ରାଜ୍ୟରେ ଅସୁରକ୍ଷିତ କଲରାପତରିଆ ବାଘ, ମନୁଷ୍ୟକୃତ ନିର୍ଯ୍ୟାତନାର ହେଉଛନ୍ତି ଶିକାର

ଭୁବନେଶ୍ବର : ସମ୍ବଲପୁର ଚିଡ଼ିଆଖାନାରେ ଗର୍ଭାଶୟ ସଂକ୍ରମଣ ଯୋଗୁଁ ବାଘୁଣୀର ମୃତ୍ୟୁ । ରେଙ୍ଗାଲି ଡ଼୍ୟାମରେ ଭାସୁଛି ବାଘର ମୃତଦେହ । ନୟାଗଡ଼ ଜଙ୍ଗଲରେ ବାଘର ମୁଣ୍ଡ ବିହୀନ ଶରୀର ଉଦ୍ଧାର । ଏସବୁକୁ ଟପିଛି ନୂଆପଡ଼ାରେ ବାଘ ମାଂସ ଖାଇବାର ଚିତ୍ର । ରାଜ୍ୟରେ ଅସୁରକ୍ଷିତ କଲରାପତରିଆ ବାଘ ବଂଶ । ଗତ ୫ ବର୍ଷରେ ୩୪ଟି କଲରାପତରିଆ ବାଘ ପ୍ରାଣ ହରାଇଥିବା ବେଳେ ୪ଟି ବାଘର ସ୍ବାଭାବିକ ମୃତ୍ୟୁ ହୋଇଛି । ୩ଟି ବାଘ ମୃତ୍ୟୁର କାରଣ ଏ ଯାଏଁ ଅସ୍ପଷ୍ଟ ଥିବା ବେଳେ ବାକି ୨୭ଟି ବାଘର ମୃତ୍ୟୁ ଶିକାର ଜନିତ । ନୟାଗଡ଼ ଘଟଣାରେ ଦୁଇ ଜଣ ଗିରଫ ହୋଇଥିବା ବେଳେ ବାରହା ଶିକାର ପାଇଁ ଲାଗିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାଘର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ରେଙ୍ଗାଲି ଡ଼୍ୟାମରେ ବାଘ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି । କଲରାପତରିଆ ବାଘମାନଙ୍କୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ଆଗକୁ ମିଳିତ ଉଦ୍ୟମ କରିବ ବୋଲି ପିସିସିଏଫ୍ କହିଛନ୍ତି ।

ମହାବଳ ବାଘ ପାଇଁ ଜଙ୍ଗଲ ବିଭାଗ ଯେତିକି ତତ୍ପରତା ଦେଖାଉଛି, କଲରାପତରିଆ ବାଘ ପ୍ରତି ସେତିକି ନଜର ଦେଉନାହିଁ ବୋଲି ବିଶେଷଜ୍ଞ ଅଭିଯୋଗ କରିଛନ୍ତି । ଶିକାରୀମାନଙ୍କୁ ସାବାଡ କରିବାକୁ ବନ ବିଭାଗ ଅଧିକାରୀମାନଙ୍କୁ ବନ୍ଧୁକ ଚଳାଇବାର ଅନୁମତି ସହ ନୂଆ ଟେକ୍ନୋଲୋଜି ଆପଣାଉଥିଲେ ମଧ୍ୟ ସଫଳତା ମିଳୁନାହିଁ । ଏଥିପାଇଁ ଯଦିଓ ବ୍ୟାପକ ମାତ୍ରାରେ ଜନସଚେତନତାର ଆବଶ୍ୟକତା ରହିଛି, ହେଲେ ବନ ବିଭାଗ ଫିଲଡ଼ ଅଧିକାରୀଙ୍କ ମାନସିକତାରେ ବି ପରିବର୍ତ୍ତନ ଜରୁରୀ । କଲରାପତରିଆ ବାଘ ବଞ୍ଚିଲେ ରାଜ୍ୟରେ ମହାବଳ ବାଘ ଅଧିକ ସୁରକ୍ଷିତ ରହିପାରିବେ । ଏକଥା ଲୋକଙ୍କୁ ବୁଝାଇବା, ବିଶେଷ କରି ଜଙ୍ଗଲ ପାଖରେ ରହୁଥିବା ଲୋକମାନଙ୍କୁ ଏ ବିଷୟରେ ସଚେତନ କରିବା ବନ ବିଭାଗର ଦାୟିତ୍ବ । ବାଘ ଭଳି ହାତୀମାନଙ୍କ ଅକାଳ ମୃତ୍ୟୁ ବି ଚିନ୍ତାର ବିଷୟ ପାଲଟିଛି । ହାତୀ ମୃତ୍ୟୁ ରୋକିବା ପାଇଁ ବନ ବିଭାଗକୁ ହାଇକୋର୍ଟଙ୍କ ତାଗିଦ ପରେ ବିଦ୍ୟୁତ ବିଭାଗ ସହ ମିଶି ବନ ବିଭାଗ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛି ।