ଆସନ୍ତାକାଲି ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲି ଶ୍ରୀମନ୍ଦିରରେ ପ୍ରାୟ ୪ ଘଣ୍ଟା ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଅଛି। ଆସନ୍ତାକାଲି ୨୫ ତାରିଖ ସୋମବାର ମାର୍ଗଶୀର କୃଷ୍ଣ ଦଶମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ପଇତାଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଏହି ଗୁପ୍ତାନୀତି ସମାପନ କରାଯିବ। ଏ ନେଇ ଆପାତତଃ ଅପରାହ୍ନ ୫ଘଟିକା ଠାରୁ ରାତ୍ର ୯ଘଟିକା ପର୍ଯ୍ୟନ୍ତ ପ୍ରାୟ ୪ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀଜୀଉମାନଙ୍କ ପଇତା ଲାଗି ନୀତି ଦ୍ୱିତୀୟ ଭୋଗମଣ୍ଡପ ପରେ ପରେ ଅନୁଷ୍ଠିତ ହେବ । ଏହି ପଇତା ଲାଗି ସେବା ଦଇତାପତି ସେବକମାନଙ୍କର ଏକ ଗୋଷ୍ଠୀ ଗତ ସେବା ଅଟେ । ଶ୍ରୀଜୀଉମାନଙ୍କଠାରେ ଦୈନଦିନ ଲାଗି ହେଉଥିବା ଚନ୍ଦନର ସୁରକ୍ଷା ପାଇଁ ମହାପ୍ରଭୁଙ୍କ ପଇତା ଲାଗି କରାଯାଇଥାଏ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପାଟର ସେବକଙ୍କୁ ପଇତା ବୋଳିବା ପାଇଁ ତିନି ରଙ୍ଗର ବାସୁଙ୍ଗାପାଟ ଯୋଗାଇଥାଏ । ପାଟରା ସେବକ ଉକ୍ତ ବାସୁଙ୍ଗା ପାଟ ନେଇ ଶ୍ରୀଲଷ୍ମୀ ମନ୍ଦିର ଜଗମୋହନରେ ବସି ପାଟ ପଇତା ବୋଳିଥାନ୍ତି। ପଇତା ବୋଳି ସାରି ପାଟରା ସେବକ ସେହି ଦିନ ଦେଉଳ କାରଣଙ୍କୁ ଯୋଗାଇଥାନ୍ତି । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ପଇତାଲାଗି ନୀତି ସମୟରେ ସାଧାରଣ ଦର୍ଶନ ବନ୍ଦ ରହେ।