ଆଜି ମହାରାଷ୍ଟ୍ର ଭୋଟ୍, ୨୮୮ ଆସନ ପାଇଁ ଚାଲିଛି ମତଦାନ
ନନ୍ଦିଘୋଷ ବ୍ୟୁରୋ: ଆଜି ମହାରାଷ୍ଟ୍ର ଭୋଟ। ୨୮୮ ଆସନ ବିଶିଷ୍ଟ ବିଧାନସଭା ପାଇଁ ମତଦାନ ଆରମ୍ଭ ହୋଇଛି। ମଇଦାନରେ ଅଛନ୍ତି ମୋଟ ୪ ହଜାର ୧୩୬ ପ୍ରାର୍ଥୀ । ଏଥର ମହାୟୁତି ଓ ମହା ଅଗାଡ଼ି ମେଣ୍ଟ ମଧ୍ୟରେ କଡ଼ା ଟକ୍କର ହେବାର ସମ୍ଭାବନା ଅଛି। ଗୋଟିଏ ପଟରେ ଉଦ୍ଧବ ଠାକରେ, ଶରଦ ପାୱାର ଓ କଂଗ୍ରେସ। ଆରପଟେ ବିିଜେପି, ଶିବସେନାର ବିଦ୍ରୋହୀ ଗୋଷ୍ଠୀ ଏକନାଥ ସିନ୍ଦେ ଓ ଏନସିପିର ବିଦ୍ରୋହୀ ଗୋଷ୍ଠୀ ଅଜିତ ପାୱାର। ଏହା ସହିତ ଉଭୟ ଗୋଷ୍ଠୀର ବିଦ୍ରୋହୀ ମଧ୍ୟ ମଇଦାନରେ ଅଛନ୍ତି । ତେଣୁ ମୁକାବିଲା ବେଶ ରୋମାଞ୍ଚକର ହୋଇପାରେ। ଏହି ନିର୍ବାନଚ ବିଶେଷ କରି ଉଦ୍ଧବ ଠାକରେ ଓ ଅଜିତ ପାୱାରଙ୍କ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ। କାରଣ ନ ଜିତିଲେ ଅସଲି ଶିବସେନାର ଟ୍ୟାଗ୍ ନେଇଯିବେ ଏକନାଥ ସିନ୍ଦେ। ସେହିପରି ଅଜିତ ପାୱାର ଗୋଷ୍ଠୀ ନ ଜିତିଲେ ହୁଏତ, ଅଜିତଙ୍କ ରାଜନୈତିକ ଭବିଷ୍ୟତ ଉପରେ ଉଠିବ ପ୍ରଶ୍ନ।
ରାଜ୍ୟର ଭୋଟର ୯ କୋଟି ୬୩ ଲକ୍ଷ ଥିବା ବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୪ କୋଟି ୯୭ ଲକ୍ଷ । ମହିଳା ଭୋଟର ଅଛନ୍ତି ୪ କୋଟି ୬୬ ଲକ୍ଷ। ଯୁବ ଭୋଟରଙ୍କ ସଂଖ୍ୟା ୧ କୋଟି ୮୫ ଲକ୍ଷ। ମୋଟ ପୋଲିଂ ଷ୍ଟେସନ ଅଛି ୧ ଲକ୍ଷ ୧୮୬। ମାଝି ଲଡକୀ ବହିନ ଯୋଜନା ପରେ ମହାୟୁତି ପ୍ରତି ମହିଳା ଭୋଟ ବଢିବା ସମ୍ଭାବନା ରହିଛି। ମହାରାଷ୍ଟ୍ର ବିଧାନସଭାରେ ମହାୟୁତିର ବିଧାୟକ ସଂଖ୍ୟା ୨୦୨ । ବିଜେପିର ୧୦୨, ଏନସିପିର ୪୦, ଶିବସେନାର ୩୮, ବିଭିଏର ୩ ଓ ଏମଏନଏସର ଜଣେ ବିଧାୟକ ଅଛନ୍ତି। ସେହିପରି ମହାବିକାଶ ଅଘାଡିର ବିଧାୟକ ସଂଖ୍ୟା ରହିଛି ୬୯ । କଂଗ୍ରେସର ୩୭, ଶିବସେନା ୟୁବିଟିର ୧୬, ଏନସିପି ଏସପିର ୧୨, ଏସପିର ୨ ଓ ସିପିଏମର ଜଣେ ବିଧାୟକ ରହିଛନ୍ତି। ମହାରାଷ୍ଟ୍ରରେ ପ୍ରବାସୀ ଲୋକଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୮ ପ୍ରତିଶତ ହୋଇଥିବାବେଳେ କେବଳ ମୁମ୍ବାଇରେ ପ୍ରବାସୀ ଲୋକଙ୍କ ସଂଖ୍ଯା ୪୩ ପ୍ରତିଶତ। ନିର୍ବାଚନରେ ଉଭୟ ମହାୟୁତି ଓ ଏମଭିଏ ଖେଳିଛନ୍ତି ମରାଠୀ ଅସ୍ମିତା କାର୍ଡ। ମଇଦାନରେ ମୁଖ୍ଯମନ୍ତ୍ରୀ ଏକନାଥ ସିନ୍ଦେ, ଦୁଇ ଉପମୁଖ୍ଯମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଓ ଅଜିତ ପାୱାର। କିଏ ଜିତିବେ କିଏ ହାରିବେ ତାହାକୁ ନେଇ ଜାରି ରହିଛି ସସପେନ୍ସ।