ବିଜେପି ଶୀର୍ଷ ନେତୃତ୍ବଙ୍କ ଓଡ଼ିଶାକୁ ଏତେ ଫୋକସ୍ କେବଳ ଲୁଟିବା ପାଇଁ: ଜୟଦେବ
1 min readଭୁବନେଶ୍ବର: ଡିଜିପି ସମ୍ମିଳନୀ ଦେଶର ଯେ କୌଣସି ରାଜ୍ୟରେ ହୁଏ, ଏଥର ଓଡିଶାରେ ହେଉଛି । ଆନ୍ଧ୍ର, ମହାରାଷ୍ଟ୍ରରେ ନୌବାହିନୀ ଶୋ’ ହୁଏ, ଏଥର ପୁରୀରେ ହେଉଛି । ବ୍ରିଟିଶ ଅମଳରୁ ଡିଜିପି ସମ୍ମିଳନୀ ହେଉଥିଲେ ସୁଦ୍ଧା ଓଡି଼ଶାରେ ବିଜେପି ଏହାକୁ ପ୍ରଥମ ଥର ପାଇଁ ଆୟୋଜନ କରିଛି ବୋଲି ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ଟାର୍ଗେଟ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା । ବିଜେପି ଶୀର୍ଷ ନେତୃତ୍ବ ଓଡି଼ଶାବାସୀଙ୍କୁ ବୋକା ଭାବୁଛନ୍ତି ବୋଲି କହି ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ।
ସେ କହିଛନ୍ତି, ପର୍ଯ୍ୟଟନ ବିକାଶ ନେଇ ଯାହା ଘୋଷଣା କରିଛନ୍ତି ତାହା ଦିନରେ ସ୍ବପ୍ନ ଦେଖିବା ଭଳି l ଏହା ପଛରେ ଆଦାନୀ ଷଡଯନ୍ତ୍ର ରହିଛି l ଭାରତ ବର୍ଷରେ ଓଡିଶାରୁ ଅଧିକ ଲୁଟ ହୋଇପାରିବ ବୋଲି ବିଜେପିର ଡବଲ ଇଞ୍ଜିନ ସରକାର ଜାଣିଛି l ତେଣୁ ଓଡ଼ିଶାର ଉପରେ ଏବେ ନଜର ପକାଇଛନ୍ତି ବୋଲି କହି ଟାର୍ଗେଟ କରିଛନ୍ତି ଜୟଦେବ l
୫ ମାସ ଭିତରେ ବିଜେପି ଯାହା ପ୍ରତିଶ୍ରୁତି ଦେଇଥିଲା ତାହା କରିନାହାଁନ୍ତି l ସୁଭଦ୍ରା, ଭତ୍ତା ପରି ସବୁ କ୍ଷେତ୍ରରେ ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି l ଓଡିଶାରେ ଆମ୍ବ ଟାକୁଆ ଖାଇ ଲୋକେ ମରୁଛନ୍ତି । ବିଜେପି ମନ୍ତ୍ରୀମାନେ ଯେପରି ବୟାନ ଦେଉଛନ୍ତି ତାହା ସଭିଙ୍କୁ ବ୍ୟଥିତ କରିଛି l ବିଜେପି ୫ ମାସ ଭିତରେ ଯେତେ ବଦନାମ ହୋଇଛି, ତାହା ୫୦ ବର୍ଷ ରାଜନୀତିରେ କେବେ ଦେଖିନି ବୋଲି କହିଛନ୍ତି ଜୟଦେବ l
ଆଗକୁ ସେ କହିଛନ୍ତି, ୫ ମାସ ଭିତରେ ଓଡ଼ିଶାବାସୀଙ୍କ ମନରେ ଯେତିକି ଅସନ୍ତୋଷ ହୋଇଛି ତାହାକୁ ପ୍ରଶମିତ କରିବା ପାଇଁ ବିଜେପିର ଶୀର୍ଷ ନେତୃତ୍ୱ ଏଠାକୁ ଆସିଛନ୍ତି । ତେଣୁ ବିଜେପି ନେତାଙ୍କୁ ଶୀର୍ଷ ନେତୃତ୍ୱ ଦଳୀୟ କାର୍ଯ୍ୟାଳୟରେ ଏକାଠି କରି ସଚେତନ କରିଛନ୍ତି l ବାହାରକୁ କିନ୍ତୁ ଭିନ୍ନ ବାର୍ତ୍ତା ଦେଉଛନ୍ତି ବୋଲି ସମାଲୋଚନା କରିଛନ୍ତି ଜୟଦେବ । ପଣ୍ଡିତ ଜବାହାରଲାଲ ନେହରୁ ଓଡ଼ିଶାରେ ଲମ୍ବା ସମୟ ଧରି ରହିଥିଲେ l ଖଣ୍ଡଗିରିରେ ଏଆଇସିସି ଅଧିବେସନ ହୋଇଥିଲା l ତେଣୁ ଏଥିରେ କିଛି ନୂତନତା ନାହିଁ ବୋଲି କହିଛନ୍ତି ଜୟଦେବ ।
ସେପଟେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି, ପ୍ରଧାନମନ୍ତ୍ରୀ ଯଦି ପ୍ରକୃତରେ ଓଡ଼ିଶାକୁ ଭଲ ପାଆନ୍ତି ଓ ସ୍ଵତନ୍ତ୍ର ଦୃଷ୍ଟି ଦେଉଛନ୍ତି ବୋଲି କହୁଛନ୍ତି ତେବେ ଓଡ଼ିଶାକୁ ଆନ୍ଧ୍ର, ବିହାର ପରି ସ୍ଵତନ୍ତ୍ର ପ୍ୟାକେଜ ଦିଅନ୍ତୁ । ପୋଲାଭରମରେ ମାଲକାନାଗିରି ବୁଡିଲାଣି । ମହାନଦୀରେ ପାଣି ନାହିଁ । ଆମ୍ବ ଟାକୁଆ ଖାଇ ୩ ଜଣଙ୍କ ମୃତ୍ୟୁ ହେଲା । ସେ ବିଷୟରେ ପ୍ରଧାନମନ୍ତ୍ରୀ ଚୁପ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ଓଡି଼ଶାବାସୀ ବିଜେପିକୁ ୨୦ ସାଂସଦ ଦେଇଛନ୍ତି । ହେଲେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ କ’ଣ ଦେଲେ ବୋଲି ପ୍ରଶ୍ନ କରିଛନ୍ତି ରାମଚନ୍ଦ୍ର । ଓଡିଶାବାସୀ ତାଙ୍କୁ ବିଶ୍ୱାସ କରି ଭୋଟ ଦେଇଛନ୍ତି l ଏଯାଏଁ ଓଡ଼ିଶାକୁ ବିଜେପିର ଡବଲ ଇଞ୍ଜିନ ସରକାର ଅଣଦେଖା କରିଛି ବୋଲି ସମାଲୋଚନା କରିଛନ୍ତି ରାମଚନ୍ଦ୍ର ।