ବାଲିଯାତ୍ରା ସାରି ଦାୟିତ୍ବ ଭୁଲିଗଲା ପ୍ରଶାସନ, ମେଳା ସରିବା ପରେ ପଡ଼ିଆରେ ପଡ଼ି ରହିଛି କୁଢକୁଢ ଅଳିଆ
କଟକ: କେଉଁଠି କାଗଜପତ୍ର ସାଙ୍ଗକୁ ପ୍ଲାଷ୍ଟିକ ଅଳିଆ ତ କେଉଁଠି ଗଦା ହୋଇ ରହିଛି ପଚସଢା ଖାଦ୍ଯ ସାମଗ୍ରୀ । ବାଲିଯାତ୍ରା ସରିବା ପରେ ଇଏ ହେଉଛି ମହାନଦୀ ପଠାର ଦୃଶ୍ଯ । ୯ ଦିନ ଧରି ମହାନଦୀ ପଠାରେ ଉପର ଓ ତଳ ପଡ଼ିଆରେ ଚାଲିଥିଲା ଐତିହାସିକ ବାଲିଯାତ୍ରା । ଶନିବାର ଠାରୁ ଏହା ଉଦଯାପିତ ହୋଇଛି । ହେଲେ ୩ ଦିନ ବିତିଥିଲେ ସୁଦ୍ଧା ପଡ଼ିଆକୁ ସଫେଇ ଉପରେ ଧ୍ଯାନ ଦେଇନି ପ୍ରଶାସନ । ଫଳରେ ଅଳିଆ ଆବର୍ଜନା ପଡ଼ି ଅଞ୍ଚଳରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି । ସକାଳୁ ସକାଳୁ ମର୍ଣ୍ଣିଂୱାକରେ ଆସୁଥିବା ଲୋକେ ଓ ସ୍ଥାନୀୟ ଅଧିବାସୀ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ତୁରନ୍ତ ଏହାକୁ ସଫା କରିବାକୁ ଲୋକେ ଦାବି କରିଛନ୍ତି ।
କଥା ହେଉଛି ବାଲିଯାତ୍ରା ପାଇଁ ଦେଢ ମାସ ଆଗରୁ ଯେଉଁ ପ୍ରସ୍ତୁତି ପ୍ରଶାସନ ଓ ସିଏମସି କରନ୍ତି ସେଥିରେ ପୂର୍ବ ପ୍ରସ୍ତୁତି, ମେଳାର ସଫଳ ଆୟୋଜନ ସହ ମେଳା ପରବର୍ତ୍ତି ସଫେଇ ଓ ପରିବେଶ ରକ୍ଷା କଥା ସ୍ଥିର ହୋଇ ଥାଏ । ହେଲେ ଏବେ ମେଳା ଭଲରେ ସରିଲା ବୋଲି ଶାନ୍ତିରେ ବସି ଯାଇଛି ପ୍ରଶାସନ । ଯେଉଁମାନେ ସଫେଇ ଦାୟିତ୍ବ ନେଇଛନ୍ତି ସେମାନେ ନିଜ ଦାୟିତ୍ବରେ ହେଳା କରିଛନ୍ତି । ଏକ ଘରୋଇ ସଂସ୍ଥା ସଫେଇ ଦାୟିତ୍ବ ନେଇଛି । ତେବେ କାମ କାହିଁକି ଆରମ୍ଭ ହୋଇନି ସେନେଇ ଅନୁଧ୍ଯାନ କରାଯିବ ବୋଲି କହିଛନ୍ତି ମେୟର ।