ନ୍ଯାୟ ପାଇଁ ୪୩ ବର୍ଷ ଧରି ସଂଘର୍ଷ; ସୈନିକରୁ ସାଜିଥିଲେ ଦିନ ମଜୁରିଆ
ଆସିକା : ବର୍ଷେ କି ଦୁଇ ବର୍ଷ ନୁହଁ, ନ୍ଯାୟ ପାଇଁ ଦୀର୍ଘ ୪୩ ବର୍ଷ ଧରି ସଂଘର୍ଷ । ଏହି ସଂଘର୍ଷ କରୁଛନ୍ତି ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ହରିଡାପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରୀ ଗାଁର ବୁଦ୍ଧିମନ୍ତ ବେହେରା । ବୟସ ପାଖାପାଖି ୬୮ ଛୁଇଁଲାଣି । ୧୯୭୫ ମସିହା ଫେବୃଆରୀ ୨୦ରେ ଭାରତୀୟ ସ୍ଥଳ ସେନାର ମିଲେଟାରୀ ଇଂଜିନିୟରିଂ ସର୍ଭିସରେ କ୍ରାପ୍ଟମେନ ଭାବେ ଯୋଗ ଦେଇଥିଲେ ବୁଦ୍ଧିମନ୍ତ । ସ୍ଥଳ ସେନାରେ ପାଞ୍ଚ ବର୍ଷ କାର୍ଯ୍ୟ କରିଥିଲେ ।
ସେ ୧୯୮୧ ମସିହାରେ ପାରିବାରିକ ସମସ୍ୟା ଭିତରେ ବିନା ଦୋଷରେ ଚାରୋଟି ଅପରାଧିକ ମାମଲାରେ ଛନ୍ଦି ହୋଇଯାଇଥିଲେ । ଶେଷରେ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବା ପାଇଁ ସେ ଆଇନର ଆଶ୍ରୟ ନେଇଥିଲେ । ଏସବୁ ଭିତରେ ନିର୍ଦ୍ଧାରିତ ସମୟରେ ସେ ନିଜ କାର୍ଯ୍ୟରେ ଯୋଗ ଦେଇପାରିନଥିଲେ । ଫଳରେ ଭାରତୀୟ ସ୍ଥଳ ସେନା ବୁଦ୍ଧିମନ୍ତକୁ ଡ଼ିସେମ୍ବର ୧୯୮୧ ରେ ଚାକିରୀରୁ ବାହାର କରିଥିଲା । ପରେ ସମସ୍ତ ମାମଲାରୁ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହେଇଥିଲେ ମଧ୍ୟ ତାଙ୍କୁ ଆଉ ସେଠାରେ କାର୍ଯ୍ୟକରିବାକୁ ସୁଯୋଗ ମିଳିନଥିଲା
ଅପର ପକ୍ଷରେ ବୁଦ୍ଧିମନ୍ତଙ୍କ ଚାକିରି ଯିବାପରେ ଅସହାୟ ହୋଇପଡିଥିଲା ପୂରା ପରିବାର । ସ୍ତ୍ରୀ ଆଉ ପାଞ୍ଚଟା ପିଲାଙ୍କ ପାଟିରେ ଦାନା ଦେବା ପାଇଁ ସେ ସୈନିକରୁ ସାଜିଥିଲେ ଦିନ ମଜୁରିଆ । ଦିନ ମଜୁରି ଲାଗି ନିଜର ପରିବାର ପ୍ରତିପୋଷଣ କଲେ । ହେଲେ ଏବେ ବୁଦ୍ଧିମନ୍ତ ବୟସର ଅପରାହ୍ନରେ ପହଞ୍ଚି ସାରିଲେଣି । କାମ କରିବାକୁ ଦେହରେ ଆଉ ବଳ ନାହିଁ । ଦିନେ କାମ କରି ଖାଇଲେ ଆଉ ଦିନେ ଉପବାସ ରହିବାକୁ ପଡୁଛି । ଏସବୁ ଭିତରେ ବି ନ୍ୟାୟ ପାଇଁ ଆଜି ବି ସଂଘର୍ଷ ଜାରି ରଖିଛନ୍ତି ବୁଦ୍ଧିମନ୍ତ । ଖୁବଶୀଘ୍ର ସମସ୍ତ ପେନସନ ଟଙ୍କା ଦେଇ ତାଙ୍କୁ ଥଇଥାନ କରିବାକୁ ଦାବି କରିଛନ୍ତି ଆଇନଜୀବୀ ।
ଘଟଣାରେ ନ୍ଯାୟ ପାଇବା ପାଇଁ ବହୁଥର ଓଡିଶା ଉଚ୍ଚ ନ୍ୟାୟାଳୟ ଠାରୁ ରାଜ୍ୟପାଳ, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଜାତୀୟ ମାନବାଧିକାର କମିଶନ, ଏସସିଏସଟି କମିଶନ ଆଗରେ ଗୁହାରି କରିଛନ୍ତି ବୁଦ୍ଧିମନ୍ତ । ହେଲେ ଏପର୍ଯ୍ଯନ୍ତ ତାଙ୍କୁ ନ୍ଯାୟ ମିଳିପାରିନାହିଁ ।