ବାଣ ଫୁଟାଇ, ବାଜା ବଜାଇ ପ୍ରିୟ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

1 min read

ସାନଖେମୁଣ୍ଡି: ଗୁରୁ-ଛାତ୍ର ପରମ୍ପରାର ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ଗାଁରେ । ରାଧାକୃଷ୍ଣ ବିଦ୍ୟାପୀଠର ଶିକ୍ଷକ ପ୍ରସନ୍ନ କୁମାର ତ୍ରିପାଠୀଙ୍କୁ ନିଆରା ପରମ୍ପରାରେ ବିଦାୟୀ ସମ୍ବର୍ଦ୍ଧନା ଜଣାଇଛନ୍ତି ଛାତ୍ରଛାତ୍ରୀ । ସାମିଲ ହୋଇଛନ୍ତି ପୂର୍ବତନ ଓ ବର୍ତ୍ତମାନ ଛାତ୍ରଛାତ୍ରୀ । ବାଣ ଫୁଟାଇ, ବାଜା ସାଙ୍ଗକୁ ଡିଜେ ବଜାଇ ପଟୁଆରରେ ଦେଇଛନ୍ତି ବିଦାୟ ସମ୍ଵର୍ଦ୍ଧନା । ପୂର୍ବତନ ଛାତ୍ରଛାତ୍ରୀ ସାରଙ୍କୁ ସ୍କୁଟି ସହ ସୁନା ମୁଦି ଏଲଇଡି ଟିଭି ଭଳି ଉପହାର ଦେଇଛନ୍ତି ।

ଦୀର୍ଘ ୩୮ ବର୍ଷ ଶିକ୍ଷକତା ଭିତରେ ସେ କେବଳ ଅନେକ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇ ବଡ କରିନାହାଁନ୍ତି । ସେ ଛାତ୍ରଛାତ୍ରୀଙ୍କୁ ନୈତିକତା ମାନବିକତା ଓ ମଣିଷ ପଣିଆ ଶିଖାଉଥିଲେ । ତେଣୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପ୍ରିୟ ପାତ୍ର ଥିଲେ ପ୍ରସନ୍ନ । ତେଣୁ ସାରଙ୍କ ଅବସରକାଳୀନ ସଭାରେ ଛାତ୍ରଛାତ୍ରୀଙ୍କ ସମେତ ପୂର୍ବତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଏକାଠି ହୋଇ ନିଆରା କାର୍ଯ୍ଯକ୍ରମ କରିଥିଲେ । ମଞ୍ଚ ଉପରେ ସମସ୍ତେ ସାରଙ୍କୁ ଉପହାର ଦେଇଥିଲେ । ସୁନା ମୁଦି, ସ୍କୁଟି, ଏଲଇଡି ଟିଭି, ଗ୍ରାଇଣ୍ଡର, ବ୍ୟାଗ ଭଳି ଅନେକ ଦୈନନ୍ଦିନ ସାମଗ୍ରୀ ସାମଗ୍ରୀ ସାରଙ୍କୁ ପ୍ରଦାନ କରାଯାଇଛି ।

ପ୍ରସନ୍ନ ସାରଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ପରେ ସାରଙ୍କୁ ନେଇ ଗାଁ ପରିକ୍ରମା କରାଇଥିଲେ ଛାତ୍ରଛାତ୍ରୀ । ସାହି ସାହିରେ ଶିକ୍ଷକଙ୍କ ଉପରେ ପୁଷ୍ପ ବର୍ଷା ସାଙ୍ଗକୁ ସାରଙ୍କ ବେକରେ ଟଙ୍କା ମାଳ ପକାଇଥିବା ଦୃଶ୍ଯ ଦେଖିବାକୁ ମିଳିଥିଲା । ପ୍ରସନ୍ନ ସାରଙ୍କ ଅବସରକାଳୀନ ନିଆରା ସମ୍ଵର୍ଦ୍ଧନା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ସାଙ୍ଗକୁ ଗୁରୁ ଶିଷ୍ୟର ପରମ୍ପରାରେ ଉଦାହରଣ ପାଲଟିଛି ।