ରାଜଧାନୀରେ ସିବିଆଇ ଚଢ଼ାଉ ଘଟଣା, ସିଲ୍ ହେଲା ADIPL ଅଫିସ୍
1 min readଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ସିବିଆଇ ରେଡ଼ ଘଟଣା । ADIPL ଅଫିସ ସିଲ୍ କଲା ସିବିଆଇ । ଗିରଫ ଦେବଦତ୍ତ ମହାପାତ୍ରଙ୍କ ଅଫିସ ସିଲ କରିଛି ସିବିଆଇ । ପାହାଳ ସ୍ଥିତ ଆଦିତ୍ୟ ଦେବ ଇନ୍ଫ୍ରାଟେକ ପ୍ରାଇଭେଟ ଲିମିଟେଡ଼ ଅଫିସ୍ ସିଲ କରିଛି ତଦନ୍ତକାରୀ ସଂସ୍ଥା । ରିମାଣ୍ଡର ପ୍ରଥମ ଦିନରେ ସିବିଆଇର ଏହି ଆକ୍ସନ ଦେଖିବାକୁ ମିଳିଛି । ଲକର ଖୋଲିବା ପରେ ସିବିଆଇ ହାତରେ ଲାଗିଛି ସାଙ୍ଘାତିକ ସୁରାକ । ଲକ୍ଷ ଲକ୍ଷ ଟଙ୍କା ଓ ସୁନା ମିଳିବା ପରେ ଦେବଦତ୍ତ ମହାପାତ୍ରଙ୍କ ଅଫିସ ସିଲ୍ କରିଛି ସିବିଆଇ ।
ଏହାସହ ଅଫିସ କର୍ମଚାରୀଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିଛି ସିବିଆଇ । ଗତକାଲି ଲାଞ୍ଚ ଘଟଣାରେ ଦେବଦତ୍ତଙ୍କ ସମେତ ୩ ଜଣଙ୍କୁ ଗିରଫ କରିଥିଲା ସିବିଆଇ । କୋର୍ଟରେ ହାଜର ପରେ ସମସ୍ତଙ୍କୁ ରିମାଣ୍ଡରେ ନେବାକୁ ଅପିଲ କରିଥିଲା ସିବିଆଇ ।
ଗତକାଲି ସ୍ପେଶାଲ କ୍ଳାସ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ର, ବ୍ରିଜ ଆଣ୍ଡ ରୁଫ ଗ୍ରୁପ ଜେନେରାଲ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀ ଓ ଅନ୍ୟ ଜଣେ କଣ୍ଟ୍ରାକ୍ଟର ସନ୍ତୋଷ ମହାରଣାଙ୍କୁ ଗିରଫ କରାଯାଇଥିଲା । ୨୪ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଓଡ଼ିଶାର ବିଭିନ୍ନ ସ୍ଥାନରେ ଚାଲିଥିଲା ରେଡ । ଦେବଦତ୍ତଙ୍କ ଘରୁ ରେଡ ବେଳେ ଜବତ ହୋଇଥିଲା ବିପୁଳ ପରିମାଣର ନଗଦ ଟଙ୍କା ଓ ସୁନା । ବ୍ୟାଙ୍କ ଲକର ଓ ଘରେ ରେଡ୍ ବେଳେ ଆଲମିରାରୁ ମିଳିଥିଲା ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ । ସାରା ଦେଶରେ କମ୍ପାନୀ ଉପରେ ହେଉଛି ରେଡ୍ । ଦିଲ୍ଲୀ, କୋଲକାତା ସମେତ ୧୧ଟି ସ୍ଥାନରେ ସିବିଆଇ ପକ୍ଷରୁ କରାଯାଇଥିଲା ଅତର୍କିତ ଚଢ଼ାଉ । ଏହି କ୍ରମରେ ଓଡ଼ିଶାରେ ଭୁବନେଶ୍ବର ସମେତ ୫ଟି ସ୍ଥାନରେ ଦିଲ୍ଲୀ ସିବିଆଇ ପକ୍ଷରୁ ରେଡ୍ କରାଯାଇଥିଲା ।