ଦାଉ ସାଜିଲାଣି ଭାରତରେ ବାୟୁ ପ୍ରଦୂଷଣ
1 min readନନ୍ଦିଘୋଷ ବ୍ୟୁରୋ: ଭାରତରେ ବାୟୁ ପ୍ରଦୂଷଣ ଅଧିକ। ବାୟୁ ପ୍ରଦୂଷଣ ଯୋଗୁ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି ଧୂମପାନ କରୁନଥିବା ବ୍ୟକ୍ତି। ବିଶ୍ବର ଅନ୍ୟରାଷ୍ଟ୍ର ତୁଳନାରେ ଭାରତରେ ୧୦ପ୍ରତିଶତ ଅଧିକ ଅଛନ୍ତି ଫୁସଫୁସ କର୍କଟ ରୋଗୀ। PM ୨.୫ ପ୍ରଦୂଷଣ ପାଇଁ ଦେଶର ଅଧିକାଂଶ ଯୁବକଯୁବତୀ ଆଡେନୋକାର୍ସିନୋମା ରୋଗରେ ପୀଡ଼ିତ ହେଉଛନ୍ତି। ଆଲର୍ଜିସ୍ ଯୋଗୁ ପିଲାଙ୍କର ଛାଡ଼ୁନି ଥଣ୍ଡା କାଶ ସହିତ ଶ୍ବାସଜନିତ ରୋଗ।ବିଶେଷଜ୍ଞଙ୍କ ପରାମର୍ଶ ଶୀତଦିନେ ବେଶୀ ବାୟୁ ପ୍ରଦୂଷଣ ଦେଖାଦେଇଥାଏ। ବାହାରକୁ ବାହାରିଲେ N-୯୫ ମାସ୍କ୍ ସହିତ ଘରେ ବାୟୁ ଶୋଧନ ଯନ୍ତ୍ର ରଖିଲେ ସୁସ୍ଥ ରହିପାରିବେ ।
ଦାଉ ସାଜିଲାଣି ବାୟୁ ପ୍ରଦୂଷଣ। ବଢଉଛି ଫୁସଫୁସ କର୍କଟ ରୋଗ ଆଡେନୋକାର୍ସିନୋମା। ବିପଦରେ ଧୂମପାନ କରୁ ନଥିବା ବ୍ୟକ୍ତି। PM ୨.୫ କଣିକା ଫୁସଫୁସ କାନ୍ଥରେ ଜମା ହୋଇ ଅସ୍ବାଭାବିକ ପ୍ରକ୍ରିୟା ସୃଷ୍ଟି କରୁଛି। ନିକୃଷ୍ଟ ବାୟୁ ମଧ୍ୟ ପିଲାଙ୍କ ଥଣ୍ଡା, କାଶ ଓ କଫର ମୁଖ୍ୟ କାରଣ ହୋଇଛି। ଭାରତୀୟ ବୈଜ୍ଞାନିକଙ୍କ ଏପରି ତଥ୍ୟକୁ ପ୍ରକାଶ କରିଛି ଲାନ୍ସେଟ୍ ପତ୍ରିକା।ଦିଲ୍ଲୀ ପରେ ଦେଶର ବଡ଼ ବଡ଼ ସହରରେ ଏବେ ଆତଙ୍କ। ଭୁବନେଶ୍ବର-କଟକରେ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି। ଆଦୌ ମାଦକ ଦ୍ରବ୍ୟ ସେବନ କରୁନଥିବା ବ୍ୟକ୍ତି ଫୁସଫୁସ କର୍କଟ ରୋଗରେ ପୀଡ଼ିତ ହେଉଛନ୍ତି। ଖାଲି ସେତିକି ନୁହେଁ ସାଧାରଣତ ପିଲାଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି କମ ଥାଏ । ଖରାପ ବାୟୁର ମାନ ଯୋଗୁ ଆଜିକାଲି ପିଲାମାନେ ବେଶୀ ଥଣ୍ଡା, କାଶ, କଫ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏହାସହିତ ଶ୍ବାସ ଜନିତ ରୋଗ ଯେପରିକି ଶ୍ବାସ, ବ୍ରୋଙ୍କାଇଟିସ ସହ ଅନ୍ୟ ଛାତିରୋଗରେ ଆକ୍ରାନ୍ତ ହେଉଛନ୍ତି। ଏହାସହିତ ଆମେରିକାର କଲରାଡ଼ୋ ମେଡିକାଲ ସାଇସନ୍ସ ବୈଜ୍ଞାନିକଙ୍କ ମତରେ ବାୟୁ ପ୍ରଦୂଷଣ ଯୋଗୁ ପିଲାଙ୍କର ବଢୁଛି ଆଲର୍ଜିସ ରୋଗ। ଯେଉଁ କାରଣରୁ ଅଧିକାଂଶ ପିଲାଙ୍କ ଆଖି ଖରାପ ହେଉଛି।