spot_img

Latest Posts

ଆମ୍ବ ଟାକୁଆ ମୃତ୍ୟୁକୁ ନେଇ ବିଧାନସଭା ହୁଲସ୍ତୁଲ, ହଟ୍ଟଗୋଳ ଓ ନାରାବାଜିରେ କମ୍ପିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ବର : ଆମ୍ବ ଟାକୁଆ ମୃତ୍ୟୁକୁ ନେଇ ଉଠିଲା ପଡ଼ିଲା ବିଧାନସଭା । ବିରୋଧୀ ବିଧାୟକଙ୍କ ହଟ୍ଟଗୋଳ ଓ ନାରାବାଜିରେ କମ୍ପିଲା ଶୀତକାଳୀନ ଅଧିବେଶନ। ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ଅନାହାର ମୃତ୍ୟୁ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ। ଗୃହ ମଧ୍ୟ ଭାଗରେ ପ୍ଲାକାର୍ଡ ଧରି ପ୍ରତିବାଦ କରିଥିଲେ କଂଗ୍ରେସ ବିଧାୟକ। ଗରିବଙ୍କୁ ଚାଉଳ ଯୋଗାଇବାରେ ବିଫଳ ହୋଇଛନ୍ତି ମୋହନ ସରକାର। ଯେଉଁଥିପାଇଁ ଭୋକ ବିକଳରେ ବିଷାକ୍ତ ଆମ୍ବ ଟାକୁଆ ଖାଇ ୩ ଜଣ ଆଦିବାସୀଙ୍କର ମୃତ୍ୟୁ ହେଲା। ତେଣୁ ଘଟଣାର ବିଚାର ବିଭାଗୀୟ ତଦନ୍ତ କରିବାକୁ ଦଳ ଦାବି କରିଛି। ଖାଲି ସେତିକି ନୁହେଁ ଏତେବଡ଼ ଘଟଣା ଘଟିଥିଲେ ବି ମାଣ୍ଡିପଙ୍କା ଗାଁକୁ ମୁଖ୍ୟମନ୍ତ୍ରୀ କି ତାଙ୍କ ମନ୍ତ୍ରୀ ଗଲେନି ବୋଲି ପ୍ରଶ୍ନ କରି ଶାସକ ଦଳକୁ ଘେରିଛି କଂଗ୍ରେସ। ଅନ୍ୟପଟେ ୨୦୨୪ ମସିହାରେ ଆମ୍ବ ଟାକୁଆ ଖାଇ ଆଦିବାସୀଙ୍କ ମୃତ୍ୟୁ ହେବାକୁ ନେଇ ବର୍ଷିଛି ବିଜେଡି । ରାଜ୍ୟ ସରକାର ଗରିବ ଲୋକଙ୍କ ରାସନ ବନ୍ଦ କଲେ। ତେଣୁ ବିଜେପି ସରକାର କେବଳ ଘୋଷଣାବାଜିର ସରକାର କହି ସମାଲୋଚନା କରିଛି ବିଜେଡି।

ଆମ୍ବ ଟାକୁଆ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କ ବିଫଳତା ପଦାରେ ପଡ଼ିବା ପରେ ଏବେ ମାପିଚୁପି ବୟାନ ଦେଉଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି। ତାଙ୍କ କହିବା କଥା, ଯଦି କିଛି ତୃଟି ଥାଏ, ସରକାର ତାକୁ ସୁଧାର କରିବେ। ହେଲେ ଆମ୍ବ ଟାକୁଆ ଜାଉ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ କହି ପୁଣି ଥରେ ଜନଜାତିଙ୍କୁ ଅପମାନିତ କରିଛନ୍ତି ବିଜେପି ନେତା। ଶାସକ ଦଳର ଏଭଳି ଯୁକ୍ତିକୁ କଡ଼ା ଭାଷାରେ ସମାଲୋଚନା କରିଛି କଂଗ୍ରେସ। ବିଜେପି ସରକାର ଆସିବା ପରେ ରାଜ୍ୟକୁ ଫେରିଛି ଅନାହାର ମୃତ୍ୟୁ। ଏଭଳି ଏକ ସ୍ପର୍ଶକାତର ପ୍ରସଙ୍ଗକୁ ନେଇ  ବିଧାନସଭାରେ ଶାସକ ଦଳକୁ ଘେରିଛନ୍ତି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ। ଯାହାକୁ ନେଇ ଏବେ ଅଠାକାଠିରେ ପଡ଼ିଛି ବିଜେପି।

Latest Posts

Don't Miss