ସାମାଜିକ ସୁରକ୍ଷା ଦେବାରେ ବିଜେପି ସରକାର ବିଫଳ, ଅସୁରକ୍ଷିତ ମହିଳା, ଶିଶୁ, ଦଳିତ ଓ ଆଦିବାସୀ: ବିଜେଡି
ଭୁବନେଶ୍ବର: ରାଜ୍ୟର ବିଜେପି ସରକାର ସାମାଜିକ ସୁରକ୍ଷା ଦେବାରେ ବିଫଳ । ଦିନକୁ ଦିନ ମହିଳା ଓ ଶିଶୁଙ୍କ ଉପରେ ବଢି ଚାଲିଛି ଅତ୍ୟାଚାର । ବଲାଙ୍ଗୀର ଜିଲ୍ଲା ଏହାର ଉଦାହରଣ । ଖୋଦ୍ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ନିର୍ବାଚନ ମଣ୍ଡଳୀରୁ ଆସୁଛି ଶିଶୁ ବିକ୍ରି ଅଭିଯୋଗ । ହେଲେ ଉପମୁଖ୍ୟମନ୍ତ୍ରୀ ପାଟି ଖୋଲୁନାହାନ୍ତି । ବଙ୍ଗୋମୁଣ୍ଡାରେ ଆଦିବାସୀ ମହିଳାଙ୍କୁ ଆକ୍ରମଣ କରି ବିଷ୍ଠା ଖୁଆଗଲା । ବିଜେପି ସରକାରରେ ସରୁକ୍ଷା ପାଉଥିବା ଅପରାଧି ଅତ୍ୟାଚାର କରିବାକୁ ପଛାଉ ନାହାନ୍ତି । ମୁଖ୍ୟମନ୍ତ୍ରୀ ଆଦିବାସୀ ହେବା ସତ୍ତ୍ବେ ଆଦିବାସୀଙ୍କ ଉପରେ ବଢିଚାଲିଛି ଅତ୍ୟାଚାର । ଏମିତି ଅଭିଯୋଗ କରିବା ସହ ଏହା ଉପରେ ଅଙ୍କୁଶ ନଲାଗିଲେ ରାଜରାସ୍ତାରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ବିଜେଡି ।
ବିଜେପି ସରକାରରେ ଅସୁରକ୍ଷିତ ମହିଳା, ଶିଶୁ, ଦଳିତ ଓ ଆଦିବାସୀ । ଲୋକଙ୍କୁ ମିଳୁନି ସାମାଜିକ ସୁରକ୍ଷା । ଅତ୍ଯାଚାରର ହଟସ୍ପଟ ପାଲଟିଛି ବଲାଙ୍ଗୀର ଜିଲ୍ଲା । ଶିଶୁ ଓ ମହିଳା ଅତ୍ୟାଚାର ଖବର ଆସୁଛି । ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ଖପ୍ରାଖୋଲ ବ୍ଲକରେ ଶିଶୁ ବିକ୍ରି ଖବର ଓଡ଼ିଶାକୁ ନିନ୍ଦିତ କରିଛି । ବ୍ରହ୍ମପୁରରୁ ମଧ୍ୟ ଶିଶୁ ବିକ୍ରି ଅଭିଯୋଗ ଆସିଛି । କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡାରେ ଆଦିବାସୀ ମହିଳାଙ୍କୁ ମାଡ଼ ମାରି ଜବରଦସ୍ତ ବିଷ୍ଠା ଖୁଆଗଲା । ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ବିଗିଡି ଯାଇଛି । ନବୀନ ସରକାରଙ୍କ ସମୟରେ ସାମାଜିକ ସୁରକ୍ଷା ଉଦାହରଣ ପାଲଟିଥିଲା । ହେଲେ ଏବେକାର ମୋହନ ସରକାରରେ ତଳକୁ ଖସି ଚାଲିଥିବା କହି କଟାକ୍ଷ କରିଛି ବିଜେଡି ।
