ପୁଣି ଗୃହରେ ଉଠିଲା ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି ଦାବି
ଭୁବନେଶ୍ୱର : ପୁଣି ଗୃହରେ ଉଠିଲା ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି ଦାବି । ବିଜେଡି ଏହି ଦାବି ଉଠାଇବା ପରେ ଦଳମତ ନିର୍ବିଶେଷରେ ସବୁ ବିଧାୟକ ତାହାକୁ ସମର୍ଥନ କରିଥିଲେ ।ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଗୃହରେ ଏହି ଦାବି ଉଠାଇଥିଲେ । ପୂର୍ବ କମିଟି ଦରମା ବୃଦ୍ଧି ନେଇ ଯାହା ସୁପାରିସ କରିଛି ତାହାକୁ କାର୍ଯ୍ୟକାରୀ କରାଯାଉ । ବିଧାୟକଙ୍କ ଦରମା ଅଢେଇ ଲକ୍ଷ ଓ ପୂର୍ବତନ ବିଧାୟକଙ୍କ ପେନସନ ୭୦ହଜାର କରାଯାଉ ବୋଲି ପ୍ରମିଳା ଗୃହରେ ଦାବି ଉପସ୍ଥାପନ କରିଥିଲେ ।
ସେହିପରି ଶୂନ୍ଯକାଳରେ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି ଦାବି କରିଛନ୍ତି ବିଧାୟକ ପ୍ରତାପ କେଶରୀ ଦେବ । କଂଗ୍ରେସ ବିଧାୟକ ଦଳ ନେତା ବି ବିଧାୟକଙ୍କ ଦରମା ବୃଦ୍ଧି ଓ ପେନସନ ବୃଦ୍ଧି କରିବାକୁ ଦାବି କରିଛନ୍ତି । ଦରଦାମ ବୃଦ୍ଧି ଯୋଗୁଁ ପୂର୍ବତନ ବିଧାୟକମାନେ ଅସୁବିଧାରେ ଅଛନ୍ତି । ତେଣୁ ଦରମା ବୃଦ୍ଧି କରାଯାଉ । ବିଧାୟକଙ୍କ ପାଣ୍ଠିକୁ ୩କୋଟିରୁ ୫ କୋଟିକୁ ବୃଦ୍ଧି କରାଯାଉ ବୋଲି କାଡ଼ାମ ଦାବି କରିଛନ୍ତି ।
ସେପଟେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବି ବିଧାୟକ ଦରମା ବୃଦ୍ଧି ଦାବିକୁ ଜୋରଦାର କରିଛନ୍ତି । ପୂର୍ବତନ ବିଧାୟକ ଅବସ୍ଥା ଦେଖିଲେ ଆଖିରେ ଲୁହ ଆସିଯାଉଛି । ତେଣୁ ପୂର୍ବ କମିଟି ସୁପାରିଶ ଅନୁସାରେ ଦରମା ବୃଦ୍ଧି କରାଯାଉ । ସେହପରି ବିଜେପି ବିଧାୟକ ଭାସ୍କର ମଡେଇ ବି ଦରମା ବୃଦ୍ଧି ଦାବି କରିଛନ୍ତି । ବିଧାୟକମାନେ ଖୁବ ଅସୁବିଧାରେ ଅଛନ୍ତି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ବହୁତ କମ୍ ଦରମା ମିଳୁଛି । ତେଣୁ ବିଜେଡି ଓ କଂଗ୍ରେସ ପ୍ରସ୍ତାବକୁ ବିଜେପି ସମର୍ଥନ କରୁଛି ବୋଲି ଗୃହରେ କହିଛନ୍ତି ଭାସ୍କର । ବିଧାୟକ ପାଣ୍ଠିକୁ ୩ କୋଟିରୁ ୫ କୋଟି କରାଯାଉ ବୋଲି ଭାସ୍କର ଦାବି ଦୋହରାଇଛନ୍ତି ।
ନୂଆ କମିଟି ନୁହେଁ, ପୁରୁଣା କମିଟିର ସୁପାରିସ ଅନୁସାରେ ଦରମା ମିଳୁ ବୋଲି ଭାସ୍କର ଦାବି କରିଛନ୍ତି । ଗୃହରେ ସବୁ ଦଳର ଦାବି ପରେ ଏ ନେଇ ବାଚସ୍ପତି ରୁଲିଂ ଦେଇଛନ୍ତି । ବିଧାୟକମାନଙ୍କ ଦରମା ବୃଦ୍ଧି ଓ ପାଣ୍ଠି ବୃଦ୍ଧି ସମୟର ଆବଶ୍ୟକତା । ଗୃହର ଉଦବେଗକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି କହିଛନ୍ତି । ସେପଟେ ସାମ୍ବାଦିକଙ୍କ ସ୍ବାସ୍ଥ୍ଯବୀମା ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ଗୃହରେ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି ।