ବୋମାରେ ଉଡ଼ାଇ ଦେବାକୁ ୪୦ଟି ସ୍କୁଲକୁ ଧମକ
1 min readନୂଆଦିଲ୍ଲୀ: ପୁଣି ସ୍କୁଲକୁ ବୋମା ଧମକ । ବୋମାରେ ଉଡ଼ାଇ ଦେବାକୁ ଦିଲ୍ଲୀର ୨ଟି ସ୍କୁଲକୁ ଧମକ ଆସିଥିବା ବେଳେ ପରବର୍ତ୍ତୀ କାଳରେ ୪୦ଟି ସ୍କୁଲକୁ ଧମକ ଆସିଥିବା ସୂଚନା ମିଳିଛି। ଇମେଲ ଜରିଆରେ ଧମକ ଆସିଥିବାରୁ ସ୍କୁଲକର୍ତ୍ତୃପକ୍ଷ ପିଲା ମାନଙ୍କୁ ସ୍କୁଲରୁ ଫେରାଇ ଦେଇଛନ୍ତି । ପ୍ରାଥମିକ ଧମକ ମିଳିଥିବା ଦୁଇଟି ସ୍କୁଲ ହେଉଛି ଆରକେ ପୁରମ୍ର ଡିପିଏସ୍ ଓ ପଶ୍ଚିମ ବିହାରରେ ଥିବା ଜିଡି ଗୋଏଙ୍କା ସ୍କୁଲ। ଇମେଲ୍ ଜରିଆରେ ଏହି ଧମକ ଦିଆଯାଇଥିବାର ସୂୂଚନା ମିଳିଛି। ଏହା ପରେ ସ୍କୁଲକୁ ନ ଆସିବାକୁ ସବୁ ଛାତ୍ରଛାତ୍ରୀଙ୍କୁ ଜଣାଇ ଦେଇଛନ୍ତି କର୍ତ୍ତୃପକ୍ଷ । ଦିଲ୍ଲୀ ପୋଲିସର ଟିମ୍ ଉଭୟ ସ୍କୁଲରେ ପହଞ୍ଚି ତନାଘନା ଚଳାଇଛନ୍ତି। ଏହି ଧମକ ପଛରେ କିଛି ସତ୍ୟତା ଅଛି ନା ଖାଲିଟାରେ ଏମିତି ଧମକ ଦିଆଯାଇଛି, ତାର ତଦନ୍ତ କରାଯାଉଛି। ଦିଲ୍ଲୀର ଅଗ୍ନିଶମ ବାହିନୀ ମଧ୍ୟ ସ୍କୁଲରେ ପହଞ୍ଚିଛି ।
ରୋହିଣୀ ଭେଙ୍କଟେଶ ଗ୍ଲୋବାଲ ସ୍କୁଲକୁ ଇମେଲ ବୋମା ଧମକ ମିଳିବାର ଏକ ସପ୍ତାହ ପରେ ଏହି ଘଟଣା ଘଟିଛି । ଏହାସହିତ ଗୋଟିଏ ଦିନ ପୂର୍ବରୁ ପ୍ରଶାନ୍ତ ବିହାରରେ ଏକ ବିଦ୍ୟାଳୟର ଏକ କିମି ବ୍ୟାସାର୍ଦ୍ଧରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଥିଲା । ପରେ ଅଭିଭାବକମାନଙ୍କୁ ପରିସ୍ଥିତି ସମ୍ପର୍କରେ ଅବଗତ କରାଯାଇଛ ଛାତ୍ରଛାତ୍ରୀମାନଙ୍କୁ ଘରକୁ ପଠାଇ ଦିଆଯାଇଥିଲା । ତେବେ ପୁଣି ମିଳିଥିବା ଧମକ ନେଇ ଚିନ୍ତାରେ ସ୍କୁଲ କର୍ତ୍ତୃପକ୍ଷ ।
୨ମାସ ପୂର୍ବରୁ ଦିଲ୍ଲୀ ତଥା ଦେଶର ଅନେକ CRPF ବିଦ୍ୟାଳୟକୁ ଇମେଲ ଜରିଆରେ ବୋମା ଧମକ ମିଳିଥିଲା । ଗତ ଅକ୍ଟୋବର ୨୦ରେ ରୋହିଣୀ ପ୍ରଶାନ୍ତ ବିହାରରେ ଥିବା ସିଆରପିଏଫ୍ କ୍ୟାମ୍ପସରେ ଥିବା ସ୍କୁଲ ନିକଟରେ ଏକ ବୋମା ବିସ୍ଫୋରଣ ହୋଇଥିଲା। ପାଚେରୀ ଓ ଆଖପାଖ ଦୋକାନ କ୍ଷତିଗ୍ରସ୍ତ ହୋଇଥିଲା । ତେଣୁ ଆଜିର ଧମକକୁ ପୋଲିସ ଗୁରୁତର ନେବା ସହିତ ଛାନବିନ୍ କରୁଛି ।