ଇଭିଏମକୁ ମସ୍କଙ୍କ ପ୍ରଶଂସା: ଭାରତୀୟ ନିର୍ବାଚନ ପ୍ରକ୍ରିୟାକୁ ନେଇ ଦେଲେ ବଡ଼ ବୟାନ
ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନକୁ ନେଇ ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଏଲେନ ମସ୍କଙ୍କ ବଡ଼ ବୟାନ । ଯାହା ଆମେରିକା ସମେତ ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଛି । ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ମସ୍କ ଏହି ଟଇପ୍ପଣି ଦେଇଛନ୍ତି । ସେ ତାଙ୍କ ସୋସିଆଲ ମିଡିଆ ସାଇଡରେ ଏକ ପୋଷ୍ଟ କରି ଲେଖିଛନ୍ତି, ଭାରତ ଗୋଟିଏ ଦିନରେ ୬୪ କୋଟି ଭୋଟ୍ ଗଣତି କରିଦେଲା । ହେଲେ ଆମେରିକାର କାଲିଫର୍ଣ୍ଣିଆରେ ଏବେ ବି ରାଷ୍ଟ୍ରପତି ନିର୍ବାଚନ ପାଇଁ ହୋଇଥିବା ଭୋଟର ଗଣତି ଚାଲିଛି ।
ସୂଚନାଯୋଗ୍ୟ, ଆମେରିକାରେ ଗତ ୫ ଓ ୬ ନଭେମ୍ବରରେ ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା । ଏହାପରଠାରୁ ସେଠାରେ ଭୋଟ ଗଣତି ଚାଲିଛି । ଆମେରିକାର ଅନ୍ୟ ରାଜ୍ୟରେ ଭୋଟ ଗଣତି ସରିଯାଇଥିଲେ ମଧ୍ୟ ୧୮ ଦିନ ପରେ ବି କାଲିଫର୍ଣ୍ଣିଆରେ ଏବେ ବି ଗଣତି ଚାଲିଛି । ତେବେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ବିଜେତା ଘୋଷଣା କରାଯାଇ ସାରିଛି । ଜଣେ ୟୁଜର୍ସ ଲେଖିଛନ୍ତି, ଭାରତରେ ୬୪ କୋଟି ଭୋଟ ଗୋଟିଏ ଦିନରେ ଗଣତି ହୋଇଯାଉଥିବା ବେଳେ କାଲିଫର୍ଣ୍ଣିଆରେ ୧.୫ କୋଟି ଭୋଟ ଗଣତିକୁ ୧୮ ଦିନ ହୋଇଗଲାଣି । ଏହାର ଉତ୍ତର ଦେବାକୁ ଯାଇ ଏହା ଏକ ଦୁଃଖଦ ଘଟଣା ବୋଲି ମସ୍କ କହିଛନ୍ତି ।
ସୂଚନାଯୋଗ୍ୟ, ଭାରତରେ ଇଭିଏମ ମେସିନରେ ଭୋଟ ଗଣତି ହେଉଥିବା ବେଳେ ଆମେରିକାରେ ଏବେ ବି ବାଲାଟ ପେପରରେ ଭୋଟ ହୋଇ ଗଣତି ହେଉଛି ।
କହି ରଖିବାକୁ ଚାହୁଁଛୁ, ଭାରତୀୟ ନିର୍ବାଚନ ପ୍ରକ୍ରିୟାକୁ ପ୍ରଶଂସା କରୁଥିବା ମସ୍କ କିଛିଦିନ ପୂର୍ବେ ଏହାକୁ ନେଇ ବିବାଦୀୟ ବୟାନ ଦେଇଥିଲେ । ଇଭିଏମକୁ ସେ ବିପଦଜନକ ବୋଲି କହିଥିଲେ । ସେତେବେଳେ ସେ କହିଥିଲେ ଇଭିଏମ ଓ ପୋଷ୍ଟାଲ ଭୋଟିଂ ବହୁତ ବିପଦଜନକ । ଏହାକୁ ବଦଳାଇ ବାଲାଟ ପେପରରେ ଭୋଟ ହେବା ଆବଶ୍ୟକ । ଏହାର କିଛିଦିନ ପୂର୍ବରୁ ମସ୍କ କହିଥିଲେ, ଆମକୁ ଇଭିଏମ ବ୍ୟବସ୍ଥାର ଅନ୍ତ କରିବା ଆବଶ୍ୟକ । ଏହାକୁ ହ୍ୟାକ କରିବାର ଆଶଙ୍କା ରହୁଛି ।