ପ୍ରଦୂଷିତ ଅଞ୍ଚଳରେ ଲୋକେ ଏଣିକି ଏନ-୯୫ ମାସ୍କ୍ ବ୍ୟବହାର କରିବା ସହ ଘରେ ସ୍ବଚ୍ଛ ବାୟୁ ଚଳପ୍ରଚଳ ଉପରେ ଗୁରୁତ୍ବ ଦେବା ଜରୁରୀ
ଦିଲ୍ଲୀ ଦଶା ଦିନେ ଭୁବନେଶ୍ବର ଭୋଗିପାରେ। ବାୟୁ ପ୍ରଦୂଷଣ କରୁଥିବା ଉତ୍ସଗୁଡ଼ିକୁ ନିୟନ୍ତ୍ରଣ କରିବାକୁ ପଡ଼ିବ। ପରିବେଶବିତଙ୍କ ମତରେ ଦିଲ୍ଲୀ ପରି ଭୁବନେଶ୍ବର-କଟକ ବାୟୁମଣ୍ଡଳକୁ ସଫା କରିବା ପାଇଁ କୃତ୍ରିମ ବର୍ଷା ସ୍ଥାୟୀ ସମାଧାନ ଆଣିପାରିବ ନାହିଁ। ଏଥିପାଇଁ ସବୁ ଲୋକେ ସଚେତନ ହୋଇ ବାୟୁର ମାନ ବଢାଇବାକୁ ଉଦ୍ୟମ କରିବା ଆବଶ୍ୟକ। ଯେଉଁ ଗାଡ଼ିଗୁଡ଼ିକ ୧୫ ବର୍ଷରୁ ଅଧିକ ପୁରୁଣା, ସେଗୁଡ଼ିକୁ ରାସ୍ତାରୁ ସମ୍ପୂର୍ଣ୍ଣ ହଟାଇବାକୁ ପଡ଼ିବ। ଏହାସହିତ ନିର୍ମାଣ କାର୍ଯ୍ୟବେଳେ ଯେପରି କଂକ୍ରିଟ୍ଗୁଣ୍ଡ ବାୟୁରେ ବ୍ୟାପେ। ସେଥିପ୍ରତି ଜନସାଧାରଣ ଓ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବା ଦରକାର।ବାୟୁମଣ୍ଡଳରେ ଏସବୁ ଛୋଟ ଛୋଟ କଣିକାରେ ପରିବର୍ତ୍ତନ ହୋଇ ଘୁରି ବୁଲୁଛନ୍ତି। ଫଳରେ ସହଜରେ ଶ୍ବାସକ୍ରିୟାରେ ମଣିଷର ଫୁସଫୁସକୁ ପ୍ରବେଶ କରିପାରୁଛି ଏସବୁ ବିଷାକ୍ତ କଣିକା। ବିଶ୍ବରେ ଅନ୍ୟ ରାଷ୍ଟ୍ର ତୁଳନାରେ ଭାରତରେ ବାୟୁ ପ୍ରଦୂଷଣ ମାତ୍ରା ଅଧିକ ରହିଥିବାରୁ ପ୍ରତ୍ୟେକ ରାଜ୍ୟ ଏହାର ନିୟନ୍ତ୍ରଣ ପାଇଁ କାର୍ଯ୍ୟକ୍ରମ ହାତକୁ ନେବା ଆବଶ୍ୟକ । ଦିନକୁ ଦିନ କମୁଛି ବାୟୁର ମାନ। ଯେ ପର୍ଯ୍ୟନ୍ତ ସମୂହ ପ୍ରଚେଷ୍ଟା ଆରମ୍ଭ ନହୋଇଛି ସେ ପର୍ଯ୍ୟନ୍ତ ଆଖିଦୃଶିଆ ସଫଳତା ଦେଖିବାକୁ ମିଳିବ ନାହିଁ। ଖାଦ୍ୟ, ପାଣି ଯେ କେବଳ ଜୀବନ ବଞ୍ଚାଇପାରିବ ନାହିଁ । ଜୀବନକୁ ସୁସ୍ଥ ରଖିବାକୁ ହେଲେ, ସ୍ବଚ୍ଛ ବାୟୁ ଅନିବାର୍ଯ୍ୟ। ଯାହାକି ଦିନକୁ ଦିନ ଖରାପ ହୋଇଚାଲିଛି ।