ଡିଜିପି ସମ୍ମିଳନୀ : ଆଜି ଅନ୍ତିମ ଦିବସ
ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ବରରେ ଚାଲିଥିବା ଡିଜିପି ସମ୍ମିଳନୀର ଆଜି ଶେଷ ଦିନ। ଶେଷ ଦିନରେ ସାଇବର ଅପରାଧଠୁ ଆରମ୍ଭ କରି ତଟ ସୁରକ୍ଷା ଏବଂ ନକ୍ସଲ ମୁକାବିଲା ନେଇ ପ୍ରସ୍ତୁତ ହେଉଛି ରୋଡମ୍ୟାପ୍। ଆଜି ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍, ଡିଜିପି ଏବଂ ଆଇଜିମାନଙ୍କ ସହ ଆଲୋଚନା କରୁଛନ୍ତି। ସାଇବର ଥ୍ରେଟ ଠାରୁ ଆରମ୍ଭ କରି ମାଓ ଦମନ ରଣନୀତି ନେଇ ଆଲୋଚନା ହୋଇଛି। ଆଭ୍ୟନ୍ତରୀଣ ସୁରକ୍ଷା ସହ ଅନ୍ତର୍ଘାତୀ ଆକ୍ରମଣକୁ ପ୍ରତିହତ କରିବାକୁ ରାଜ୍ୟ ରାଜ୍ୟ ମଧ୍ୟରେ ସମନ୍ବୟ ରକ୍ଷା ଓ ଗୁଇନ୍ଦା ତଥ୍ୟର ଆଦାନ ପ୍ରଦାନ ନେଇ ହୋଇଛି ମାନସମନ୍ଥନ। ସେହିପରି ଆତଙ୍କବାଦ, ବାମପନ୍ଥୀ ଉଗ୍ରବାଦର ମୁକାବିଲା ସହ ସାଇବର ସୁରକ୍ଷା, ବେଆଇନ୍ ଅନୁପ୍ରବେଶ ଓ ଶରଣାର୍ଥୀ ସମସ୍ୟାର ସମାଧାନ, ନିଶା କାରବାର ରୋକିବା, ମହିଳା ବିରୋଧୀ ଅପରାଧ ନିୟନ୍ତ୍ରଣ, ଆଇନଶୃଙ୍ଖଳା ପରିଚାଳନା, ନୂଆ ଅପରାଧ ଆଇନର କାର୍ଯ୍ୟକାରୀତାକୁ ବୈଠକରେ ଗୁରୁତ୍ଵ ଦିଆଯାଇଛି।
ସେହିପରି ବାମପନ୍ଥୀ, ଉଗ୍ରବାଦ, ଉପକୂଳ ସୁରକ୍ଷା, ନିଶାଦ୍ରବ୍ୟ କାରବାର, ସାଇବର ଅପରାଧ ଏବଂ ଆର୍ଥିକ ସୁରକ୍ଷା ସମେତ ସାମ୍ପ୍ରତିକ ଓ ଭବିଷ୍ୟତର ଜାତୀୟ ସୁରକ୍ଷା ଆହ୍ୱାନର ମୁକାବିଲା ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି । ଏହା ସହିତ, ୩ଟି ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ଏବଂ ପୋଲିସ ବ୍ୟବସ୍ଥା ସହ ଜଡ଼ିତ ସର୍ବୋତ୍ତମ ବ୍ୟବସ୍ଥାର ଅଗ୍ରଗତି ନେଇ ସମୀକ୍ଷା କରାଯାଉଛି। ୨୦୨୭ ସୁଦ୍ଧା ଭାରତକୁ ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥ ବ୍ୟବସ୍ଥାରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଲକ୍ଷ୍ୟକୁ ପୂରଣ କରିବା ଦିଗରେ ସୁରକ୍ଷା ପ୍ରତିଷ୍ଠାନ ଗୁଡ଼ିକର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜାତୀୟ ସୁରକ୍ଷା ପ୍ରତି ରହିଥିବା ଚ୍ୟାଲେଞ୍ଜ ଗୁଡ଼ିକୁ କିପରି ମୁକାବିଲା କରାଯିବ। ସାଇବର ଅପରାଧ ଉପରେ କେମିତି ଲାଗିବ ଲଗାମ୍ ? ତଟ୍ଟ ସୁରକ୍ଷାରୁ ନେଇ ଆର୍ଥିକ ସୁରକ୍ଷା ଆଦି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଡିଜିପି ସମ୍ମିଳନୀରେ ଆଲୋଚନା କରାଯାଉଛି।