ଟ୍ରମ୍ପଙ୍କ ନୂଆ କ୍ୟାବିନେଟ ଦେଖି ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ନୂଆ କ୍ଯାବିନେଟକୁ ଦେଖି ପାକିସ୍ତାନ ଛାନିଆ । ହଜି ଗଲାଣି ନିଦ । ଦ୍ବିତୀୟ ପାଳିରେ ଟ୍ରମ୍ପ ନିଜ କ୍ଯାବିନେଟରେ ବିଭିନ୍ନ ବ୍ଯକ୍ତିତ୍ବଙ୍କୁ ଯେପରି ସ୍ଥାନୀତ କରୁଛନ୍ତି ସେଥିରେ ବିଶେଷ କରି ପାକିସ୍ତାନର ସାମରିକ ବିଭାଗ ଚିନ୍ତିତ ଥିବା ଜଣାଯାଇଛି ।

ଟ୍ରମ୍ପ କ୍ଯାବିନେଟରେ ସ୍ଥାନ ପାଇଛନ୍ତି ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ । ସେ ସିନେଟର ଥିବାବେଳେ ଆତଙ୍କବାଦ ସଂକ୍ରାନ୍ତରେ ପାକିସ୍ତାନ ବିରୋଧରେ ଭାରତର ଯୁକ୍ତିକୁ ସମର୍ଥନ କରି ଏକ ବିଲ୍ ଆଣିଥିଲେ । ଯାହାକି ରାଓ୍ବଲପିଣ୍ଡିସ୍ଥିତ ସେନା ମୁଖ୍ୟାଳୟ ଲାଗି ଚିନ୍ତାର କାରଣ ପାଲଟି ଥିଲା । ଏକ୍ଷେତ୍ରରେ ଭାରତ ଯୁକ୍ତି କରିଥିଲା ପାକିସ୍ତାନକୁ କୌଣସି ପ୍ରକାର ଆମେରିକୀୟ ନିରାପତ୍ତା ସହାୟତା ଦିଆ ନଯାଉ । ଏହା ସହ ଚୀନର ଆଧିପତ୍ଯ ବିରୋଧରେ ଭାରତକୁ ଅଧିକ ସହାୟତା ଲାଗି ରୁବିଓ ଆଣିଥିବା ବିଲରେ ବ୍ଯବସ୍ଥା ଥିଲା । ଏହାସହ ଜାପାନ, ଇସ୍ରାଏଲ, ଦକ୍ଷିଣକୋରିଆ, ନାଟୋକୁ ଯେଉଁପରି ଭାବେ ଆମେରିକା ସହାୟତା କରୁଛି ଠିକ୍ ସେହିପରି ଭାରତକୁ ବି ସହାୟତା ଲାଗି ବିଲରେ ବ୍ଯବସ୍ଥା ରହିଛି ।

ସେହିପରି ଟ୍ରମ୍ପଙ୍କ କ୍ଯାବିନେଟରେ ସ୍ଥାନ ପାଇଛନ୍ତି ଜାତୀୟ ନିରାପତ୍ତା ପରାମର୍ଶଦାତା ମାଇକ ଓ୍ବାଜ । ସେ ପାକିସ୍ତାନରେ ତୀବ୍ର ବିରୋଧୀ । ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ନେଇ ପାକିସ୍ତାନ ବିରୋଧରେ ସର୍ବଦା ମତ ଦେଇଆସୁଛନ୍ତି ମାଇକ । ଲସକର ସମେତ ଅନ୍ଯାନ୍ଯ ସଂଗଠନକୁ ପାକିସ୍ତାନ ପ୍ରୋତ୍ସାହିତ କରିବା ସହ ସେନା ଓ ଆଇଏସଆଇ ଏହାକୁ ସମର୍ଥନ କରୁଛି ବୋଲି ସେ କହିଥିଲେ ।

ଟ୍ରମ୍ପ କ୍ଯାବିନେଟରେ ସ୍ଥାନ ପାଇଛନ୍ତି ଗୁଇନ୍ଦା ନିର୍ଦ୍ଦେଶକ ଟୁଲସି ଗାବାର୍ଡ । ସୀମା ପାର୍ ଆତଙ୍କବାଦୀ କାର୍ଯ୍ୟକଳାପରେ ପାକିସ୍ତାନର ଭୂମିକା ନେଇ ଭାରତର ଅଭିଯୋଗକୁ ସର୍ବଦା ସମର୍ଥନ କରିଆସୁଛନ୍ତି ଗାବାର୍ଡ । ୨୦୧୯ ପୁଲଓ୍ବାମା ଆକ୍ରମଣ ପରଠାରୁ ସେ ସର୍ବଦା ଭାରତ ସପକ୍ଷରେ ରହିଆସିଛନ୍ତି । ଅଲ କ୍ବେଦା ନେତା ଓସମା ବିନ ଲାଡେନଙ୍କୁ ଆଶ୍ରୟ ଦେବା ଘଟଣାରେ ବି ପାକିସ୍ତାନକୁ ଟାର୍ଗେଟ କରିଆସୁଛନ୍ତି ଗାବାର୍ଡ ।

ସେହିପରି ସିଆଇଏ ମୁଖ୍ଯ ଜନ ରାଟକ୍ଲିଫ ବି ରହିଛନ୍ତି ପାକିସ୍ତାନ ବିରୋଧରେ । ଚୀନ, ଇରାନ ପରି ପାକିସ୍ତାନକୁ ସର୍ବଦା ସତର୍କ ଦୃଷ୍ଟି ରଖି ଆସିଛନ୍ତି ରାଟକ୍ଲିଫ । ଆର୍ଥିକ ସମସ୍ଯାରେ ପାକିସ୍ତାନ ଛଟପଟ ହେଉଥିବାବେଳେ ପାକିସ୍ତାନ ବିରୋଧୀ ପଦାଧିକାରୀଙ୍କୁ ଟ୍ରମ୍ପ ନିଯୁକ୍ତି ଦେବା ଘଟଣା ଶେହବାଜ ସରିଫ ସରକାର ଲାଗି ଚିନ୍ତାର କାରଣ ହୋଇଛି ।