ଭୁଲରେ ବି ପିଅନ୍ତୁନି ଗଙ୍ଗାଜଳ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରିପୋର୍ଟରେ ସାଙ୍ଘାତିକ ତଥ୍ୟ

ହରିଦ୍ବାର: ସ୍ବଚ୍ଛ ଗଙ୍ଗା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି  । ତଥାପି ଗଙ୍ଗା ସମ୍ପୂର୍ଣ୍ଣ ଭାବେ ସ୍ବଚ୍ଛ ନୁହେଁ  । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ ଅନୁସାରେ ହରିଦ୍ବାରର ଗଙ୍ଗାଜଳ ପିଇବା ଯୋଗ୍ୟ ନୁହେଁ  । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କିନ୍ତୁ ଏହା ସମ୍ପୂର୍ଣ୍ଣ ସତ  । ପ୍ରତିବର୍ଷ ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ହରିଦ୍ବାରରେ ବୁଡ ପକାଇ ଗଙ୍ଗାଜଳ ପିଇଥାନ୍ତି  ।

ଶାସ୍ତ୍ରରେ ଗଙ୍ଗାକୁ ମୋକ୍ଷଦାୟିନୀ କୁହାଯାଇଥାଏ  । ଧର୍ମନଗରୀ ହରିଦ୍ବାରରେ ପ୍ରତିବର୍ଷ ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ପହଞ୍ଚିଥାନ୍ତି  । ଗଙ୍ଗାରେ ବୁଡ ପକାଇ ଗଙ୍ଗାଜଳ ପାନ କରିବା ଏବେ ଶ୍ରଦ୍ଧାଳୁଙ୍କୁ ମହଙ୍ଗା ପଡିପାରେ  । କାରଣ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମାସିକ ସର୍ଭେରୁ ଜଣାପଡିଛି ଯେ ଗଙ୍ଗାଜଳରେ ଫିକଲ୍‌ କଲିଫର୍ମ ଅର୍ଥାତ ଅପପୁଷ୍ଟି ମାତ୍ରା ଅଧିକ ପରିମାଣରେ ରହିଛି  । ରିପୋର୍ଟରେ ଗଙ୍ଗାଜଳ ବି ଶ୍ରେଣୀରେ ଆସୁଛି  । ଏହାର ଅର୍ଥ ଯେ କେବଳ ଗଙ୍ଗାରେ ଗାଧୋଇ ହୋଇ ପାରିବ କିନ୍ତୁ ଏହା ପିଇବା ଯୋଗ୍ୟ ନୁହେଁ  ।

ଗଙ୍ଗାଜଳକୁ ଶୁଦ୍ଧ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ନମାମି ଗଙ୍ଗେ ଯୋଜନା ଚଳାଇଛନ୍ତି ।ସାମାଜିକ ଓ ଧାର୍ମିକ ସଙ୍ଗଠନ ମଧ୍ୟ ଏଥିପାଇଁ ସାହାଯ୍ୟ କରୁଛନ୍ତି  । ଏସବୁ ପ୍ରୟାସରୁ ଗଙ୍ଗା ପ୍ରଦୂଷଣରେ କିଛି ମାତ୍ରାରେ ସୁଧାର ଆସିଛି  । କିନ୍ତୁ ଆଜିବି ହରିଦ୍ବାରରେ ନାଳ ନର୍ଦ୍ଦମା ପାଣି ସିଧାସଳଖ ଗଙ୍ଗାରେ ମିଶୁଛି  । ଏହା ସହ ବିନା ଟ୍ରିଟ୍‌ମେଣ୍ଟରେ ଅଧିକାଂଶ ଏସଟିପିରୁ ପାଣି ସିଧାସଳଖ ଗଙ୍ଗାରେ ମିଶୁଛି  । .

ପରିବେଶ ସୁରକ୍ଷା ପାଇଁ କାମ କରୁଥିବା ସନ୍ଥ ସ୍ବାମୀ ଶିବାନନ୍ଦ ଏଥିପାଇଁ ହରିଦ୍ବାରର ସାଧୁସନ୍ଥଙ୍କୁ ଦାୟୀ କରିଛନ୍ତି  । ଗଙ୍ଗା କେବଳ ଏକ ନଦୀ ନୁହେଁ ବରଂ ଭାରତୀୟ ସଂସ୍କତିର ବଡ ଅଂଶ  । ଶୁଦ୍ଧତା ଓ ପବିତ୍ରତା କଥା ଉଠିଲେ ଗଙ୍ଗାର ଉଦାହରଣ ଦିଆଯାଇଥାଏ  । କିନ୍ତୁ ଧର୍ମନଗରୀ ହରିଦ୍ବାରରେ ଗଙ୍ଗା ନିଜର ଅସ୍ତିତ୍ବ ହରାଇ ସାରିଲାଣି  ।