ଅନ୍ତର୍ଜାତୀୟ ବାଣିଜ୍ଯ କ୍ଷେତ୍ରରେ ଡୋନାଲ୍ଡ ଟ୍ରମ୍ପଙ୍କ କଠୋର ଆଭିମୁଖ୍ଯ

ନୂଆଦିଳ୍ଲୀ : ଅନ୍ତର୍ଜାତୀୟ ବାଣିଜ୍ଯ କ୍ଷେତ୍ରରେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଠୋର ଆଭିମୁଖ୍ଯ । ମେକ୍ସିକୋ ଓ କାନାଡାରୁ ଆମଦାନୀ ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଚାହିଁଲେ ଟ୍ରମ୍ପ । ସେହିପରି ଚୀନ ସାମଗ୍ରୀ ଉପରେ ୧୦ ପ୍ରତିଶତ କର ଲାଗୁ କରିବାକୁ ଟ୍ରମ୍ପ ଚାହିଁଛନ୍ତି । ବେଆଇନ ଡ୍ରଗ୍ସ ଓ ଅନୁପ୍ରବେଶ ରୋକିବାକୁ ଟ୍ରମ୍ପ ଏହି ପଦକ୍ଷେପ ନେବାକୁ ଚାହିଁଛନ୍ତି । କେବଳ ଏତିକି ନୁହେଁ ଆମେରିକା ଆମଦାନୀ କରୁଥିବା ଅନ୍ଯାନ୍ଯ ଦେଶର ବହୁ ସାମଗ୍ରୀ ଉପରେ ଅଧିକ କର ଲାଗୁ କରିବାକୁ ଟ୍ରମ୍ପ ଚାହିଁଛନ୍ତି । ଆସନ୍ତା ଜାନୁଆରୀ ୨୦ରୁ ଏହି ବ୍ଯବସ୍ଥା ଲାଗୁ ହେବ ବୋଲି ଟ୍ରମ୍ପ ସୂଚନା ଦେଇଛନ୍ତି । ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ବେଳେ କର ପ୍ରସଙ୍ଗ ଥିଲା ଟ୍ରମ୍ପଙ୍କ ଏକ ବଡ଼ ପ୍ରସଙ୍ଗ । ଏହି ପ୍ରସଙ୍ଗ ଦ୍ବାରା ଅନେକ ଆମେରିକୀୟ ବନ୍ଧୁ ରାଷ୍ଟ୍ର ଓ ତିକ୍ତ ସମ୍ପର୍କ ଥିବା ରାଷ୍ଟ୍ର ମଧ୍ଯରେ ଛନକା ପଶିଥିଲା । ସେପଟେ ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଦେଶରେ ଅଭିବୃଦ୍ଧି ହ୍ରାସ ଓ ମୁଦ୍ରାସ୍ଫୀତି ବୃଦ୍ଧି କରିବ ବୋଲି ଆଶଙ୍କା ବ୍ଯକ୍ତ କରିଛନ୍ତି ଅର୍ଥନୀତିଜ୍ଞ । ତେଣେ ଟ୍ରମ୍ପଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଟ୍ରମ୍ପଙ୍କ ସମର୍ଥକ । ଏହା ଦ୍ବାରା ଦେଶରେ ପ୍ରସ୍ତୁତି ଉଦ୍ଯୋଗରେ ଅଧିକ ନିଯୁକ୍ତି ସୃଷ୍ଟି ହେବ ବୋଲି ସେମାନେ କହିଛନ୍ତି ।