ବାତ୍ୟାରେ ପରିଣତ ହୋଇପାରେ ଗଭୀର ଅବପାତ; ତାମିଲନାଡୁରେ ପ୍ରବଳ ବର୍ଷା ଓ ପବନ ଆରମ୍ଭ

ଚେନ୍ନାଇ : ଆଜି ବାତ୍ୟାରେ ପରିଣତ ହୋଇପାରେ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ । ବାତ୍ୟାରେ ପରିଣତ ହେବା ପରେ ସାଇକ୍ଲୋନ୍ ଫେଙ୍ଗଲ କାକାଇକାଲ ଓ ମହାବଳୀପୁରମ ମଝିରେ ଉପକୂଳ ଅତିକ୍ରମ କରିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ହେଲେ ଏବଠୁ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଦକ୍ଷିଣ ଭାରତ ସମେତ ଅନେକ ରାଜ୍ୟରେ ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି।

ନାଗପଟ୍ଟିନମ ସମେତ ଅନ୍ଯାନ୍ୟ ସ୍ଥାନରେ ବର୍ଷା ହୋଇଛି। ତାମିଲନାଡୁର ସମୁଦ୍ର କୂଳରେ ବଡ଼ ଲହର ଉଠୁଛି । ତାମିଲନାଡୁର କୁଡାଲୋର, କରାଇକାଲ, ଆଥିରାମପାଟ୍ଟିନମ୍, ପାରଙ୍ଗିପେଟ୍ଟାଇ, ମୀନାମ୍ବକମ୍ ସମେତ ତାମିଲନାଡୁର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ତାମିଲନାଡ଼ୁ ଓ ପୁଡ଼ୁଚେରୀ ଉପକୂଳରେ ପ୍ରବଳ ବର୍ଷା ସହ ପବନ ବହିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି।

ବାତ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ରେଡ୍ ଆଲର୍ଟ ଜାରି କରାଯାଇଛି। ସତର୍କତା ଦୃଷ୍ଟିରୁ ପୁଡୁଚେରୀରେ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି । ବିମାନ ଉଡାଣ ମଧ୍ୟ ପ୍ରଭାବିତ ହୋଇଛି। ଏକ ତାରିଖ ପର୍ଯ୍ୟନ୍ତ ସୁମଦ୍ରକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ବାତ୍ୟା ମୁକାବିଲା ପାଇଁ ତାମିଲନାଡୁ ସରକାର ସଜାଗ ରହିଛନ୍ତି ।