ଉଗ୍ର ରୂପ ନେଲା କଂଗ୍ରେସ ବିବାଦ: ଗୃହରେ ଦୁଇ ବିଧାୟକ କଥା କଟାକଟି
1 min readଭୁବନେଶ୍ବର: ରାଜ୍ୟ କଂଗ୍ରେସରେ ସବୁ କିଛି ଠିକ୍ ଚାଲିନି । ଦଳରେ ସବୁ ଠିକ୍ ଅଛି ବୋଲି ନେତା କହି ବୁଲୁଛନ୍ତି । ହେଲେ ଏହା କେତେ ଠିକ୍ ତାହା ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ଯାହା ଆଜି ବିଧାନସଭାର ଶୀତ ଅଧିବେଶନ ବେଳେ ଦେଖିବାକୁ ମିଳିଛି । ପ୍ରଶ୍ନ ପଚାରିବାକୁ ନେଇ କଂଗ୍ରେସର ଦୁଇ ବିଧାୟକଙ୍କ ମଧ୍ୟରେ ହୋଇଛି କଥା କଟାକଟି ।
ପ୍ରଶ୍ନକାଳରେ ଗୃହ ଭିତରେ କଂଗ୍ରେସ ବିଧାୟକ ରାଜେନ ଏକ୍କା ଏବଂ ଦାଶରଥି ଗମାଙ୍ଗଙ୍କ ମଧ୍ୟରେ କଥା କଟାକଟି ହୋଇଛି l ପ୍ରଶ୍ନ ପଚାରିବାକୁ ନେଇ ଦୁଇ ଦଳୀୟ ବିଧାୟକ କଥା କଟାକଟି ହୋଇଛନ୍ତି । ଯାହାକୁ ନେଇ ଗୃହରେ ଦଳ ଭିତରେ କିଛି ସମୟ ଯାଏଁ ଉତ୍ତେଜନା ପ୍ରକାଶ ପାଇଥିଲା । ଦଳର ଅନ୍ଯତମ ସଦସ୍ଯ ତାରା ବାହିନୀପତି ଓ ପବିତ୍ର ସାଉଁଟା ଉଭୟଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ତେବେ ଏମିତି କିଛି ହୋଇନି ବୋଲି ବିଧାୟକ ରାଜେନ ଏକ୍କା କହିଥିବା ବେଳେ ଦଳ ସବୁ ବେଳେ ଭଲ ଭାବେ ପ୍ରସଙ୍ଗ ଉଠାଉଛି ବୋଲି କହିଛନ୍ତି ।
ମନାନ୍ତର ନାହିଁ କି କୌଣସି ବିବାଦ ନାହିଁ ବୋଲି କହିଛନ୍ତି ରାଜେନ ଏକ୍କା l ସେହିପରି ଦାଶରଥି ଓ ରାଜେନକୁ ବୁଝାଶୁଝା କରିଥିବା ତାରା କିନ୍ତୁ କହିଛନ୍ତି ଭିନ୍ନ କଥା । ଦୁଇ ବରିଷ୍ଠ ବିଧାୟକଙ୍କ କଥା କଟାକଟି ତାଙ୍କୁ ମର୍ମାହତ କରିଛି । ଦଳରେ ଆଉ ଶୃଙ୍ଖଳା ନାହିଁ । ଏଭଳି ଆଚରଣ ଠିକ୍ ନୁହେଁ । ଏପରି ବିବାଦ ଦଳକୁ କ୍ଷତି ପହଞ୍ଚାଉଛି ବୋଲି ତାରା କହିଛନ୍ତି ।
ତେବେ ତାରା ରାଜେନଙ୍କ ଆଚରଣ ପ୍ରତି ଅଙ୍ଗୁଳି ଉଠାଇ କହିଛନ୍ତି, ତାଙ୍କ ଆଚରଣ ଠିକ ନୁହେଁ । ତେବେ ଏହି ପ୍ରସଙ୍ଗରେ ଦାଶରଥି ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାଜେନ ମତେ ଯାହା କହିଲେ ତାହା ମୋ ମନରେ ଦୁଃଖ ଦେଇଛି । ସେ ଗୃହରେ ଅସଭ୍ୟ ଭାଷାରେ ମତେ କହିଛନ୍ତି l ଜଣେ ଉଚ୍ଚ ଶିକ୍ଷିତ ହୋଇ ସେ ବିଧାନସଭାରେ ଖରାପ ଭାଷାରେ କହିବା ଉଚିତ୍ କି ବୋଲି ପ୍ରଶ୍ନ କରିବା ସହ ଏହା ଦଳକୁ କ୍ଷତି ପହଞ୍ଚାଇଛି ବୋଲି କହିଛନ୍ତି l କଂଗ୍ରେସ ବିଧାୟକ ଦଳ ନେତା ଏନେଇ କ’ଣ ନିଷ୍ପତ୍ତି ନେଉଛନ୍ତି ତାକୁ ମୁଁ ଅପେକ୍ଷା କରିଛି ବୋଲି କହିଛନ୍ତି ଦାଶରଥି ।