ସୂର୍ଯ୍ୟମନ୍ଦିରରୁ କଢ଼ାଯିବ ୧୨୧ ବର୍ଷର ବାଲି

କୋଣାର୍କ: ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରରୁ କଢ଼ାଯିବ ୧୨୧ ବର୍ଷର ବାଲି । ଚତୁର୍ଥ ପର୍ଯ୍ୟାୟ ପାଇଁ ଏଏସଆଇ ଓ ବିଡିଆର ୧୫ ଜଣିଆ ଟିମର ଆଲୋଚନା ପରେ ନିଷ୍ପତ୍ତି । ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭ ଗୃହରୁ ବାଲି କଢ଼ାଯିବା ନେଇ ଆଜି ଚତୁର୍ଥ  ପର୍ଯ୍ୟାୟରେ କାର୍ଯ୍ୟ ଆରମ୍ଭ ପାଇଁ ଏଏସଆଇ ପକ୍ଷରୁ ଆଲୋଚନା ହୋଇଛି ।

୧୯୦୩ ମସିହାରେ ସୂର୍ଯ୍ୟ ମନ୍ଦିରର ସୁରକ୍ଷାକୁ ନେଇ ଗର୍ଭଗୃହରେ ବାଲି ଭର୍ତ୍ତି କରାଯାଇ ଜଗମୋହନ ଦ୍ଵାରକୁ ବନ୍ଦ କରା ଯାଇଥିଲା । ସୂର୍ଯ୍ୟ ମନ୍ଦିରରୁ ବାଲି କଢ଼ାଯିବ ନିଷ୍ପତ୍ତି ପରେ ଗତ ବର୍ଷ ସେପ୍ଟେମ୍ବର ମାସ ୨୦୨୨ ମସିହାରୁ ଏଏସଆଇ ଓ ବିଡିଆର ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଥିଲା । ବାଲି କାଢ଼ିବା ପ୍ରକ୍ରିୟା ପାଇଁ ଉତ୍ତର ଓ ପଶ୍ଚିମ କୋଣରେ ଲୁହା ବିମ କାମ ଶେଷ ହୋଇଛି ।

ଲିଫ୍ଟ ପାଇଁ ପ୍ଲାଟଫର୍ମ ନିର୍ମାଣ କାର୍ଯ୍ୟ ପାଇଁ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ସତନ୍ତ୍ର ଲିଫ୍ଟ ମାଧ୍ୟମରେ ମନ୍ଦିର ଚୂଡା ଦେଇ ଗର୍ଭଗୃହରେ ରହିଥିବା ବାଲିକୁ କଢ଼ାଯିବ । ଏଥିପାଇଁ ଆଜି ଯାଞ୍ଚ କରାଯାଇଛି। ବାଲି କାଢ଼ିବା ପାଇଁ ପ୍ରାୟ ୩ ବର୍ଷ ସମୟ ଲାଗିବ ବୋଲି ଏଏସଆଇ ପକ୍ଷରୁ କୁହାଯାଇଥିବା ବେଳେ, ଏଯାଏଁ ୨ ବର୍ଷ ବିତିଗଲାଣି । ବାଲି କାଢ଼ିବା ସମୟରେ ସୂର୍ଯ୍ୟ ମନ୍ଦିରର କୀର୍ତ୍ତୀ ରାଜି ପ୍ରତି କିଭଳି ଧ୍ୟାନ ଦିଆଯିବ ସେଥିପାଇଁ ଆଜି ୧୫ ଜଣିଆ ଟିମ ସ୍ଥିତି ପରଖିବା ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି ।