ମେଟ୍ରୋ ପ୍ରକଳ୍ପ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

ଭୁବନେଶ୍ୱର : ରାଜଧାନୀରେ ମେଟ୍ରୋ ପ୍ରକଳ୍ପ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ। କାମ ନେଇଥିବା ଠିକା କମ୍ପାନୀର ଇତିହାସ ନେଇ ଜାରି କଲା ଚିଠା। ଯେଉଁ ରାଜ୍ୟରେ କମ୍ପାନୀ କାମ କରିଛି ସବୁ ଭୁଶୁଡିଛି। କମ୍ପାନୀ ନାମରେ ମାଳମାଳ ମାମଲା ହୋଇଛି। ଭୁବନେଶ୍ୱର ମେଟ୍ରୋ କାମ ରଞ୍ଜିତ ବିଲ୍ଡକନ୍ ନାମକ ଏକ ସଂସ୍ଥାକୁ ଦିଆଯାଇଛି। ଯାହା ଏକ ବ୍ଲାକ ଲିଷ୍ଟେଡ୍ କମ୍ପାନୀ। ଏହି କମ୍ପାନୀ ନାଁ ରେ ଗୁଜୁରାଟ, ମଧ୍ୟପ୍ରଦେଶ ଓ ଚେନ୍ନାଇ ଭଳି ରାଜ୍ୟରେ କେସ ଚାଲିଛି। ଏହି କମ୍ପାନୀ ଯେଉଁଠି କାମ କରିଛି ସେଠି ପୋଲ ଭୁଶୁଡ଼ିଛି ନହେଲେ ଅର୍ଥ ଆତ୍ମସାତ କରିଛି।  ସେଭଳି ଏକ କଳା ତାଲିକାଭୁକ୍ତ କମ୍ପାନୀକୁ ଓଡ଼ିଶା ସରକାର ମେଟ୍ରୋ କାମ ଦେଇ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ତେଣୁ ତୁରନ୍ତ ରଞ୍ଜିତ ବିଲ୍ଡକନ ଟେଣ୍ଡର ବାତିଲ କରାଯାଉ। ନୂଆ ଟେଣ୍ଡର କରନ୍ତୁ। ଯେଉଁ କମ୍ପାନୀ ନାଁରେ କେସ ନାହିଁ ସେଭଳି କମ୍ପାନୀକୁ ଟେଣ୍ଡର କରି କାମ ଦିଆଯାଉ। ନହେଲେ କଂଗ୍ରେସ ଏହାକୁ ବିରୋଧ କରିବ । କାମ କରିବାକୁ ଦିଆଯିବନି। ରଞ୍ଜିତ ବିଲ୍ଡକନ୍ ଏକ ଗୁଜରାଟ କମ୍ପାନୀ। ଏହି କମ୍ପାନୀ ବିଜେପିକୁ ବିଭିନ୍ନ ସମୟରେ କୋଟି କୋଟି ଟଙ୍କାର ଇଲେକ୍ଟ୍ରୋରାଲ ବଣ୍ଡ ଦେଇଛି। ସେଥିପାଇଁ ବିଜେପି ନେତାଙ୍କ ପ୍ରରୋଚନାରେ ରାଜ୍ୟ ସରକାର କଳାତାଲିକା ଭୁକ୍ତ କମ୍ପାନୀକୁ କାମ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀ କରି ଏଭଳି ଚେତାବନୀ ଦେଇଛି କଂଗ୍ରେସ।