ଗନ୍ଧମାର୍ଦ୍ଦନ ପାହାଡ଼ରେ ଖଣି ଖନନ କରିବାକୁ ହେଉଛି କି ଷଡ଼ଯନ୍ତ୍ର ?
1 min readଭୁବନେଶ୍ବର: ଗନ୍ଧମାର୍ଦ୍ଦନରେ ଥିବା ବକ୍ସାଇଟ ଉତ୍ତୋଳନ କରିବାକୁ କୌଣସି ଘରୋଇ କମ୍ପାନୀ ହାତରେ ଏହି ଜୈବ ବିବିଧତାପୂର୍ଣ୍ଣ ପାହାଡ଼କୁ ଟେକି ଦେବେ କି ରାଜ୍ୟ ସରକାର ? ଗନ୍ଧମାର୍ଦ୍ଦନ ପର୍ବତର ଉଭୟ ପଟେ ଅଦାନୀ ଜମି କିଣିବା ପରେ ଏହି ଚର୍ଚ୍ଚା ଜୋର ଧରିଛି । ପର୍ବତର ପାଦଦେଶରେ ପ୍ରାୟ ୨୦ ଏକର ଜମି କିଣାଯାଇଛି । ଏହାପରେ ଲୋକଙ୍କ ମନରେ ଦେଖା ଦେଇଛି ନାନା ଆଶଙ୍କା ।
ଅଭିଯୋଗ ହୋଇଛି ଅଦାନୀ କମ୍ପାନୀ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ତହସିଲ ରେଙ୍ଗାଲି ପଞ୍ଚାୟତ ଭରୁଆମୁଣ୍ଡା ମୌଜାରେ ଜମି କିଣିଛି । ଗତ ସେପ୍ଟେମ୍ବର ମାସରେ ଅଦାନୀ ଗ୍ରୁପର ମହାନଦୀ ମାଇନ୍ସ ଓ ମିନେରାଲ୍ସ କମ୍ପାନୀ ନାମରେ ଜମି କିଣାଯାଇଛି । ଜମି ରେଟ ୭୦ରୁ ୮୦ ହଜାର ଥିବା ବେଳେ ଦୁଇ ଲକ୍ଷ୍ୟ ଲେଖାଏଁ ଦେଇ କିଣାଯାଇଛି । ଜମି ବିକିଥିବା ହେମନ୍ତ ବେହେରା ଓ ଡୋଲାମଣି ବେହେରାଙ୍କୁ ପ୍ରଲୋଭିତ କରି କମ୍ପାନୀର ଜମି କିଣିଥିବା କହିଛନ୍ତି ସମସ୍ତେ ।
ସେହିପରି ବେଲପଡ଼ା ତହସିଲ ଡୁଡୁକାମାଲ ଗାଁରେ ମଧ୍ୟ ୩୩ ଏକର ଜମି କିଣାଯାଇଛି । କମ୍ପାନୀର କିଛି ବଡ ଅଧିକାରୀ ପାଟଣାଗଡ଼ରେ ରହି ଜମି କିଣାବିକା କରିଥିବା ଜଣାପଡ଼ିଛି । ଶାସକ ଦଳର ନେତା ବି ଜମି କିଣାବିକା ପ୍ରକ୍ରିୟାରେ ସାମିଲ ଥିଲେ ବୋଲି ଲୋକେ ଅଭିଯୋଗ କରିଛନ୍ତି । ଗନ୍ଧମାର୍ଦ୍ଦନରେ ୨୦୨ ଲକ୍ଷ ମେଟ୍ରିକ୍ ଟନ୍ ବକ୍ସାଇଟ ମହଜୁଦ ଥିବାର ଆକଳନ କରାଯାଇଛି । ଆଗରୁ ବାଲକୋ କମ୍ପାନୀ ଖଣି ଖନନ କରିବାକୁ ଆସି ବିଫଳ ହୋଇଥିଲା I ଜୋରଦାର ଆନ୍ଦୋଳନ ହୋଇଥିଲା । ସ୍ଥାନୀୟ ଲୋକଙ୍କ ବିରୋଧ ଦେଖି ଶେଷରେ ବାଲକୋ କମ୍ପାନୀ ପଳାଇଥିଲା । ଲୋକେ କୁହା କୁହି ହେଉଛନ୍ତି, ଏବର ସରକାର ତ ଶିଳ୍ପପତିଙ୍କ ପ୍ରେମରେ ଉବୁଟୁବୁ । ସରକାରଙ୍କ ଶିଳ୍ପପତି ପ୍ରେମରେ ଗନ୍ଧମାର୍ଦ୍ଦନ ବଳି ପଡ଼ିବା ନେଇ ସେମାନେ ଆଶଙ୍କା କରିଛନ୍ତି । ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଚୁପ୍ ରହିଥିବାରୁ ଆହୁରି ସନ୍ଦେହ ଘନୀଭୁତ ହୋଇଛି । ସେପଟେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଏ ସଂପର୍କରେ ସେ କିଛି ଜାଣି ନାହାନ୍ତି ।