ଡିଜିପି ସମ୍ମିଳନୀ: ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ଜିରୋ ଟଲରାନ୍ସ ନୀତି ଆପଣାଇବାକୁ ଗୁରୁତ୍ଵ
ଭୁବନେଶ୍ବର: ଭୁବନେଶ୍ଵରରେ ଚାଲିଥିବା ଡିଜିପି ସମ୍ମିଳନୀର ଆଜି ହେଉଛି ଦ୍ଵିତୀୟ ଦିନ । ଆଜିର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି । ଲୋକସେବା ଭବନରେ ଚାଲିଥିବା ଏହି ସମ୍ମିଳନୀରେ ଦେଶର ସୁରକ୍ଷା ବ୍ୟବସ୍ଥାକୁ ନେଇ ବହୁ ଗୁରୁତ୍ଵପୂର୍ଣ୍ଣ ଦିଗ ଉପରେ ଆଲୋଚନା ହେଉଛି । ସବୁଠୁ ବଡ କଥା ହେଲା ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ଜିରୋ ଟଲରାନ୍ସ ନୀତି ଆପଣାଇବାକୁ ଗୁରୁତ୍ଵ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।
ପ୍ରଥମ ଥର ପାଇଁ ଓଡିଶାରେ ଆୟୋଜିତ ହୋଇଥିବା ଡିଜିପି ଓ ଆଇଜିପି ସମ୍ମିଳନୀରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ସାଇବର ଥ୍ରେଟଠାରୁ ଆରମ୍ଭ କରି ମାଓବାଦୀ ଦମନ ରଣନୀତି ନେଇ ଆଲୋଚନା ହୋଇଛି । ଆଭ୍ୟନ୍ତରୀଣ ସୁରକ୍ଷା ସହ ଅନ୍ତର୍ଘାତୀ ଆକ୍ରମଣକୁ ପ୍ରତିହତ କରିବାକୁ ରାଜ୍ୟ ରାଜ୍ୟ ମଧ୍ୟରେ ସମନ୍ବୟ ରକ୍ଷା ଓ ଗୁଇନ୍ଦା ତଥ୍ୟର ଆଦାନ ପ୍ରଦାନ ନେଇ ମାନସ ମନ୍ଥନ । ଆତଙ୍କବାଦ, ବାମପନ୍ଥୀ ଉଗ୍ରବାଦର ମୁକାବିଲା ସହ ସାଇବର ସୁରକ୍ଷା, ବେଆଇନ୍ ଅନୁପ୍ରବେଶ ଓ ଶରଣାର୍ଥୀ ସମସ୍ୟାର ସମାଧାନ, ନିଶା କାରବାର ରୋକିବା, ମହିଳା ବିରୋଧୀ ଅପରାଧ ନିୟନ୍ତ୍ରଣ, ଆଇନଶୃଙ୍ଖଳା ପରିଚାଳନା, ନୂଆ ଅପରାଧ ଆଇନର କାର୍ଯ୍ୟକାରୀତାକୁ ଗୁରୁତ୍ଵ ଦିଆଯାଇଛି । ଡିଜିପି ସମ୍ମିଳନୀ ପାଇଁ ଭୁବନେଶ୍ଵରରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି ।
ଦେଶର ଶୀର୍ଷ ସ୍ତରୀୟ ପୋଲିସ ନେତୃତ୍ୱ ତିନି ଦିନ ଧରି ବାମପନ୍ଥୀ ଉଗ୍ରବାଦ, ଉପକୂଳ ସୁରକ୍ଷା, ନିଶାଦ୍ରବ୍ୟ କାରବାର, ସାଇବର ଅପରାଧ ଓ ଆର୍ଥିକ ସୁରକ୍ଷା ସମେତ ସାମ୍ପ୍ରତିକ ଓ ଭବିଷ୍ୟତର ଜାତୀୟ ସୁରକ୍ଷା ଆହ୍ୱାନର ମୁକାବିଲା ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବେ । ଏହାସହ ୩ଟି ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ଓ ପୋଲିସ ବ୍ୟବସ୍ଥା ସହ ଜଡ଼ିତ ସର୍ବୋତ୍ତମ ବ୍ୟବସ୍ଥାର ଅଗ୍ରଗତି ନେଇ ସମୀକ୍ଷା କରାଯିବ । ୨୦୨୭ ସୁଦ୍ଧା ଭାରତକୁ ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥ ବ୍ୟବସ୍ଥାରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଲକ୍ଷ୍ୟକୁ ପୂରଣ କରିବା ଦିଗରେ ସୁରକ୍ଷା ପ୍ରତିଷ୍ଠାନଗୁଡ଼ିକର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।