ତେଜିଲା ସମ୍ବିଧାନ ଅବମାନନା ପ୍ରସଙ୍ଗ: ସରକାରଙ୍କୁ ନବୀନଙ୍କ ସମାଲୋଚନା

ଭୁବନେଶ୍ୱର: ତେଜିଲା ସମ୍ବିଧାନ ଅବମାନନା ପ୍ରସଙ୍ଗ। ସରକାରଙ୍କୁ ସମାଲୋଚନା କଲେ ନବୀନ । କହିଲେ, ଅକ୍ଷମଣୀୟ ଭୁଲ କରିଛନ୍ତି ସରକାର। ବିଧାନସଭାରେ ସ୍ପଷ୍ଟୀକରଣ ରଖିଲେ ସଂସଦୀୟ ବ୍ୟାପର ମନ୍ତ୍ରୀ। ସମ୍ବିଧାନକୁ ଅସମ୍ମାନ କରିଛନ୍ତି ରାଜ୍ୟ ସରକାର। ସମ୍ବିଧାନ ଦିବସ ଅବସରରେ ବିଧାନସଭାରେ ସମ୍ବିଧାନ ମୁଖବନ୍ଧରୁ ରାଜ୍ୟ ସରକାର ଧର୍ମ ନିରପେକ୍ଷ  ଓ ସମାଜବାଦ ଶବ୍ଦକୁ ବାଦ ଦେଇଛନ୍ତି । ଏନେଇ ସରକାରଙ୍କୁ ଏ ପ୍ରସଙ୍ଗରେ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସମ୍ବିଧାନରେ ଦୁଇଟି ଶଦ୍ଦ ନରହିବା ଗୁରୁତର ତ୍ରୁଟି ଓ ଏହା ଅକ୍ଷମଣୀୟ ଭୁଲ। ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର। ତେଣୁ ଏହି ଦୁଇ ଶବ୍ଦ ସମ୍ବିଧାନରେ ରହିବା ଆବଶ୍ୟକ। ଏଭଳି ଅକ୍ଷମଣୀୟ ଭୁଲରୁ ସରକାର ଦୂରେଇ ରହିବା ପାଇଁ ରାଜ୍ୟ ସରକାରଙ୍କୁ ନବୀନ ପରାମର୍ଶ ଦେଇଛନ୍ତି। ଦୁଇଦିନ ହେବ ସମ୍ବିଧାନ ମୁଖବନ୍ଧ ସୁଧାରିବା ପାଇଁ ବିଜେଡି ଦାବି କରୁଥିବା ବେଳେ ନବୀନ ଆଜି ସରକାରଙ୍କୁ ସମାଲୋଚନା କରିଛନ୍ତି।

ସେପଟେ ଶୂନ୍ୟକାଳରେ ସମ୍ବିଧାନକୁ ଅସମ୍ମାନ ନେଇ ସରକାରଙ୍କୁ ବିରୋଧୀ ଦଳ ନେତା ଘେରିବା ପରେ ସଂସଦୀୟ ବ୍ୟାପର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୃହରେ ସ୍ପଷ୍ଟୀକରଣ ଦେଇଛନ୍ତି । ବିଧାନସଭାରେ ଯେଉଁ ସମ୍ବିଧାନକୁ ପ୍ରଦର୍ଶିତ କରାଯାଉଛି ଏହା ହରିଟେଜ ସମ୍ବିଧାନ। ଏଥିରେ କୌଣସି ଦ୍ୱନ୍ଦ୍ବ ରହିବା କଥା ନୁହଁ। ପୂର୍ବ ସରକାର ଥିବା ବେଳେ ଏହା ସ୍ଥାନିତ କରାଯାଇଛି ବୋଲି କହିଥିଲେ ମୁକେଶ। ଯାହାର କଡ଼ା ଜବାବ ଦେଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ପ୍ରମିଳା ମଲ୍ଲିକଙ୍କ ଯୁକ୍ତି ହେଉଛି,  ମୁଁ ବାଚସ୍ପତି ଥିବା ସମୟରେ ଯେତେବେଳେ ବିଧାନସଭାରେ ସମ୍ବିଧାନ ସ୍ଥାନିତ କରାଯାଇଥିଲା । ସେ ସମୟରେ ସୁପ୍ରିମକୋର୍ଟ ଅର୍ଡର ଆସି ନଥିଲା । ଦୁଇ ଦିନ ତଳେ ଅର୍ଡର ଆସିଲା। ତେଣୁ ସମାଜବାଦ ଓ ଧର୍ମ ନିରପେକ୍ଷ ଶବ୍ଦକୁ ବିଧାନସଭା ସମ୍ବିଧାନରେ ସାମିଲ କରାଯାଉ। ସରକାର ଜାଣିଶୁଣି ଧର୍ମ ନିରପେକ୍ଷକୁ ଦେଶରୁ ବାଦ ଦେବାକୁ ଚାହୁଁଛନ୍ତି । ନିଜ ଭୁଲକୁ ଅନ୍ୟ ମୁଣ୍ଡରେ ଲଦି ଦେବାକୁ ସରକାର ପ୍ରୟାସ କରୁଛନ୍ତି ବୋଲି ପ୍ରମିଳା କହିଛନ୍ତି ।

ସମ୍ବିଧାନକୁ ବିଜେପି ସରକାର ଅସମ୍ମାନ କରୁଥିବାରୁ ବିରୋଧୀ ସରକାରଙ୍କୁ ଘେରିଛନ୍ତି। ତୁରନ୍ତ ସମ୍ବିଧାନର ମୁଖବନ୍ଧରେ ଧର୍ମ ନିରପେକ୍ଷ ଓ ସମାଜବାଦ ଶବ୍ଦକୁ ସ୍ଥାନୀତ କରିବାକୁ ଦାବି ଜୋର ହୋଇଛି ।