ଅଳିଆ ପାଲଟିଲାଣି ସୋସିଆଲ ମିଡିଆ, ବହୁଳ ଅପବ୍ଯବହାର ନେଇ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ଆଜିକାଲି ସୋସିଆଲ ମିଡିଆର ବହୁଳ ଅପବ୍ୟବହାର ହେଉଛି । ଏହି କଥା କହିଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ । କୋର୍ଟରେ ବିଚାରାଧୀନ ମାମଲାରେ ବିଚାରପତିଙ୍କ ଉପରେ ଟିକା ଟିପ୍ପଣୀ କରି ଚାପ ପ୍ରୟୋଗ କରିବାର ଅପଚେଷ୍ଟା କରାଯାଉଛି । ବାକ୍ ସ୍ବାଧୀନତାର ଦ୍ବାହି ଦେଇ ସମାଜର କିଛି ପ୍ରେସର ଗୃପ ଲୋକଙ୍କ ମନରେ ନ୍ୟାୟାଳୟ ପ୍ରତି ୨୦ ସେକେଣ୍ଡ ଭିତରେ ଏକ ଭୁଲ ଧାରଣା ସୃଷ୍ଟି କରିବାକୁ ଅପଚେଷ୍ଟା କରୁଛନ୍ତି । ଏଥିରେ କୋର୍ଟ ପ୍ରଭାବିତ ହେବା ଉଚିତ ନୁହଁ । ପୂର୍ବତନ ବିଚାରପତିଙ୍କ ମତ ସହିତ ଏକମତ ହୋଇଛନ୍ତି ଆଇନଜୀବୀ । ସରକାର ସୋସିଆଲ ମିଡିଆ କଣ୍ଟେଣ୍ଟ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଆଇନ ଆଣିବାକୁ ମତ ପ୍ରକାଶ ପାଇଛି ।

ଅଳିଆ ପାଲଟିଲାଣି ସୋସିଆଲ ମିଡିଆ । ୟୁ ଟ୍ୟୁବ୍ ହେଉ କି ଅନ୍ୟ ପ୍ଲାଟଫର୍ମ । ପ୍ରତି ପ୍ରସଙ୍ଗରେ ଦିଆଯାଉଛି ନିର୍ଦ୍ଦେଶ ଶୁଣାଯାଉଛି ନିଷ୍ପତ୍ତି । ୨୦ ସେକେଣ୍ଡରେ ବିଭ୍ରାନ୍ତ ହେଉଛନ୍ତି ଲୋକ । ଏପରିକି କୋର୍ଟରେ ବିଚାରାଧୀନ ମାମଲା ଉପରେ ସୋସିଆଲ ମିଡିଆରେ ଟିକା ଟିପ୍ପଣୀ ବଡ଼ ଚାଲେଞ୍ଜ ସୃଷ୍ଟି କଲାଣି । ସୁପ୍ରିମ୍କୋର୍ଟରୁ ନିକଟରେ ଅବସର ନେଇଥିବା ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଏପରି ମତ ଏବେ ନୂଆ ବିତର୍କ ସୃଷ୍ଟି କରିଛି । ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ଏପରି ଟିପ୍ପଣୀକୁ ଆଇନଜୀବୀ ମହଲ ସ୍ବାଗତ କରିଛି । କୌଣସି ମାମଲାରେ ଅନୁସନ୍ଧାନ ଚାଲିଥିବାବେଳେ ଗଣମାଧ୍ୟମ ହେଉକି ସୋସିଆଲ ମିଡିଆରେ ବ୍ୟାପକ ଚର୍ଚ୍ଚା ଆଲୋଚନା ହେଉଛି । ନିୟମ ଅଛି କୌଣସି ମାମଲା କୋର୍ଟକୁ ଗଲା ପରେ ତା ଉପରେ କୋର୍ଟ ବାହାରେ କୌଣସି ଟିପ୍ପଣୀ ଦେବା କଥା ନୁହଁ । କିନ୍ତୁ ବାକ୍ ସ୍ବାଧୀନତାର ବ୍ୟାପକ ଅପବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି । ସାମାଜିକ ଗଣମାଧ୍ୟମରେ ବିଚାରପତିଙ୍କ ସମ୍ପର୍କରେ ମଧ୍ୟ ଟିକା ଟିପ୍ପଣୀ ଦେବାକୁ କିଛି ବ୍ୟକ୍ତି ଭୁଲୁନାହାନ୍ତି । ଜଷ୍ଟିସ୍ ଚନ୍ଦ୍ରଚୂଡ଼ ତାଙ୍କର ଦୀର୍ଘ ଅନୁଭୁତିରୁ ଏପରି କହିଛନ୍ତି । କିଛି ବ୍ୟକ୍ତି ଚାପ ପ୍ରୟୋଗ କଲାଭଳି ସାମାଜିକ ଗଣମାଧ୍ୟମକୁ ବ୍ୟବହାର କରି ଲୋକଙ୍କ ମନରେ ନ୍ୟାୟାଳୟ ପ୍ରତି ଭୁଲ ଧାରଣା ସୃଷ୍ଟି କରିବାକୁ ହୀନ ଉଦ୍ୟମ କରୁଛନ୍ତି ।

ଗଣତନ୍ତ୍ରରେ ବ୍ୟକ୍ତିଗତ ଅଭିବ୍ୟକ୍ତି ପ୍ରକାଶ କରିବାର ଅଧିକାର ସମସ୍ତଙ୍କର ରହିଛି । କିନ୍ତୁ ତାହା ଲକ୍ଷ୍ମଣରେଖା ଭିତରେ ରହିବା ଆବଶ୍ୟକ । ଯେହେତୁ ସୋସିଆଲ୍ ମିଡିଆ ଉପରେ ଅଙ୍କୁଶ ଲଗାଇବାକୁ କିଛି ଏସ୍ଓପି ଲାଗୁ ହେଉନି । ଏହାର ଫାଇଦା ଉଠାଉଛନ୍ତି କିଛି ଗୋଷ୍ଠୀ । ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ଅନୁଶୀଳନ ଏବେ ନୂଆ ବିତର୍କ ସୃଷ୍ଟି କରିଛି । ବାକ୍ ସ୍ବାଧୀନତା କେତେ ପର୍ଯ୍ୟନ୍ତ କାହାକୁ ମିଳିବା ଦରକାର । ତା ଉପରେ ବିସ୍ତୃତ ତର୍ଜମା ହେବା ଦରକାର । ଖାଲି ସେତିକି ନୁହେଁ, ଅପରାଧର ଶିକାର ହୋଇଥିବା ପୀଡ଼ିତାର ମନୋବଳ ମଧ୍ୟ ମିଡିଆ ଟ୍ରାଏଲର ଶିକାର ହେଉଛି । କୋର୍ଟରେ ବୟାନ ରଖିବା ବେଳେ ମଧ୍ୟ ତାଳମେଳ ରହୁନି । ବୟାନ ବଦଳୁଥିବାରୁ ଅଭିଯୁକ୍ତ ମଧ୍ୟ ଅନେକ ମାମଲାରେ ଦଣ୍ଡିତ ହୋଇପାରୁନି । ଏବେ ସମୟ ଆସିଛି ସୋସିଆଲ ମିଡିଆକୁ ନିୟନ୍ତ୍ରଣ କରିବା ପାଇଁ ସରକାର ସ୍ବତନ୍ତ୍ର ଆଇନ ଆଣିବା ଦରକାର ।ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ଭାଷାରେ ନୀତି ନିର୍ଦ୍ଧାରଣ କରିବା ବ୍ୟବସ୍ଥାପିକା ସଭାର କାର୍ଯ୍ୟ । କିନ୍ତୁ ପାରିତ ହୋଇଥିବା ଆଇନଟି ସମ୍ବିଧାନ ସମ୍ମତ କି ନାହିଁ ତାକୁ ତର୍ଜମା କରିବା ଅଧିକାର ବିଚାରାଳୟର ରହିଛି ।