ରାଜ୍ୟରେ ସରିଲା ଆଳୁ ଷ୍ଟକ, ଏଥର ସ୍ଥିତି ହେବ କ’ଣ ?

ଭୁବନେଶ୍ବର: ରାଜ୍ୟରେ ଆଉ ଗଚ୍ଛିତ ନାହିଁ ଆଳୁ । ଯାହା ଅଳ୍ପ ବହୁତ ଅଛି ୫୦ ଟଙ୍କେ କିଲୋ ପ୍ରତି ବିକ୍ରି ହେଉଛି । ଯାହା ରାତି ପାହିଲେ ୬୦ ଛୁଇଁବ ବା ତା’ଠୁ ଅଧିକରେ ବିକ୍ରି ହେବ । ସେପଟେ ପଶ୍ଚିମବଙ୍ଗ ଆଳୁ ଦେବା ନେଇ ସରକାରଙ୍କ ପକ୍ଷରୁ ଆଲୋଚନା ବି ହୋଇନାହିଁ । ଯାହାକୁ ନେଇ ସମସ୍ତ ସ୍ତରରେ ବ୍ୟାପକ ଅସନ୍ତୋଷ ତେଜିଥିବା ଲାଗିଛି । ଏମିତି ସ୍ଥିତିରେ ସରକାର ନିଜ ବିଫଳତା ସ୍ୱୀକାର କଲେ ଯାଇ ବ୍ୟବସାୟୀ ସଂଘ ଆଳୁ ଆସିବାର ବ୍ୟବସ୍ଥା କରିବ ବୋଲି କହିଛି । ଏ ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ ବାରମ୍ବାର ମିଛ କହୁଥିବା ବେଳେ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି ହୋଇଛି ।

ଆଳୁ ଦର ଦିନକୁ ଦିନ ବଢୁଛି ସିନା କମୁନି । ରାଜ୍ୟରେ ଆଦୌ ନାହିଁ ଷ୍ଟକ । ଦୈନିକ ୪୫୦୦ ଟନ ଆଳୁର ଆବଶ୍ୟକ ଥିବା ବେଳେ ଏବେ ମାତ୍ର ୫୦୦ ଟନ ଆଳୁ ମିଳୁଛି । ଯାହାକି ଏକ ଉତ୍କଟ ସମସ୍ୟା ରୂପେ ଉଭା ହୋଇଛି । ପନିପରିବା ଦର ଆକାଶ ଛୁଆଁ ହୋଇଥିବାରୁ ଆଳୁରେ ଲୋକଙ୍କ କାମ ଚଳିଯାଉଥିଲା । କିନ୍ତୁ ଏବେ ଆଳୁ ମିଳୁ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ରାଜ୍ୟର ଗୋଦାମ ଓ ଶୀତଳ ଭଣ୍ଡାରଗୁଡିକରେ ଆଉ ଆଳୁ ନାହିଁ । ଫଳରେ ଯେଉଁଠି ବି କିଛି ଆଳୁ ଅଛି ଛୋଟ ବ୍ୟବସାୟୀଙ୍କୁ ବହୁ ଅଧିକ ରେଟରେ କିଣିବାକୁ ପଡୁଛି । ୩୮ କିଲୋ ପ୍ୟାକେଟ ଆଳୁ କ୍ଷୁଦ୍ର ବ୍ୟବସାୟୀ ୧୮୫୦ ଟଙ୍କାରେ କିଣିଛନ୍ତି । ଫଳରେ ସେମାନଙ୍କୁ କିଲୋ ପିଛା ପ୍ରାୟ ୫୦ ଟଙ୍କା ପଡି ଯାଉଥିବା ବେଳେ କେତେ ଟଙ୍କାରେ ବିକ୍ରି କରିବେ ବୋଲି କ୍ଷୁଦ୍ର ବ୍ୟବସାୟୀ ପ୍ରଶ୍ନ କରିଛନ୍ତି । ଗତଥର ଲୋକଙ୍କ ପାଖରେ ବ୍ୟବସାୟୀ ସଂଘ ଆଳୁ ପହଞ୍ଚାଇ ଦେଇଥିବାରୁ ସରକାର କଷ୍ଟ କ’ଣ ବୁଝିପାରି ନଥିଲେ । ଏଥର କିନ୍ତୁ ବୁଝିବେ ବୋଲି କହିଛି ବ୍ୟବସାୟୀ ସଂଘ । ସରକାର ବିଫଳ ହେଲେ ଯାଇ ସମସ୍ୟା ସମାଧାନ ପାଇଁ ଉଦ୍ୟମ ଆରମ୍ଭ କରାଯିବ ବୋଲି କହିଛନ୍ତି ରାଜ୍ୟ ବ୍ୟବସାୟୀ ସଂଘ ମହାସଚିବ ସୁଧାକର ପଣ୍ଡା ।

ସେପଟେ ବାଲେଶ୍ବର ବଜାରରେ ଆଳୁ ଦର ହୁ ହୁ ବଢି ଚାଲିଛି । ଆଳୁ ଗୋଦାମ ମାଲିକମାନେ ଗଳା ରାସ୍ତା ଦେଇ କାଁ ଭାଁ ଆଳୁ ବାଲେଶ୍ବରକୁ ଆଣୁଛନ୍ତି । ଆଳୁର ଅଭାବ ଓ ଦର ବୃଦ୍ଧିକୁ ନେଇ ଗ୍ରାହକମାନେ ବ୍ୟାପକ ଅସନ୍ତୋଷ ଝାଡିଛନ୍ତି । ଜଗତସିଂହପୁର ସାପ୍ତାହିକ ସୋମନାଥ ହାଟ ଏହାର ଜ୍ବଳନ୍ତ ଉଦାହରଣ । ଆଳୁ ନମିଳିବାରୁ ଚିନ୍ତାରେ ଗ୍ରାହକ । ଏ ପ୍ରସଙ୍ଗରେ ଓଡ଼ିଆ ଅସ୍ମିତା ପରିଷଦ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମଧ୍ୟ ଏ ଯାଏଁ ଫଳ କିଛି ମିଳିନାହିଁ । ଯୋଗାଣ ମନ୍ତ୍ରୀ ମିଛ ଗପ ଛାଡ଼ି ଲୋକଙ୍କୁ କିଭଳି ସୁଲଭ ମୂଲ୍ୟରେ ଆଳୁ ପହଞ୍ଚାଯିବ ସେ ନେଇ କାର୍ଯ୍ୟ କରିବାକୁ ଦାବି ରଖିଛି ଓଡ଼ିଆ ଅସ୍ମିତା ପରିଷଦ ।

ପୂର୍ବରୁ ପଶ୍ଚିମବଙ୍ଗ ଆଳୁ ଯୋଗାଣ ବନ୍ଦ କରିଥିବା ବେଳେ ମାସାଧିକ କାଳ ରାଜ୍ୟରେ ଆଳୁ ସଙ୍କଟ ଲାଗି ରହିଥିଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ଏବେ ପୁଣି କିଭଳି ସ୍ଥିତି ସୃଷ୍ଟି ହେଉଛି ତା ଉପରେ ସମସ୍ତଙ୍କ ନଜର ।