ପଶ୍ଚିମବଙ୍ଗ ରାଜ୍ଯପାଳଙ୍କ ଅଦଭୁତ ଆଚରଣ, ରାଜଭବନ ପରିସରରେ ନିଜର ପ୍ରତିମୂର୍ତ୍ତି କଲେ ଉନ୍ମୋଚନ

1 min read

ନନ୍ଦିଘୋଷ ବ୍ୟୁରୋ: ରାଜଭବନରେ ରାଜ୍ଯପାଳଙ୍କ ପ୍ରତିମୂର୍ତ୍ତି । ସେ ପୁଣି ଦାୟିତ୍ବରେ ଥିବା ଅବସ୍ଥାରେ । ଏପରି ବିଚିତ୍ର ଘଟଣା ଘଟିଛି ପଶ୍ଚିମବଙ୍ଗ ରାଜଭବନରେ । ରାଜ୍ଯପାଳ ସି.ଭି. ଆନନ୍ଦ ବୋଷ ରାଜଭବନରେ ନିଜର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଉନ୍ମୋଚନ କରିଛନ୍ତି ପ୍ରତିମୂର୍ତ୍ତି । ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବରେ ସେ ବୃକ୍ଷରୋପଣ କରିବା ସହ ଏକ ଚିତ୍ରକଳା ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । ରାଜ୍ଯପାଳ ପରି ଏକ ସାମ୍ବିଧାନିକ ପଦବୀରେ ଥିବା ସତ୍ତ୍ବେ କିପରି ସେ ରାଜଭବନ ପରିସରରେ ଏହି ପ୍ରତିମୂର୍ତ୍ତି ପ୍ରତିଷ୍ଠା କଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରତିମୂର୍ତ୍ତି ଉନ୍ମୋଚନର ଭିଡିଓ ଭାଇରାଲ ହେଉଥିବାବେଳେ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି । ସୂଚନା ଅନୁସାରେ ରାଜ୍ଯପାଳଙ୍କ ପ୍ରତିମୂର୍ତ୍ତିକୁ ସ୍ଥପତି ପାର୍ଥ ଶାହ ଉପହାର ଦେଇଥିଲେ ।

କୋଲକାତାସ୍ଥିତ ଭାରତୀୟ ସଂଗ୍ରହାଳୟ ସହ ଜଡିତ ଅଛନ୍ତି ପାର୍ଥ । ଏହି ପ୍ରତିମୂର୍ତ୍ତିଟି ଫାଇବରରେ ନିର୍ମିତ ହୋଇଛି । ରାଜ୍ଯପାଳ ଦପ୍ତର ପକ୍ଷରୁ କୁହାଯାଇଛି ପ୍ରତିମୂର୍ତ୍ତିକୁ ରାଜ୍ଯପାଳଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇନାହିଁ । ଏହାକୁ ଭାରତୀୟ ସଂଗ୍ରହାଳୟର ଜଣେ ସ୍ଥପତି ଉପହାର ଦେଇଛନ୍ତି । ଏହି ପ୍ରସଙ୍ଗକୁ ନେଇ କଟାକ୍ଷ କରିଛି ତୃଣମୂଳ କଂଗ୍ରେସ । ଦଳ କହିଛି- ଆମର ରାଜ୍ଯପାଳ ସି.ଭି. ଆନନ୍ଦ ବୋଷ ନିଜର ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିଛନ୍ତି ଯାହାକୁ ଆମେ କେବେ ଶୁଣି ନଥିଲୁ । ତାଙ୍କର ପରବର୍ତ୍ତୀ ପଦକ୍ଷେପ କଣ । ସେ ସେହି ପ୍ରତିମୂର୍ତ୍ତିରେ ଫୁଲ ଚଢାଇବେକି ବୋଲି ପ୍ରଶ୍ନ କରିଛି ଦଳ । ସେହିପରି ଏହି ଘଟଣାକୁ ସମାଲୋଚନା କରିଛନ୍ତି କଂଗ୍ରେସ ଓ ସିପିଏମ । ପ୍ରତିମୂର୍ତ୍ତି ଉନ୍ମୋଚନ ବେଳେ ରାଜ୍ଯପାଳ ବି କହିଥିଲେ- ରାଜ୍ଯର ରାଜନୈତିକ ସ୍ଥିତି ଅତି ଖରାପ ଅବସ୍ଥାରେ ରହିଛି । ଏହି ଅବସ୍ଥାକୁ ରାଜ୍ଯବାସୀ ବେଶୀ ଦିନ ଗ୍ରହଣ କରିବେ ନାହିଁ ।