍ଟରନେଟର ଅଶ୍ଲୀଳ ସାଇଟ୍ ଦେଖି ପଥଭ୍ରଷ୍ଟ ହୋଇଥାନ୍ତି । ସମୟ ଆସିଛି କୋଉ ବୟସର ପିଲା ମୋବାଇଲ ବ୍ୟବହାର କେଉଁ ପର୍ଯ୍ୟନ୍ତ କରିପାରିବେ ସରକାରୀ ସ୍ତରରେ ନିୟମ ଆସିବା ଦରକାର ।

ମୋବାଇଲ ବ୍ୟବହାରର ଭଲ ଓ ଖରାପ ଦୁଇଟି ଦିଗ ରହିଛି । ଆଜିକାଲି ସ୍କୁଲ ହୋମଓ୍ବାର୍କ ଓ ପରୀକ୍ଷା ବି ଅନଲାଇନ ଯୋଗେ କରିବାକୁ କୁହଯାଉଛି । କିନ୍ତୁ ଯେପରି ଭାବେ ଯୁବପୀଢି ମୋବାଇଲକୁ ଅଧିକ ଧ୍ୟାନ ଦେଉଛନ୍ତି ତାହା ଆଗାମୀ ଦିନରେ ଦେଶର ଭବିଷ୍ୟ ପୀଢିଙ୍କ ଜୀବନ ପ୍ରତି ବିପଦ ଆଣିପାରେ । ସେଥିପାଇଁ ଏଇ ନିକଟରେ ସ୍କୁଲ ପିଲାଙ୍କ ଲାଗି ମୋବାଇଲ ବ୍ଯାନ କରିଛି ଅଷ୍ଟ୍ରେଲିଆ ।