ତଣ୍ଟିରେ ଲାଖିଛି ଚାକିରି ବିକ୍ରି କଣ୍ଟା, ନିଜ ଜାଲରେ ଫସିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ନିଯୁକ୍ତିକୁ ନେଇ ପୂର୍ବ ସରକାର ଉପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଣିଥିବା ଅଭିଯୋଗକୁ ନେଇ ବିଧାନସଭାରେ ବିଜେଡି ବିଧାୟକଙ୍କ ଜୋରଦାର ପ୍ରତିବାଦ । ଗୃହ ଆରମ୍ଭରୁ ହିଁ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କରିଥିଲା ବିଜେଡି । କିଏ ଲାଞ୍ଚ ନେଇଛି ଓ କିଏ ଲାଞ୍ଚ ଦେଇ ଚାକିରି କରିଛି, ତାହାର ସମ୍ପୂର୍ଣ୍ଣ ତଥ୍ୟ ରଖିବାକୁ ଦାବି କରି ରାଜ୍ୟ ସରକାରଙ୍କୁ ଘେରିଥିଲେ ବିଜେଡି ବିଧାୟକ । ମୁଖ୍ୟମନ୍ତ୍ରୀ ଏପରି ଶସ୍ତା ମନ୍ତବ୍ୟ ଦେଇଥିବାରୁ କ୍ଷମା ମାଗନ୍ତୁ ଓ ଯାହା କହିଛନ୍ତି ତାହା ପ୍ରମାଣିତ କରନ୍ତୁ ବୋଲି ଜିଦରେ ଅଡ଼ି ବସିଥିଲେ ଉଭୟ ବିଜେଡି ଓ କଂଗ୍ରେସ । ସରକାରୀ ଦଳ ଉତ୍ତର ତ ରଖି ପାରିଲେ ନାହିଁ, ଘଟଣାକୁ ଭିନ୍ନ ମୋଡ଼ ଦେବାକୁ ବାରମ୍ବାର ଗୃହ ମୁଲତବି କରା ଯାଇଥିଲା । ଶେଷରେ ଗୃହକୁ ସୋମବାର ଯାଏଁ ମୁଲତବି କରାଯାଇଛି ।
ବିନା ତଥ୍ୟ ପ୍ରମାଣରେ ପୂର୍ବ ସରକାରଙ୍କୁ ଦାୟୀ କରିଛନ୍ତି ମୁଖ୍ୟମନ୍ତ୍ରୀ । ନିଜ ଦୋଷ ଲୁଚାଇବାକୁ ବିଜେଡି ଉପରେ ଲଗାଇଛନ୍ତି ଆକ୍ଷେପ । ପ୍ରମାଣ ମାଗିବାରୁ ପଛଘୁଞ୍ଚା ଦେଉଛି ଶାସକ ଦଳ । ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ଆଜି ଏଭଳି ଅଭିଯୋଗ କରିଛି ବିଜେଡି । ସବୁ କଥାରେ ପୁରୁଣା ସରକାରକୁ ଦାୟୀ କରି ନିଜ ସରକାରଙ୍କ ଦୋଷ ଲୁଚାଉଛନ୍ତି ମୁଖ୍ୟମନ୍ତ୍ରୀ । ଗତକାଲିର ଅଭିଯୋଗ ଉପରେ କୌଣସି ପ୍ରମାଣ ଗୃହରେ ରଖି ପାରି ନଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଶସ୍ତା ଓ ବିବାଦୀୟ ବୟାନ ଯୋଗୁଁ ଏଏସଓ ପରି ସରକାରୀ ଚାକିରି ପାଇଥିବା ଅନେକ ପରୀକ୍ଷାର୍ଥୀଙ୍କ ମନୋବଳ ଭାଙ୍ଗିଯାଇଛି । ଏହାକୁ ବିରୋଧ କରି ଆଜି ଉଭୟ ପ୍ରଶ୍ନ ଉତ୍ତର କାଳ ଓ ଶୂନ୍ୟକାଳରେ ବିଜେଡି