ଓଡିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ନୌସେନା ଦିବସରେ ଯୋଗ ଦେବେ

1 min read

ଭୁବନେଶ୍ବର: ଓଡିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି। ବିମାନ ବନ୍ଦରରୁ ଚନ୍ଦ୍ରଶେଖରପୁର ଯାଇ ସେଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନବନିର୍ମିତ ପ୍ରତିମୂର୍ତ୍ତୀକୁ ଉଦଘାଟନ କରିବେ। ସନ୍ଧ୍ୟାରେ ସେ ରାଜଭବନ ଫେରି ସେଠାରେ ରାତ୍ରୀଯାପନ କରିବେ। ଆସନ୍ତାକାଲି ସକାଳୁ ସେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ସକାଳ ୯ଟା ୫୫ରେ ପୁରୀ ତାଳବଣିଆ ହେଲିପ୍ୟାଡରେ ପହଁଚିବେ। ସକାଳ ୧୦ଟା ୧୫ରେ ସେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଯିବେ।

ଏହାପରେ ସେ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ୪ଟା ୧୦ରେ ପୁରୀ ବ୍ଲୁ-ଫ୍ଲାଗ ବିଚରେ ପହଁଚିବେ । ସେଠାରେ ସେ ନୌସେନା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ବ୍ଲୁ-ଫ୍ଲାଗ ବିଚରେ ସେ ଅପରାହ୍ନ ୫ଟା ୪୫ରେ ସେ ପୁରୀ ରାଜଭବନକୁ ପ୍ରତ୍ୟାବର୍ତ୍ତନ କରିବେ।

ଡିସେମ୍ବର ୫ ତାରିଖରେ ପୂର୍ବାହ୍ନ ୧୦ଟା ୫୫ରେ ଓଡିଶା କୃଷି ବିଶ୍ବବିଦ୍ୟାଳୟର ୪୦ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଏହାପରେ ଅପରାହ୍ନ ୫ଟା ୨୦ରେ ଭୁବନେଶ୍ବରରେ ନୂଆ ଜୁଡିସିଆଲ କମ୍ପ୍ଲେକ୍ସର ଉଦଘାଟନ କରିବେ । ୬ ତାରିଖ ସକାଳ ୯ଟା ୫ରେ ଭୁବନେଶ୍ବର ଏଜି ଛକ ସ୍ଥିତ ବି.ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ସେଠାରେ ସେ ସିଧାସଳଖ ଭୁବନେଶ୍ବର ବିମାନ ବନ୍ଦର ଯାଇ ପଶ୍ଚିମବଙ୍ଗ ଯିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଏହି ଗସ୍ତ ପାଇଁ କଡାକଡି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବ୍ଲୁ ବୁକ୍ ଅନୁସାରେ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ 3 ଜଣ ଡିସିପି ରାଙ୍କର ଅଫିସର, 15 ଜଣ ଅତିରିକ୍ତ ଡିସିପି ରାଙ୍କର ଅଫିସର, 45 ଏସିପି ରାଙ୍କର ଅଫିସର, 200 ଜଣ ଇନ୍ସପେକ୍ଟର ଓ ସବ୍ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ୱରେ ରହିବେ। ଟ୍ରାଫିକ ନିୟନ୍ତ୍ରଣ ସହ ସୁରକ୍ଷା ବ୍ୟବସ୍ଥା ପାଇଁ 40 ପ୍ଲାଟୁନରୁ ଉର୍ଦ୍ଧ୍ବ ଫୋର୍ସ ମୁତୟନ ହେବ।