ୟୁକ୍ରେନ ଉପରେ ପ୍ରଥମ ଥର ପାଇଁ ICBM କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ, ଭୟଙ୍କର ମୋଡ଼ରେ ଯୁଦ୍ଧ
1 min readନୂଆଦିଲ୍ଲୀ: ଭୟଙ୍କର ମୋଡ଼ ନେଉଛି ଋଷ-ୟୁକ୍ରେନ ଯୁଦ୍ଧ । ପ୍ରଥମ ଥର ପାଇଁ ୟୁକ୍ରେନ ବିରୋଧରେ ICBM (ଇଣ୍ଟରକଣ୍ଟିନେଣ୍ଟ ବାଲେଷ୍ଟିକ ମିଜାଇଲ) କ୍ଷେପଣାସ୍ତ୍ର ବ୍ୟବହାର କରିଛି ଋଷ । ଏଥିପାଇଁ ଋଷ RS-26 Rubezh ମିଜାଇଲ ବ୍ୟବହାର କରିଥିବା ଅନୁମାନ କରାଯାଉଛି । ଏଥିରେ ଋଷ, ୟୁକ୍ରେନର ଦିନପ୍ରୋ ସହରକୁ ଟାର୍ଗେଟ କରିଛି । ଯାହାକୁ ଅଷ୍ଟ୍ରାଖାନ ଅଞ୍ଚଳରୁ ଲଞ୍ଚ କରାଯାଇଥିଲା । ୟୁକ୍ରେନ ବାୟୁସେନା ପକ୍ଷରୁ ICBM କ୍ଷେପଣାସ୍ତ୍ର ମାଡ଼ର ସୂଚନା ଦିଆଯାଇଛି । ଏହି ମିଜାଇଲ ବ୍ୟତୀତ କିଞ୍ଜଲ ହାଇପରସୋନିକ ଓ KH-101 କ୍ରୁଜ ମିଜାଇଲରେ ମଧ୍ୟ ଋଷ ଭୟଙ୍କର ଆକ୍ରମଣ କରିଛି । ଏହାଦ୍ବାରା ଗୁରୁତ୍ବପୂର୍ଣ୍ଣ ସ୍ଥାନ, ବିଲ୍ଡିଂ ଓ ପ୍ରୋଜେକ୍ଟର ବହୁତ କ୍ଷତି ହୋଇଥିବା ୟୁକ୍ରେନ ବାୟୁସେନା ସ୍ବୀକାର କରିଛି ।
କ୍ରୁଜ ମିଜାଇଲକୁ ଋଷ ତା’ର ଦୂରଗାମୀ ବମର Tu-95MSରୁ ମାଡ଼ କରିଛି । ଏହି ବମର ବେଲଗୋଗ୍ରାଡ ଅଞ୍ଚଳରୁ ଉଡ଼ାଣ ଭରିଥିଲେ । ସେହିପରି କିଞ୍ଜଳ ହାଇପରସୋନିକ ମିଜାଇଲକୁ ତାମ୍ବୋଭ ଅଞ୍ଚଳାରୁ MiG-31K ଫାଇଟର ଜେଟରୁ ମାଡ଼ କରାଯାଇଥିଲା ।
ଋଷର ଦାବି ବ୍ରିଟେନର ଷ୍ଟ୍ରମ ସ୍ୟାଡୋକୁ ନଷ୍ଟ କଲା
ଏହାରି ଭିତରେ ଋଷ ଦାବି କରିଛି, ତାହାର ଡିଫେନ୍ସ ସିଷ୍ଟମ ଦୁଇଟି ବ୍ରିଟିଶ ଷ୍ଟ୍ରୋମ୍ ସ୍ୟାଡୋ ମିଜାଇଲକୁ ନଷ୍ଟ କରି ଦେଇଛି । ଏହାକୁ ୟୁକ୍ରେନ ଋଷ ଉପରକୁ ମାଡ଼ କରିଥିଲା । ୟୁକ୍ରେନ ପ୍ରଥମ ଥର ଏହି ମିଜାଇଲକୁ ଋଷ ବିରୋଧରେ ବ୍ୟବହାର କରିଥିବା ବେଳେ ଋଷର ଡିଫେନ୍ସ ସିଷ୍ଟମ ଏହାକୁ ନଷ୍ଟ କରି ଦେଇଛି ।
ୟୁକ୍ରେନ କରିଥିଲା ଋଷ ଆକ୍ରମଣର ପୂର୍ବାନୁମାନ
୨୦ ନଭେମ୍ବରରେ ୟୁକ୍ରେନ ଇଣ୍ଟେଲିଜେନ୍ସି ଋଷ RS-26 Rubezh ମାଡ଼ କରିବାକୁ ଯୋଜନା କରୁଥିବା ଦାବି କରିଥିଲା । ଏହାସହ ୟୁକ୍ରେନ ପକ୍ଷରୁ ଦାବି କରାଯାଇଥିଲା ଯେ, ଏଥିରେ ପରମାଣୁ ବୋମା ବ୍ୟବହାର ହେବନାହିଁ । ହେଲେ କମ ପ୍ରଭାବ ପକାଉଥିବା ପରମାଣୁ ବୋମା ବ୍ୟବହାର କରିପାରେ ଋଷ । ୟୁକ୍ରେନର ଦାବି ସତ ହୋଇଛି । ହେଲେ ଋଷ ଏଥିରେ ପରମାଣୁ ବୋମା ବ୍ୟବହାର କରିନାହିଁ ।