ଧର୍ମଶାଳା ବିଧାୟକଙ୍କ ରାତି ଅଧିଆ ଯାଜପୁର ଗସ୍ତକୁ ନେଇ ପ୍ରଶ୍ନ ଉଠାଇଲା ବିଜେଡି
ଭୁବନେଶ୍ବର: ଧର୍ମଶାଳା ବିଧାୟକ ହିମାଂଶୁ ସାହୁ କାହିଁକି ରାତି ଅଧିଆ ଯାଜପୁର ଯାଇଥିଲେ ? କ’ଣ ପାଇଁ ଧର୍ମଶାଳାରୁ ଶତାଧିକ ଲୋକଙ୍କୁ ନେଇ ଯାଇଥିଲେ ? ମନ୍ଥର ଗତିରେ ଚାଲିଥିବା ବିରଜା ପ୍ରକଳ୍ପକୁ ନେଇ ଆନ୍ଦୋଳନ ଚାଲିଥିବା ବେଳେ କାହିଁକି ଗସ୍ତ କରିଥିଲେ ବିଧାୟକ ? ଏତେ ଲୋକଙ୍କୁ ଠେଙ୍ଗା ଧରାଇ କାହିଁକି ବିଧାୟକ ଯାଜପୁର ନେଇଥିଲେ ? ବୋଲି ଆଜି ପ୍ରଶ୍ନ କରିଛି ବିଜେଡି ।
ସେଦିନର ଘଟଣାରେ ବିଜେଡି ଲୋକ ଗିରଫ ହେଲେ । ମାତ୍ର ବିଧାୟକଙ୍କ ଲୋକ କାହିଁକି ଗିରଫ ହେଲେନି ବୋଲି ଦଳ ପ୍ରଶ୍ନ କରିଛି । ପୋଲିସ ଠିକ ନ୍ୟାୟ କରୁନି ବୋଲି କହିଛି ବିଜେଡି ।
ଧର୍ମଶାଳା ବିଧାୟକ ଗୋଟିଏ ବାଇଟରେ କହିଥିଲେ ସେ ଚାନ୍ଦା ନିଅନ୍ତି ବୋଲି । ସେ ରାତିରେ ଡିଡିଏମ ଅଫିସକୁ କାହିଁକି ଯାଇଥିଲେ । ଲୋକ ଯଦି ବାଡେଇଲେ, ଦାଗ କୁଆଡେ ଗଲା ? ବେକର ଗାମୁଛା ପଡିନି । ସୁନା ଚେନ କେମିତି ଚୋରି ହେଲା ବୋଲି ପ୍ରଶ୍ନ କରିଛି ବିଜେଡି ।
ମାର୍କେଟ କେମିତି କାର୍ଯ୍ୟକାରୀ ହେବ, ହାଟ କେମିତି ଚାଲିବ, ଏସବୁ ପ୍ରସଙ୍ଗ ନେଇ ଭବ ପ୍ରସାଦ ଦାସ ନେତୃତ୍ୱ ନେଇ ପ୍ରଶାସନକୁ ଜଣାଇବା ପାଇଁ ଯାଇଥିଲେ । ହେଲେ ଭବ ପ୍ରସାଦ ଦାସଙ୍କୁ ଯେଉଁ ପରି ଯାଜପୁର ପୋଲିସ ପକ୍ଷରୁ ଗିରଫ କରାଯାଇଛି ତାହା ନିନ୍ଦନୀୟ । ବିଜେପି ଆସିବା ଦିନଠୁଁ ଆଇନ ଶୃଙ୍ଖଳା ବିଗୁଡୁଛି। ଭଦ୍ରକ ବାଲେଶ୍ୱରରେ ଦଙ୍ଗା ହେଲା । ସଂଖ୍ୟାଲଘୁ ଲୋକଙ୍କ ଉପରେ ଅତ୍ୟାଚାର ହେଉଛି । ନାରୀ ନିର୍ଯାତନା, ଚୋରି, ହିଂସା ରୋକିବାକୁ ପଦକ୍ଷେପ ନାହିଁ । ବିଜେଡି ଲୋକଙ୍କୁ ହଇରାଣ କରାଯାଉଛି । ବିଜେପି କର୍ମୀଙ୍କ କେସ ଜରିଆରେ ବିଜେଡି ନେତାଙ୍କୁ ହଇରାଣ କରୁଛି ପୋଲିସ । କୁଚିଣ୍ଡା, ନୀଳଗିରି, ବଙ୍ଗୋମୁଣ୍ଡା, କଟକ ଆଦିର ଘଟଣା ଏହାର ଉଦାହରଣ । ପୋଲିସ ବିଜେପିର ସରକାରୀ ଗୁଣ୍ଡା ଭାବେ କାମ କରୁଛି ।