ବାଂଲାଦେଶୀ ନେତାଙ୍କୁ ମମତାଙ୍କ ଜବାବ: ତୁମେ ବଙ୍ଗଳା, ବିହାର ଓ ଓଡ଼ିଶା ନେବ ତ’ ଆମେ କ’ଣ ଲଲିପପ୍ ଖାଇବାକୁ ବସିଛୁ ?
କୋଲକାତା: ପଶ୍ଚିମବଙ୍ଗ, ବିହାର ଓ ଓଡ଼ିଶାକୁ ନିଜ ଦେଶରେ ମିଶାଇବା ନେଇ ବଂଲାଦେଶୀ ନେତାଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଟୁ ଜବାବ । କହିଲେ, ତୁମେ ବଙ୍ଗଲା, ବିହାର ଓ ଓଡ଼ିଶା ନେଇଗଲେ ଆମେ କ’ଣ ବସି ଲଲିପପ ଖାଇବୁ । ବାଂଲାଦେଶର ବିଏନପି ପାର୍ଟିର ସାଧାରଣ ସମ୍ପାଦକ ରୁହଲ କବିର ରିଜଓ୍ବିଙ୍କ ବୟାନର ପାଲଟା ଜବାବ ଦେଇ ଏହି ମନ୍ତବ୍ୟ ଦେଇଛନ୍ତି ମମତା ।
ରବିବାର ରିଜଓ୍ବି ଭାରତ ବିରୋଧୀ ମନ୍ତ୍ରବ୍ୟ ଦେଇ କହିଥିଲେ, ଯଦି ଭାରତ ଚଟଗାଓଁ ମାଗିବ ତେବେ ଆମେ ବଙ୍ଗଳା, ବିହାର ଓ ପଶ୍ଚିମବଙ୍ଗ ଫେରାଇ ନେବୁ । ପଶ୍ଚିମବଙ୍ଗ ବିଧାନସଭାରେ ବାଂଲାଦେଶ ସ୍ଥିତି ଉପରେ ଜବାବ ଦେଇ ମମତା କହିଥିଲେ, ଆମେ ଭାରତର ନାଗରିକ । ଯଦି ବଙ୍ଗଳା, ବିହାର ଓ ଓଡ଼ିଶା ନେବାକୁ ତୁମର ସାହସ ଅଛି ତେବେ କ’ଣ ଆମେ ଏଠି ଲଲିପପ୍ ଖାଇବାକୁ ବସିଛୁ ।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ବିଜେପି ନେତା ସୁଭେନ୍ଦୁ ଅଧିକାରୀ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚର ବିରୋଧରେ ଏକ ଅଭିଯାନ ଆରମ୍ଭ କରିଛନ୍ତି । ଏହାର ପ୍ରତିବାଦରେ ହେଉଥିବା ବିରୋଧ ପ୍ରଦର୍ଶନର ସେ ନେତୃତ୍ବ ନେଉଛନ୍ତି । ଯାହାକୁ ପଶ୍ଚିମବଙ୍ଗର ବିଭିନ୍ନ ସମ୍ପ୍ରଦାୟଙ୍କ ସମର୍ଥନ ମିଳୁଛି ଓ ଏହାସହ ବିଜେପି ପ୍ରତି ମଧ୍ୟ ଲୋକଙ୍କ ସମର୍ଥନ ବଢ଼ିବାରେ ଲାଗିଛି । ବିଜେପିର ଏହି ଅଭିଯାନକୁ ଚେକ୍ ମେଣ୍ଟ ଦେବାକୁ ମମତା ଏମିତି ମନ୍ତବ୍ୟ ଦେଇଥିବା ଚର୍ଚ୍ଚା ହେଉଛି ।
ବାଂଲାଦେଶୀ ନେତାଙ୍କ ଭାରତ ବିରୋଧୀ ବୟାନବାଜିକୁ ନେଇ ମମତା ରାଜ୍ୟବାସୀଙ୍କୁ କହିଛନ୍ତି ଶାନ୍ତ ଓ ସ୍ଥିର ରୁହନ୍ତୁ ଏବଂ ମାନସିକ ଶାନ୍ତି ବଜାଇ ରଖନ୍ତୁ । ବାଂଲାଦେଶୀ ନେତାଙ୍କ ଏପରି ମନ୍ତବ୍ୟରେ ପ୍ରଭାବିତ ହୁଅନ୍ତୁ ନାହିଁ । ଏହାସହ ସେ କହିଛନ୍ତି, ଆମ ରାଜ୍ୟର ଇମାମାମାନେ ମଧ୍ୟ ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚରକୁ ନିନ୍ଦା କରିଛନ୍ତି ।
ମମତା ଆଗକୁ କହିଥିଲେ, ପଶ୍ଚିମବଙ୍ଗ ହେଉଛି ପ୍ରଥମ ରାଜ୍ୟ, ଯେଉଁଠି ସବୁ ସମ୍ପ୍ରଦାୟର ଲୋକେ ମିଶି ବାଂଲାଦେଶ ସ୍ଥିତି ଉପରେ ବିରୋଧ ପ୍ରଦର୍ଶନ କରିଥିଲେ । ବିପକ୍ଷଙ୍କୁ ଟାର୍ଗେଟ କରିବା ଆଳରେ ମମତା କହିଥିଲେ, ଏମିତି କିଛି କରନ୍ତୁ ନାହିଁ, ଯାହାଦ୍ବାରା ପଶ୍ଚିମବଙ୍ଗର ସ୍ଥିତି ବିଗିଡ଼ି ଯିବ । ଏହାସହ ବାଂଲାଦେଶ ଉପରେ କିଛି ଖବର ପ୍ରସାରଣ କରିବା ବେଳେ ଦାୟିତ୍ବବାନ ଭାବେ ପ୍ରସାରଣ କରିବାକୁ ଗଣମାଧ୍ୟମକୁ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ସେ ଉତ୍ତର ପ୍ରଦେଶ କଥା ଉଠାଇ ଗଣମାଧ୍ୟମକୁ କହିଥିଲେ, ଏହା ୟୁପି ନୁହେଁ, ଆମେ ତୁମ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇ ଦେବୁ । ହେଲେ ପଶ୍ଚିମବଙ୍ଗ ଓ ଏହାର ଲୋକଙ୍କ ହିତ ପାଇଁ କାମ କରନ୍ତୁ । ଆମ ଦଳ ବୈଦେଶିକ ମନ୍ତ୍ରାଳୟର ନିର୍ଦ୍ଦେଶକୁ ପାଳନ କରିବ । ଆମ ବୈଦେଶିକ ସଚିବ ବାଂଲାଦେଶରେ ଆଲୋଚନା କରୁଛନ୍ତି । ଆମକୁ ଆବଶ୍ୟକଠାରୁ ଅଧିକ କହିବା ଉଚିତ ନୁହେଁ । ଆମକୁ ଫଳାଫଳକୁ ଅପେକ୍ଷା କରିବାକୁ ପଡ଼ିବ । ଆମେମାନେ ଦାୟିତ୍ବବାନ ନାଗରିକ ଓ ଏକଜୁଟ ହୋଇ ଅଛନ୍ତି ।