ରାଜ୍ୟ ବିଜେପି କାର୍ଯ୍ୟାଳୟ ଆଗରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ବିକ୍ଷୋଭ

1 min read

ଭୁବନେଶ୍ବର: ରାଜ୍ୟରେ ୧୦୮ ଆମ୍ବୁଲାନ୍ସରେ କାର୍ଯ୍ୟରତ ଡ୍ରାଇଭର, ଫାର୍ମାସିଷ୍ଟ ଓ ଆଟେଣ୍ଡାଣ୍ଟଙ୍କ ମଧ୍ୟରୁ ଶତାଧିକ କର୍ମଚାରୀଙ୍କୁ ଦୁଇ ମାସ ହେଲା ଛଟେଇ କରିଛନ୍ତି ରାଜ୍ୟ ସରକାର । ଏହାର ପ୍ରତିବାଦରେ ରାଜ୍ୟ ବିଜେପି କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ଆମ୍ବୁଲାନ୍ସ କର୍ମଚାରୀ । ଏମାନଙ୍କୁ ପୁନଃ-ନିଯୁକ୍ତି ପାଇଁ କର୍ମଚାରୀମାନେ ସ୍ବାସ୍ଥ୍ୟମନ୍ତ୍ରୀ, ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକାଙ୍କୁ ଅଭିଯୋଗ ଦେବା ପରେ କେହି କିଛି ନ ଶୁଣିବାରୁ ସରକାରରେ ଥିବା ବିଜେପିର ରାଜ୍ୟ ସଭାପତି ଓ ଉପସଭାପତିଙ୍କୁ ଭେଟି ଅଭିଯୋଗ କରିଥିଲେ । ନଭେମ୍ବର ୫ ପର୍ଯ୍ୟନ୍ତ ଡେଡଲାଇନ ଦିଆଯାଇଥିଲା । ତଥାପି ଏମାନଙ୍କ ଅଭିଯୋଗକୁ କେହି କର୍ଣ୍ଣପାତ ନ କରିବାରୁ ବାଧ୍ୟ ହୋଇ କର୍ମଚାରୀ ଧାରଣାକୁ ଓହ୍ଲାଇଛନ୍ତି ।

୧୨ ଘଣ୍ଟା ଡ଼୍ୟୁଟି କରି ୮ ଘଣ୍ଟାର ପାରିଶ୍ରମିକ ପାଉଥିଲେ ରାଜ୍ୟର ପ୍ରାୟ ୬ ହଜାର କର୍ମଚାରୀ । ଅଭିଯୋଗ ହୋଇଛି ଯେ, ଜିଲ୍ଲା ସ୍ତରରେ ନିଜ ହକ୍ ପାଇଁ ନେତୃତ୍ବ ନେଉଥିବା ସଂଘ କର୍ମକର୍ତ୍ତାମାନଙ୍କୁ ଦମନ କରିବାକୁ ଛଟେଇ କରିଛନ୍ତି ନୂଆ ସରକାର । ଆମ୍ବୁଲାନ୍ସ ପରିଚାଳନା ପାଇଁ ନିଯୁକ୍ତ ଏଜେନ୍ସି ବଦଳିବା ପରେ ଏପରି ଛଟେଇ କାର୍ଯ୍ୟକ୍ରମ ଚାଲିଛି । ଏହାର ପୁର୍ନବିଚାର କରା ନଗଲେ ସପରିବାର ଆତ୍ମାହୁତି ଦେବାକୁ କମର୍ଚାରୀମାନେ ଚେତାବନୀ ଦେଇଛନ୍ତି ।

ନବୀନ ସରକାର ଅମଳରେ ନିଯୁକ୍ତି ହୋଇଥିବା ଏହି କର୍ମଚାରୀମାନେ କହିଛନ୍ତି, ପୂର୍ବ ସରକାରରେ ଅଭିଯୋଗ ଶୁଣାଯାଉଥିଲା । ହେଲେ ଏବେ ବିଜେପି ସରକାରରେ କେହି କିଛି ଶୁଣିବାକୁ ପ୍ରସ୍ତୁତ ନାହାନ୍ତି । କର୍ମଚାରୀଙ୍କ ଅଭିଯୋଗର ଉତ୍ତର ରଖି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ସରକାର ବଦଳିଲା, ଏଜେନ୍ସି ବଦଳିଲା, ଯାହା ସମସ୍ୟା ହୋଇଛି, ଆଲୋଚନା ମାଧ୍ୟମରେ ସମାଧାନ କରାଯିବ ।