ପଦାରେ ପଡିଲା ରାଜସ୍ଥାନ ଉଦୟପୁର ରାଜବଂଶର ପାରିବାରିକ କଳି

ରାଜସ୍ଥାନ : ରାଜସ୍ଥାନ ଉଦୟପୁର ରାଜପରିବାରରେ ତୀବ୍ର ବିବାଦ । ମେବାରର ୭୭ତମ ମହାରାଣା ଭାବେ ବିଜେପି ବିଧାୟକ ବିଶ୍ବରାଜ ସିଂ ମେବାରଙ୍କୁ ଅଧିଷ୍ଠିତ କରାଯିବା ପରେ ତୀବ୍ର ହୋଇଛି ବିବାଦ । ବିଶ୍ବରାଜଙ୍କୁ ତାଙ୍କ ପୁତୁରା ଡକ୍ଟର ଲକ୍ଷ୍ଯରାଜ ସିଂ ମେବାର ପ୍ରବେଶ ଅନୁମତି ନଦେବାରୁ ରାଜପ୍ରାସାଦ ଗେଟରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା । ବର୍ତ୍ତମାନ ରାଜପ୍ରାସାଦକୁ ଲକ୍ଷ୍ଯରାଜ ଓ ଦାଦା ଶ୍ରୀଜୀ ଅରବିନ୍ଦ ସିଂ ମେବାରଙ୍କ ଦ୍ବାରା ଗଠିତ ଟ୍ରଷ୍ଟ ପରିଚାଳନା କରୁଛି । ବିଧାୟକଙ୍କ ସମର୍ଥକମାନେ ଟେକାପଥର ମାଡ କରିଥିବାବେଳେ ପ୍ରତିପକ୍ଷ ବି ଜବାବ ଦେଇଥିଲେ । ଏହି ଘଟଣାରେ ୩ ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି । ଏପରିକି ସାରା ରାତି ଏପରି ଚାଲିଥିଲା । ସମାଧାନ ଲାଗି ଜିଲ୍ଲା ପ୍ରଶାସନ ଉଦ୍ଯମ ଆରମ୍ଭ କରିଛି । ମହେନ୍ଦ୍ର ସିଂ ମେବାରଙ୍କ ମୃତ୍ଯୁର ୧୨ ଦିନ ପରେ ଐତିହାସିକ ରାଜପ୍ରାସାଦରେ ମେବାର ରାଜବଂଶର ପାରମ୍ପରିକ ଉତ୍ସବ ଅନୁଷ୍ଠିତ ହୋଇଥିଲା ଏବଂ ବିଶ୍ବରାଜଙ୍କୁ ଉତ୍ତରାଧିକାରୀ ଘୋଷଣା କରାଯାଇଥିଲା । ବିଶ୍ବରାଜ ନାଥଦ୍ବାରାର ବିଜେପି ବିଧାୟକ ଥିବାବେଳେ ପତ୍ନୀ ମହିମା କୁମାରୀ ସାଂସଦ ଅଛନ୍ତି ।

ପରମ୍ପରା ଅନୁସାରେ ରାଜପରିବାରର ଜଣେ ବୟସ୍କ ସଦସ୍ଯ ତାଙ୍କ ଆଙ୍ଗୁଠି କାଟି ସେହି ରକ୍ତରେ ବିଧାୟକଙ୍କ କପାଳରେ ରାଜତିଳକ ମାରିଥିଲେ । ଅଷ୍ଟମ ଶତାବ୍ଦୀରୁ ଏହି ପରମ୍ପରା ଚାଲିଆସିଛି । ରାଜତିଳକ ସରିବା ପରେ ରାଜପ୍ରାସାଦ ଭିତରେ ଥିବା ଧୂମିମାତା ମନ୍ଦିର ଓ ଉଦୟପୁରଠାରୁ ୫୦ କିଲୋମିଟର ଦୂରରେ ଥିବା ଏକଲିଙ୍ଗ ଶିବ ମନ୍ଦିରକୁ ଆଶୀର୍ବାଦ ନେବା ଲାଗି ଚାହିଁଥିଲେ ବିଶ୍ବରାଜ । ମାତ୍ର ପ୍ରାସାଦ ଓ ମନ୍ଦିର ଏହି ଟ୍ରଷ୍ଟ ଦ୍ବାରା ପରିଚାଳିତ ଥିବାରୁ ଏଥିଲାଗି ଅନୁମତି ଦିଆଯାଇ ନଥିଲା । ଫଳରେ ରାଜପ୍ରାସାଦ ଗେଟରେ ତୁମୁଳକାଣ୍ଡ ସୃଷ୍ଟି ହୋଇଥିଲା । ପୋଲିସ ବ୍ଯାରିକେଡ ଭାଙ୍ଗି ବିଶ୍ବରାଜଙ୍କ ସମର୍ଥକ ପ୍ରାସାଦ ଭିତରେ ପ୍ରବେଶ ଲାଗି ଉଦ୍ଯମ କରିଥିଲେ । ପ୍ରାସାଦ, ମନ୍ଦିର, ଦୁର୍ଗଗୁଡିକ ବର୍ତ୍ତମାନ ବିଶ୍ବରାଜଙ୍କ ପୁତୁରା ଓ ଦାଦାଙ୍କ ଦ୍ବାରା ପରିଚାଳିତ ହେଉଛି । ୧୯୮୪ରେ ତତକାଳୀନ ରାଜା ଭଗବତ ସିଂ ସାନପୁଅ ଅରବିନ୍ଦଙ୍କୁ ଟ୍ରଷ୍ଟର ନିର୍ଦ୍ଦେଶକ କରିବାରୁ ବଡପୁଅ ମହେନ୍ଦ୍ର ସିଂ ବିଦ୍ରୋହ କରିଥିଲେ । ଗତ ୨୪ ତାରିଖରେ ମ୍ଯାନେଜିଂ କମିଟି ପକ୍ଷରୁ ଏକ ନୋଟିସ ଜାରି ହୋଇଥିଲା । ବିଶ୍ବରାଜ ସିଂ ଏହି ଟ୍ରଷ୍ଟର ଜଣେ ସଦସ୍ଯ ନୁହନ୍ତି ଏବଂ ଅଣସ୍ବୀକୃତପ୍ରାପ୍ତ ବ୍ଯକ୍ତିଙ୍କୁ ରାଜପ୍ରାସାଦରେ ପ୍ରବେଶ କରାଇଦିଆଯିବ ନାହିଁ ବୋଲି ନୋଟିସ ଜାରି ହୋଇଥିଲା । ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ପୋଲିସ ବ୍ଯାରିକେଡ ନିର୍ମାଣ କରିଥିଲା ।