ରାୟଗଡ଼ାରେ ଶିଶୁକନ୍ଯା ବିକ୍ରି ଅଭିଯୋଗ ଘଟଣା : ଆନ୍ଧ୍ରପ୍ରଦେଶରୁ ଉଦ୍ଧାର ହେଲା ଛୁଆ

1 min read

ରାୟଗଡ଼ା : ରାୟଗଡ଼ାରେ ଶିଶୁକନ୍ଯା ବିକ୍ରି ଅଭିଯୋଗ ଘଟଣା । ଆନ୍ଧ୍ରପ୍ରଦେଶର ମାନ୍ୟମ ଜିଲ୍ଲାର ପେଦାପେଙ୍କି ଗାଁରୁ ବିକ୍ରି ହୋଇଥିବା ଶିଶୁକନ୍ୟାକୁ ଉଦ୍ଧାର କଲା, ରାୟଗଡା ସିଡବ୍ଲୁସି । ଏହାପରେ ଜେକେପୁର ଚାନ୍ଦିଲି ଥାନା ନୂଆପଡ଼ା ସାହିରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଶିଶୁ ମଙ୍ଗଳ କମିଟି-ସିଡବ୍ଲ୍ଯୁସି । ରାୟଗଡା ଉପଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେବୀ ଓ ତହସିଲଦାର ପ୍ରିୟଦର୍ଶିନୀ ସ୍ୱାଇଁ ପ୍ରମୁଖ ଶିଶୁକନ୍ୟାର ଘରକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି ।

ଶିଶୁକନ୍ୟାକୁ କିଣିଥିବା ଦମ୍ପତ୍ତିଙ୍କ କହିବା ହେଲା,ଶିଶୁର ଜନ୍ମଦାତାଙ୍କ ସ୍ବୀକୃତି କ୍ରମେ କୋର୍ଟପେପରରେ ଲେଖି ଶିଶୁକନ୍ୟା ସନ୍ତାନକୁ ଗ୍ରହଣ କରିଛନ୍ତି । ଏହାସହିତ କହିଛନ୍ତି, ସରକାରୀ ନିୟମ ସେମାନଙ୍କୁ ଜଣାନାହିଁ । ଯଦି ଶିଶୁକନ୍ୟାର ବାପାମାଆ ପିଲାକୁ ତାଙ୍କୁ ହସ୍ତାନ୍ତର କରିବାକୁ ରାଜି ଅଛନ୍ତି ତେବେ ଯାହା ସରକାରୀ ନିୟମ ରହିଛି ସେ ଅନୁସାରେ କନ୍ଯା ଗ୍ରହଣ କରିବେ ।

ଗରିବୀ ଯୋଗୁଁ ପିଲା ବିକ୍ରି ଅଭିଯୋଗକୁ ସିଡବ୍ଲ୍ଯୁସି ଅସ୍ବୀକାର କରିଛନ୍ତି । ଏପରି ଏକ ଅଭାବନୀୟ ଘଟଣା ଗତକାଲି ସାମନାକୁ ଆସିବା ପରେ ସାରା ରାଜ୍ଯରେ ହଇଚଇ ସୃଷ୍ଟି ହୋଇଥିଲା । ଗରିବ ଓ ଅସହାୟ ଦମ୍ପତ୍ତି ନିଜର ୯ ଦିନର କନ୍ୟା ସନ୍ତାନକୁ ପଡୋଶୀ ଆନ୍ଧ୍ର ପ୍ରଦେଶର ଜଣେ ନିଃସନ୍ତାନ ବ୍ୟକ୍ତିଙ୍କୁ ୨୦ହଜାର ଟଙ୍କା ବଦଳରେ ଟେକି ଦେଇଥିବା ଅଭିଯୋଗ ହୋଇଥିଲା ।

ନୂଆପଡା ବସ୍ତିର ରାହୁଲ ଧାନବାଡ଼ି ଓ କୁମୁଦ ଗାଣ୍ଠାଙ୍କ ଚଳିତ ମାସ ୩ ତାରିଖରେ ଦ୍ବିତୀୟ କନ୍ୟା ସନ୍ତାନ ଜନ୍ମ ହୋଇଥଲା। ଆନ୍ଧ୍ରପ୍ରଦେଶ ମାନ୍ୟମ ଜିଲ୍ଲାର ପେଦାପେଙ୍କି ଗାଁର ନିଃସନ୍ତାନ କପାଲା ରାଜଶେଖରଙ୍କୁ ବିକ୍ରି କରିଥିବା ଅଭିଯୋଗ ହେବାପରେ ଜିଲ୍ଲାପ୍ରଶାସନ ତଦନ୍ତ ଆରମ୍ଭ କରିଥିଲା । ସେପଟେ ଅସହାୟ ଦମ୍ପତିଙ୍କୁ ଚାଉଳ ମିଳୁ ନଥିଲା ବୋଲି କହିଛନ୍ତି ଶିଶୁର ମା।