ସାରା ଦେଶରେ ସୋସିଆଲ ଇଞ୍ଜିନିୟରିଂ ଚଳାଇ ବିଭାଜନ କରି ଭୋଟ ନେଉଛି ବିଜେପି । ହେଲେ ସାମାଜିକ ନ୍ୟାୟ ଦେବାରେ ବିଫଳ । ପାଟଣାଗଡ଼ ଖପ୍ରାଖୋଲରେ ସାମାଜିକ ନ୍ୟାୟ ନ ପାଇ ମାଆ ଶିଶୁ ବିକ୍ରି କଲା । ଟିଟିଲାଗଡ଼ରେ ପଦାରେ ପଡ଼ିଲା ବିଜେପି ବିଧାୟକ ନବୀନ ଜୈନଙ୍କ ଜଣେ ନାବାଳିକା ଦଳିତ ଝିଅକୁ ଜୋରଜବରଦସ୍ତ ବିବାହ କରାଇବା ଘଟଣା । ନୀଳଗିରି, ରେମୁଣାରେ ନାବାଳିକା ଦୁଷ୍କର୍ମ ଅଭିଯୋଗ ଆସିଛି । ତେବେ ଖୋଦ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନଙ୍କ ଜିଲ୍ଲାରେ ସାମାଜିକ ସୁରକ୍ଷା ଭୁଶୁଡ଼ିବା ଘଟଣାରେ ମନ୍ତ୍ରୀଙ୍କ ନୀରବତାକୁ ନେଇ ପ୍ରଶ୍ନ କରିଛି ବିଜେଡି ।
ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ବିଦେଶ ଯାତ୍ରାରେ ଯାଉଛନ୍ତି । ମହିଳା ଓ ଶିଶୁଙ୍କ ବିରୋଧରେ ଅତ୍ୟାଚାର ନେଇ ତାଙ୍କ ପାଖରେ ବି ଉତ୍ତର ନାହିଁ । ମୁଖ୍ୟମନ୍ତ୍ରୀ ସିଙ୍ଗାପୁରରେ ଏନବିଡବ୍ଲ୍ୟୁ ଜାରି ହୋଇଥିବା ପଳାତକଙ୍କୁ ଭେଟୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ଟିକସ ଦାତାଙ୍କ ପଇସାରେ ମୁଖ୍ୟମନ୍ତ୍ରୀ ବିଦେଶ ବୁଲିବା ନିନ୍ଦନୀୟ । ଯଦି ବୁଲିବେ, ନିଜ ପଇସାରେ ବୁଲନ୍ତୁ ବୋଲି ବିଜେଡି କହିଛି । ଉପମୁଖ୍ୟମନ୍ତ୍ରୀ ନ୍ୟାୟର ପ୍ରତିଶ୍ରୁତି ଦେଇ ନାହାନ୍ତି । ବିଜେପି ସରକାରରେ ଅପରାଧୀଙ୍କ ଦୌରାତ୍ମ୍ୟ ବଢିଛି । ଏଯାଏଁ ଅତ୍ଯାଚାର ଓ ପୋକ୍ସୋ ଧାରାରେ ମାମଲା ରୁଜୁ ହେଲାନି । କେବଳ ନାଁ ନେବାକୁ ଆଦିବାସୀ ମୁଖ୍ୟମନ୍ତ୍ରୀ କରିଛନ୍ତି । ହେଲେ ଆଦିବାସୀଙ୍କ ଜମି, ଖଣି, ପାହାଡ଼, ଜଙ୍ଗଲ ବିକିବାରେ ବିଜେପି ବ୍ୟସ୍ତ ବୋଲି କହିଛି ବିଜେଡି । ଲୋକଙ୍କୁ ନ୍ୟାୟ ନମିଳିଲେ ରାଜରାସ୍ତାକୁ ଓହ୍ଲାଇବାକୁ ସଜବାଜ ହେଉଛି ବିଜେଡି ।