ବିଧାୟକ ଗୃହ ମଧ୍ୟଭାଗରେ ହଟ୍ଟଗୋଳ କରିଥିଲେ । ଶୂନ୍ୟକାଳରେ ମୁଖ୍ୟମନ୍ତ୍ରୀଙ୍କ ଏଏସଓ ଚାକିରି ବିକ୍ରି ବିବୃତି କଥା ଉଠାଇ ରୁଲିଂ ଦାବି କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ମୁଖ୍ୟମନ୍ତ୍ରୀଙ୍କ ଏପରି ଶସ୍ତା ମନ୍ତବ୍ୟ ପରିଶ୍ରମ କରି ଚାକିରି ପାଇଥିବା ଲକ୍ଷ ଲକ୍ଷ ପିଲାଙ୍କ ପ୍ରତି ଅପମାନ ବୋଲି ସେ କହିଛନ୍ତି । ସେ ପ୍ରଶ୍ନ କରିଛନ୍ତି, ଯଦି ପ୍ରମାଣ ଅଛି, ୬ ମାସ ହେଲା ଦୋଷୀଙ୍କୁ ଗିରଫ ନ କରି ମୁଖ୍ୟମନ୍ତ୍ରୀ କାହିଁକି ବସିଛନ୍ତି । ଖଟିରେ ବସିଥିବା ପରି ଗୃହରେ ମୁଖ୍ୟମନ୍ତ୍ରୀ ଯେଉଁ ଶସ୍ତା ବକ୍ତବ୍ୟ ଦେଇଛନ୍ତି, ତାକୁ ଗୃହର ବିବରଣୀରୁ ବାଦ ଦେବାକୁ ବିଜେଡି ଦାବି କରିଛି ।
କଂଗ୍ରେସ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଶସ୍ତା ମନ୍ତବ୍ୟକୁ ନିନ୍ଦା କରିଛି । ଏହା ଗୃହ ଓ ଗଣତନ୍ତ୍ର ପାଇଁ ହାନିକାରକ ବୋଲି କହିଛି କଂଗ୍ରେସ । ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ୱରେ ଅଛନ୍ତି । ସେ ଯଦି ଜାଣିଛନ୍ତି ଗତ ସରକାରରେ ଚାକିରି ବିକ୍ରି ହୋଇଛି, ତେବେ ଦୋଷୀଙ୍କୁ ଗିରଫ କରିବାକୁ କଂଗ୍ରେସ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଇଛି । ସେପଟେ ବିଜେପିର ଅଜବ ଯୁକ୍ତି, ବିଲ ଆସିଲା, ଆଇନ ହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ବିଜେପି ବିଧାୟକ ସରୋଜ ପାଢୀ । ମୁଖ୍ୟମନ୍ତ୍ରୀ ଯେଉଁ ଲାଞ୍ଚ କଥା ପବିତ୍ର ବିଧାନସଭାରେ କହି ବିବାଦକୁ ଆସିଛନ୍ତି, ସେ ନେଇ ବିଜେପି ପାଖରେ କୌଣସି ସନ୍ତୋଷଜନକ ଉତ୍ତର ନାହିଁ ।
ଆଗକୁ କ’ଣ ହେବ ଓ କ’ଣ କରିବେ, ରାଜ୍ୟର ବିଜେପି ସରକାର ଏ ଯାଏଁ ସ୍ପଷ୍ଟ କରିନାହାନ୍ତି । ହେଲେ ବାରମ୍ବାର ପୁରୁଣା ସରକାରକୁ ଦାୟୀ କରିବାର ଅପଚେଷ୍ଟା ଯୋଗୁଁ ବିବାଦ ମୁଣ୍ଡାଇଲେଣି । ସରକାରରେ କେତେବେଳେ କିଏ କ’ଣ କହୁଛନ୍ତି, ତାହା ଜାଣି ପାରୁନାହାନ୍ତି ବୋଲି ଚର୍ଚ୍ଚା ହେଉଛି ।