ଡବଲ ଇଞ୍ଜିନ ସରକାରରେ ଏବେ ଅଲୋଡ଼ା ହୋଇପଡ଼ିଛି ମାଣ୍ଡିଆ

ନନ୍ଦିଘୋଷ ବ୍ୟୁରୋ: ଡବଲ ଇଞ୍ଜିନ ତଥା ମୋହନ ମାଝୀ ସରକାରରେ ଏବେ ଅଲୋଡ଼ା ହୋଇପଡ଼ିଛି ମାଣ୍ଡିଆ । ପୂର୍ବ ସରକାର ମାଣ୍ଡିଆ ଚାଷ ପାଇଁ ଗୁରୁତ୍ଵ ଦେଉଥିଲେ, ମିଲେଟ୍ ମିଶନ ପାଇଁ ଆଦିବାସୀ ଜିଲ୍ଲାରେ ମାଣ୍ଡିଆ ଚାଷ ପ୍ରତି ଚାଷୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଏପରିକି ନବୀନ ସରକାର ସମୟରେ ପ୍ୟାରିସ୍ ଫୁଡ୍ ଫେଷ୍ଟିଭାଲରେ ମାଣ୍ଡିଆ ଜାତୀୟ ଖାଦ୍ୟ ସାମଗ୍ରୀ ସାମିଲ୍ ହୋଇ ଚର୍ଚ୍ଚାକୁ ଆସିଥିଲା । ରାଜ୍ୟ ସରକାରଙ୍କ ପାଇଁ ଏବେ ଅଲୋଡ଼ା ହୋଇପଡ଼ିଛି ମାଣ୍ଡିଆ ଚାଷ । ନାହିଁ ମାର୍କେଟ ସୁବିଧା ।  ତଥାପି କଳାହାଣ୍ଡିରେ ବଢୁଛି ନବୀନଙ୍କ ମାଣ୍ଡିଆ ଚାଷ । ମାଣ୍ଡିଆ ଚାଷ କରି ସ୍ଵାବଲମ୍ଵୀ ହେଉଛନ୍ତି କଳାହାଣ୍ଡିର ମାଣ୍ଡିଆ ଚାଷୀ ।

ଚାଲିଛି ମାଣ୍ଡିଆ ଉତ୍ପାଦନ । ଅମଳ ସମୟ ହୋଇଥିବାରୁ ଚାଷୀ କ୍ଷେତରୁ ମାଣ୍ଡିଆ କାଟିଆଣି ଖଳାରେ ଶୁଖାଉଛି । ଅପପୁଷ୍ଟିକୁ ଦୂର କରିବା ସହିତ ଲୋକଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇବା ଉଦ୍ଦେଶ୍ୟରେ ମାଣ୍ଡିଆ ଚାଷକୁ ଗୁରୁତ୍ଵ ଦେଇ ମିଲେଟ୍ ମିଶନ ଆରମ୍ଭ କରିଥିଲେ ନବୀନ ସରକାର । ମିଶନ ଶକ୍ତି ମାଆ ମାନଙ୍କୁ ମାଣ୍ଡିଆ ଫସଲ ସହିତ ଯୋଡ଼ାଯାଇଥିଲା । ଯେଉଁଥି ପାଇଁ ବଣ ପାହାଡ଼ ଘେରା ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲାରେ ମାଣ୍ଡିଆ ଚାଷର ଚାହିଦା ବଢ଼ିଛି । ଧାନ କପା ମକା ପରେ ଏବେ କଳାହାଣ୍ଡି ମିଲେଟ୍ ହବ ହେବାକୁ ଯାଉଛି । ଚଳିତ ବର୍ଷ ଫସଲ ଭଲ ହୋଇଥିବାରୁ ଅମଳ ଅଧିକ ହେବ ବୋଲି ଆଶା ରଖିଛନ୍ତି ଚାଷୀ ।

କ୍ଷେତରେ ବର୍ଷକୁ ୩ଥର ମାଣ୍ଡିଆ ଚାଷ ହୋଇଥାଏ । ମାଣ୍ଡିଆ ଚାଷ ପାଇଁ କମ୍ ପାଣି ଆବଶ୍ୟକ ହୋଇଥିବା ବେଳେ ଧାନ ଓ ଅନ୍ୟ ଶଷ୍ୟଠାରୁ ଅଧିକ ଲାଭ ମିଳିଥାଏ । ଦିନେ ଭୋକ ମେଣ୍ଟାଇବା ପାଇଁ କାଆଁ ଭାଁ ଅଞ୍ଚଳରେ ଲୋକେ ମାଣ୍ଡିଆ ଚାଷ କରୁଥିଲେ । ହେଲେ ଆଜି କଳାହାଣ୍ଡି ଜିଲ୍ଳା ଧର୍ମଗଡ଼ କୃଷି ଜିଲ୍ଲାର ଗୋଲାମୁଣ୍ଡା ଓ କୋକସରା ବ୍ଲକରେ ପାଖାପାଖି ୧୨ଶହ ହେକ୍ଟର ଚାଷ ଜମିରେ ହେଉଛି । ଚଲିତ ବର୍ଷ ଏକର ପ୍ରତି ୫ କ୍ଵିଣ୍ଟାଲ ମାଣ୍ଡିଆ ଅମଳ ହେବାର ଲକ୍ଷ୍ୟ ରଖିଛି ଜିଲ୍ଲା କୃଷି ବିଭାଗ ।