ଓଲଟିଲା କୁକୁଡା ବୋଝେଇ ପିକଅପ୍, ଯିଏ ଯେତେ ପାରିଲେ ବୋହି ନେଲେ

କେନ୍ଦୁଝର: ଓଲଟିଲା କୁକୁଡ଼ା ବୋଝେଇ ପିକଅପ ଭ୍ୟାନ୍ । ବହୁ କୁକୁଡା ମରିଯାଇଥିବା ବେଳେ ଆହତ ହୋଇଛନ୍ତି ଡ୍ରାଇଭର । ହେଲେ ରାସ୍ତାରେ ଯାଉଥିବା ଲୋକେ ଡ୍ରାଇଭରଙ୍କୁ ଉଦ୍ଧାର କରିବେ କ’ଣ କୁକୁଡ଼ା ଉପରେ ମଡ଼ି ପଡ଼ିଲେ । ଯିଏ ଯେତେ ପାରିଲା ବୋହି ନେଲା । କିଏ ଗୋଟିଏ ତ କିଏ ଦୁଇଟା ଆଉ କିଏ ଦୁଇ ହାତରେ ଯେତେ ସମ୍ଭବ ଧରି ଦୌଡ଼ିଲେ । ଏମିତି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ଚିଲିଦା ନିକଟରେ ।

ଅନୁଗୋଳରୁ ରାଇରଙ୍ଗପୁର ଯାଉଥିବା ଏକ କୁକୁଡ଼ା ବୋଝେଇ ପିକଅପ୍ ଭ୍ୟାନ ଚିଲିଦା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ସ୍ଥାନୀୟ ଲୋକେ ଲାଗିପଡ଼ି ଭ୍ୟାନଟିକୁ ଛିଡ଼ା କରିଥିଲେ । ଏହାପରେ ଆରମ୍ଭ ହୋଇଯାଇଥିଲା କୁକୁଡ଼ା ନେବାକୁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା । ଯିଏ ଯେତେ ପାରିଲେ ଧରିକି ଘଟଣା ସ୍ଥଳରୁ ଚମ୍ପଟ ମାରିଲେ ।

ଖବର ପାଇ ତୁରୁମୁଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ହେଲେ ପୋଲିସ ପହଞ୍ଚିବା ବେଳକୁ ଭ୍ୟାନରୁ ଅଧାରୁ ଅଧିକ କୁକୁଡ଼ା ଲୁଟି ନେଇଥିଲେ ଲୋକେ ।

ସୂଚନାଯୋଗ୍ୟ, ଦୁର୍ଘଟଣା ଗସ୍ତ ଗାଡିରୁ ଲୁଟିବା କିଛି ନୂଆ କଥା ନୁହେଁ । କେବଳ ଓଡ଼ିଶା ନୁହେଁ, ବିଭିନ୍ନ ସ୍ଥାନରେ ଏମିତି ଘଟଣା ପ୍ରାୟତଃ ଦେଖିବାକୁ ମିଳିଥିଏ । ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ଲୁଟିବାକୁ ଲୋକେ ଏମିତି ଝାମ୍ପି ପଡ଼ନ୍ତି, ଯେମିତି ବର୍ଷ ବର୍ଷ ଧରି ସେମାନେ ଭୋକିଲା ଅଛନ୍ତି କି ସେ ଜିନିଷ ବ୍ୟବହାର କରିନାହାନ୍ତି । ସେପଟେ ଦୁର୍ଘଟଣାରେ ଆହତ ଗାଡି କର୍ମଚାରୀ ମରିଛି କି ବଞ୍ଚିଛି ତାହା ମଧ୍ୟ ଦେଖନ୍ତି ନାହିଁ କି ସେମାନଙ୍କୁ ଉଦ୍ଧାର କରି ମେଡିକାଲ ନିଅନ୍ତି ନାହିଁ । ଏମିତି ମାନସିକ ବାରମ୍ବାର ଦେଖା ଦେଉଥିବା ବେଳେ ସମାଲୋଚନା ମଧ୍ୟ କରାଯାଏ । ଲୁଟ ବେଳର ଭିଡିଓ ବି ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେଉଛି । ହେଲେ ଏମିତି ଅମାନବୀୟ, ଅସଭ୍ୟ କାମର ଭିଡିଓ ସମସ୍ତେ ଦେଖନ୍ତୁ । ତଥାପି ଏଥିରୁ କିଛି ଶିକ୍ଷା ଲାଭ କରିବା ପରି ମନେ ହୁଏ ନାହିଁ । ଆଉ ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ଲୁଟିବା ଦୃଶ୍ୟ ପୁଣି ଦେଖିବାକୁ ମିଳିଥାଏ ।