କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ତଳିବେଡା ଗାଁରେ ଏବେବି ଅପହଞ୍ଚ ସରକାରୀ ଯୋଜନା

ନନ୍ଦିଘୋଷ ବ୍ୟୁରୋ: ପ୍ରତ୍ଯେକ ଗାଁରେ ମୌଳିକ ସୁବିଧା ପହଞ୍ଚାଇବା ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି । ଯୋଜନାର ସଫଳ ରୂପାୟନ ପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ ହେଉଛି । ହେଲେ ଏବେବି ଏପରି ଏକ କିଛି ଗାଁ ରହିଛି ଯେଉଁଠି ପହଞ୍ଚିପାରିନି ସରକାରୀ ଯୋଜନା । ଗାଁକୁ ଭଲ ରାସ୍ତା ନଥିବା ବେଳେ ବିଜୁଳି ଲୋକଙ୍କ ପାଇଁ ସାତସପନ ପାଲଟିଛି । ଚୁଆ ପାଣି ଲୋକଙ୍କ ଶୋଷ ମେଣ୍ଟାଉଛି ।

କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଉପରଢିଆ ଗ୍ରାମ ପଞ୍ଚାୟତର ତଳିବେଡା ଗାଁ । ଏଠାରେ ଦୀର୍ଘ ୩୦ ବର୍ଷ ହେବ ୧୫ଟି ପରିବାରର ପାଖାପାଖି ୧୦୦ ଲୋକ ବସବାସ କରୁଛନ୍ତି । ବଣପାହାଡ ଘେରା ଏହି ଗାଁକୁ ଆଜି ପର୍ଯ୍ଯନ୍ତ ଭଲ ରାସ୍ତା ଖଣ୍ଡିଏ ନାହିଁ । ପାହାଡିଆ ଅଙ୍କାବଙ୍କା ଗେଟି ପଥର ରାସ୍ତା ଦେଇ ଯିବାଆସିବା କରୁଛନ୍ତି ଲୋକେ । ଗାଁକୁ ଆମ୍ବୁଲାନ୍ସ ଆସିପାରୁନାହିଁ । ଫଳରେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହେଲେ ଗାଁକୁ ଭଲ ରାସ୍ତାଟିଏ ନିର୍ମାଣ କରିବାକୁ ପ୍ରଶାସନ ପକ୍ଷରୁ କେହି ତତ୍ପରତା ଦେଖାଉନଥିବା ଅଭିଯୋଗ ହୋଇଛି । ସେହିପରି ଗାଁ ପାଖରେ ବିଦ୍ଯାଳୟଟିଏ ନାହିଁ । ପାଠପଢିବା ପାଇଁ ପିଲାଙ୍କୁ ୫ କିଲୋମିଟର ବଣପାହାଡ ରାସ୍ତା ଦେଇ ଯିବାକୁ ପଡୁଛି । ଫଳରେ କିଛି ଛାତ୍ରାଛାତ୍ରୀ ମାନେ ପାଠ ଛାଡିବାକୁ ବାଧ୍ଯ ହେଉଥିବା ନେଇ କହିଛନ୍ତି ।

ସେହିପରି ଗାଁରେ କୂଅ କି ନଳକୂପ ତ ଦୁରର କଥା, ଗାଁରେ ପୋଖରୀ ଟିଏ ମଧ୍ଯ ନାହିଁ । ଫଳରେ ବାଧ୍ଯ ହୋଇ ଲୋକମାନେ ୧ କିଲୋମିଟର ଦୂରରେ ଥିବା ଛୋଟ ନାଳ ଉପରେ ଭରସା କରି ଚଳୁଛନ୍ତି । ଜଙ୍ଗଲ ଓ ବିଲ ହୁଡା ଦେଇ ଯାଉଛନ୍ତି ପାଣି ପାଇଁ । ନାଳରୁ ଚୂଆ ପାଣି ଆଣି ବ୍ଯବହାର କରୁଛନ୍ତି । ଗୋଟିଏ ସ୍ଥାନରେ ଗାଈଗୋରୁ ଠାରୁ ଆରମ୍ଭ କରି ଗ୍ରାମବାସୀ ଗାଧୋଉଥିବା ବେଳେ ସେହି ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ଲୋକେ । ଦୂଷିତ ପାଣିକୁ ବ୍ୟବହାର କରି ବିଭିନ୍ନ ରୋଗରେ ପଡୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେପଟେ ଖୁବଶୀଘ୍ର ସମସ୍ଯାର ସମାଧାନ ହେବ ପ୍ରତିଶୃତି ଦେଇଛନ୍ତି ଘଟଗାଁ ବିଡିଓ ।