ସ୍ମାର୍ଟ ମିଟର ରିଚାର୍ଜ ଶେଷ, ୧୬ ସ୍କୁଲ ଅନ୍ଧାରରେ

ପିପିଲି: ସ୍ମାର୍ଟ ମିଟରର ରିଚାର୍ଜ ସରିଯାଇଛି । ଆଉ ରିଚାର୍ଜ କରାଯାଇ ନଥିବାରୁ ସ୍କୁଲରୁ କଟିଲା ବିଦ୍ୟୁତ୍ ଯୋଗାଣ । ୧୬ ସ୍କୁଲ ଅନ୍ଧାରରେ । ଫଳରେ ପାଠପଢା ସହ ପିଇବା ପାଣି, ମଧ୍ୟାହ୍ନ ଭୋଜନ ଓ ଶୌଚ ପାଇଁ ସମସ୍ୟା ଦେଖା ଦେଇଛି । ଏମିତି ସ୍ଥିତି ଦେଖିବାକୁ ମିଳିଛି ପିପିଲି ଓ ଡେଲାଙ୍ଗ ବ୍ଲକ ଅଞ୍ଚଳରେ ।

କିଛି ଦିନ ହେବ ଇଲେକ୍ଟ୍ରି ସ୍ମାର୍ଟ ମିଟରର ରିଚାର୍ଜ ସରିଯାଇଛି । ଫଳରେ ଡେଲାଙ୍ଗ ବ୍ଲକର ୧୦ ଓ ପିପିଲିର ୬ଟି ସ୍କୁଲକୁ ବିଦ୍ୟୁତ ଯୋଗାଣ ବନ୍ଦ ହୋଇଯାଇଛି । ବିଦ୍ୟୁତ ବିଛିନ୍ନକୁ ନେଇ ସ୍କୁଲ ଶିକ୍ଷୟତ୍ରୀ ବିଇଓ ଅଫିସ ତରଫରୁ ପଇସା ଦିଆଯାଇ ନଥିବା କହିଛନ୍ତି । ଅନ୍ୟପଟେ ସ୍କୁଲର କଣ୍ଟିଜେନସି ପଇସାରୁ ମଧ୍ୟ ହେଡମାଷ୍ଟର ଇଲେକ୍ଟ୍ରି ବିଲ ପୈଠ କରିପାରିବେ ବୋଲି ପିପିଲି ବ୍ଳକ ଶିକ୍ଷାଧିକାରୀ କହିଛନ୍ତି ।

ସେପଟେ ସ୍କୁଲରୁ ବିଦ୍ୟୁତ୍ କାଟକୁ ନେଇ ସରକାରଙ୍କ ଉପରେ ବର୍ଷିବା ସହ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ସଚେତନ ନାଗରିକ ।